କେରଳ ଛୁଇଁଲା ମୌସୁମୀ
ଭୁବନେଶ୍ୱର,୨୯ା୫(ବୁ୍ୟରୋ): କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ଦିନ ଆଗରୁ ଅର୍ଥାତ ରବିବାର କେରଳ ପହଞ୍ଚôଛି ମୌସୁମୀ । କେରଳର ୬୦ ପ୍ରତିଶତରୁ ଅଧିକ ସ୍ଥାନରେ ବର୍ଷା ହୋଇଛି । ତେବେ ୧୦ତରିଖ ପରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି ।
ପାଣିପାଗ ବିଭାଗର କହିବା ଅନୁସାରେ, ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ ରହିଛି । ରବିବାର କେରଳ ଛୁଇଁଛି ମୌସୁମୀ । କେରଳରେ ଜୁନ ୧ରେ ମୌସୁମୀ ପ୍ରବେଶ କରିଥାଏ । ହେଲେ ଏଥର ୩ ଦିନ ପୂର୍ବରୁ ଅର୍ଥାତ୍ ୨୯ ତାରିଖରେ ଏହା ଛୁଇଁଛି । ମୌସୁମୀ ଅଗ୍ରସର ହୋଇ କେରଳର ବାକି ଜାଗାରେ ପ୍ରବେଶ କରିବ । ଏହାସହ ଆସନ୍ତା ୩-୪ଦିନ ଭିତରେ ତାମିଲନାଡୁ ଓ କର୍ଣ୍ଣାଟକର କିଛି ଅଂଶ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ସ୍ଥାନ ଏବଂ ଉତ୍ତର ଭାରତର କିଛି ରାଜ୍ୟରେ ମୌସୁମୀ ପ୍ରବେଶ କରିବ । ତେବେ ଚଳିତବର୍ଷ ୨୭ ତାରିଖରେ ମୌସୁମୀ କେରଳ ଛୁଇଁବାର ଆକଳନ କରାଯାଉଥିଲା ।
ଅନ୍ୟପକ୍ଷରେ ରାଜ୍ୟକୁ ପୁଣି ତାତି ଫେରିଛି । ପଶ୍ଚିମ ଓଡ଼ିଶା ପୁଣି ଜଳୁଛି । ରବିବାର ୧୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୮ଟି ସହରରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ଫେରିଛି ତାତି । ସୋନପୁର ସବୁଠୁ ଉତ୍ତପ୍ତ ଥିବା ସହ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ଂ ରହିଛି । ସେହିପରି ଟିଟିଲାଗଡ ୪୩.୮ଂ, ବଲାଙ୍ଗୀର ୪୩.୪ଂ, ଝାରସୁଗୁଡା ୪୩.୪ଂ, ସମ୍ବଲପୁର ୪୩ଂ, ବରଗଡ ୪୩ଂ, ଭବାନୀପାଟଣା ୪୩ଂ ଏବଂ ବୌଦ୍ଧ ୪୩ଂ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳରେ ତାପମାତ୍ରା ସ୍ୱାଭାବିକ ଥିବା ବେଳେ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ସହିତ ଗରମ ଅନୁଭୂତ ହେଉଛି । ଦିନ କି ରାତି କିଛି ଜଣାପଡ଼ୁନି । ସବୁ ସମୟରେ ନିଆଁ ବର୍ଷା ହେଉଛି । କାଳବୈଶାଖୀ ବର୍ଷା କମ୍ ଏବଂ କିଛି ଟ୍ରଫଲାଇନ ନହେବା ଯୋଗୁ ତାତି ବଢ଼ୁଛି । କାଳବୈଶାଖୀ ବର୍ଷା କାଁଭାଁ ସ୍ଥାନରେ ହେଉଛି । ରବିବାର ହୀରାକୁଦରେ ସର୍ବାଧିକ ତାପମାତ୍ରା ୪୨.୭ଂ, ଅନୁଗୁଳରେ ୪୧.୯ଂ, ବାରିପଦାରେ ୪୧.୬ଂ, ସୁନ୍ଦରଗଡ଼ରେ ୪୧ଂ, ତାଳଚେରରେ ୪୧ଂ, ମାଲକାନଗିରିରେ ୪୧.୫ଂ, ପାରଳାଖେମୁଣ୍ଡିରେ ୪୧.୫ଂ, ଦେବଗଡ଼ରେ ୪୦ଂ ଓ ନୂଆପଡ଼ାରେ ୪୧ଂ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ୩୮.୨ଂ, କଟକରେ ୩୮.୮ଂ, ପୁରୀରେ ୩୫.୪ଂ ଓ ବାଲେଶ୍ୱରରେ ୩୮ଂ ତାପମାତ୍ରା ରେକର୍ଡ଼ ହୋଇଛି ।