ଚାଷ ଜମିରେ ଘର କରି ଜଳପଥ ଅବରୋଧ

ଧାମନଗର(ଆପ୍ର): ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିନା ମାଷ୍ଟର ପ୍ଲାନରେ ଚାଷଜମିମାନଙ୍କରେ ହୁ ହୁ ହୋଇ ବଢ଼ିଲାଣି କୋଠା ବାଡ଼ି ନିର୍ମାଣ । ତେବେ ଏଥିଯୋଗୁ ଜଳ ନିଷ୍କାସନରେ ଏକ ପ୍ରକାର ବାଧା ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ଧାମନଗର ବଜାର ପାଣିରେ ଭାସିବ ବୋଲି ଅନୁମାନ କରାଯାଉଛି ।
ସୂଚନା ଥାଉକି ଧାମନଗର ବିଜ୍ଞାପିତ ପରିଷଦ ଗଠନକୁ ୭ବର୍ଷ ବିିତିଲାଣି । ଏବେ ପୁର୍ଣ୍ଣାଙ୍ଗ ଭାବରେ ବିଜ୍ଞାପିତ ପରିଷଦ ଗଠିତ ହେବା ସହ ଅଧ୍ୟକ୍ଷା ମଧ୍ୟ ନିର୍ବାଚିତ ହୋଇ ସାରିଛନ୍ତି । ମାତ୍ର ଅଦ୍ୟାବଧି ଧାମନଗରରେ ଡ୍ରେନେଜ ସମସ୍ୟା ଦୂରହୋଇପାରିଲା ନାହିଁ । ଫଳରେ ଲୋକମାନେ ଘର, ବ୍ୟବସାୟ ଓ ଗୋଦାମ ଗୃହ ପାଇଁ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ନିଜ ଜମିକୁ ବାହାରୁ ମାଟିଆଣି ପୋତିବା ଆଳରେ ଜଳ ନିଷ୍କାସନ ପଥ ଅବରୋଧ କରିବାରେ ଲାଗିଛନ୍ତି । ସାମାନ୍ୟ ବର୍ଷାରେ ଧାମନଗର-ଭଦ୍ରକ ମୁଖ୍ୟରାସ୍ତାର ସଡ଼କ ବୁଡ଼ିଯାଇଥିଲା । ଏପରିକି ବିଲମଝିରେ ଘର କରିଥିବା ଲୋକମାନେ ବର୍ଷା ଜଳରେ ଘରୁ ବାହାରିପାରି ନ ଥିଲେ । ସ୍ଥାନୀୟ ଦମକଳବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲା । ଏହାର ମୁଖ୍ୟ କାରଣ ସେଠାରେ ରାସ୍ତାକଡ଼ରେ ଥିବା ଡ଼୍ରେନେଜକୁ ପୋତାଯାଇଥିବା ଜଳ ନିଷ୍କାସନ ହୋଇ ପାରିନଥିଲା ।
ସେହିପରି ଧାମନଗର ହାଇସ୍କୁଲ ପଡ଼ିଆରେ ବର୍ଷାଜଳ ନିଷ୍କାସନ ସ୍ଥାନ ଅବରୋଧ ହେତୁ ସାମାନ୍ୟ ବର୍ଷାରେ କୁତ୍ରିମ ଜଳାଶୟର ଭ୍ରମ ସୃଷ୍ଟି ହୁଏ । ଧାମନଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରୁ ଦକ୍ଷିଣବାଡ଼ ବଡ଼ପୋଲ ପର୍ଯ୍ୟନ୍ତ ରାସ୍ତାପାଶ୍ୱର୍ ଜବରଦଖଲ ହେତୁ ଦିନକୁ ଦିନ ଜଳନିଷ୍କାସନ ସମସ୍ୟା ଗମ୍ଭୀର ହେଉଛି । ସେହିପରି ଧାମନଗର ଫଳପୁର ରାସ୍ତାର ଧାମନଗର ବଜାର ୧୦୦ମିଟର ଦୂରରେ ରାସ୍ତାର ଦୁଇପାଶ୍ୱର୍ରେ ବିନା ମାଷ୍ଟର ପ୍ଳାନରେ ମାଟି ପକାଯାଇ ଘର କରାଯାଉଥିବାରୁ ରାସ୍ତା କଡ଼ରେ ଥିବା ପାଣିନାଳ ପୋତାଯାଇଛି । ଫଳରେ ଦକ୍ଷିଣବାଡ଼, ଧାମନଗର ଓ ଧାମନଗର ବଜାରର ବର୍ଷାଜଳ ସେହି ବାଟେ ଯାଉଥିବାରୁ ଏବଂ ଅନ୍ୟପଟେ ନାଳ ପୋତାଯାଇଥିବାରୁ ସାମାନ୍ୟ ବର୍ଷାରେ ବଜାର ଓ ରାସ୍ତା ଜଳମଗ୍ନ ହୋଇପଡ଼ୁଛି । ଏଣୁ ଏ ଦିଗରେ ଧାମନଗର ଏନ୍ଏସି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବେଆଇନ ଭାବରେ ରାସ୍ତା କଡ଼ରେ ଡ଼୍ରେନ୍ ପୋତି ସ୍ଥାୟୀ ଘର କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *