ଭାରତ ଫାଇନାଲ୍ର ନିକଟତର

ଜାକର୍ତ୍ତା, ୨୯ା୫ (ଏଜେନ୍ସି): ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟର ସୁପର୍-୪ ବର୍ଗରେ ରବିବାର ଭାରତ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲା ୩-୩ରେ ଡ୍ର’ ରହିଛି । ଏହି ମ୍ୟାଚ୍ ପରେ ଭାରତ ଫାଇନାଲ୍ର ନିକଟତର ହୋଇଛି । ଶନିବାର ଭାରତ ନିଜ ପ୍ରଥମ ମ୍ୟାଚ୍ରେ ଜାପାନକୁ ୨-୧ରେ ପରାସ୍ତ କରିଥିଲା ।
ମାଲେସିଆ ପକ୍ଷରୁ ରହିମ୍ (୧୨ତମ, ୨୧ତମ, ୫୬ତମ ମିନିଟ୍) ତିନିଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିବା ବେଳେ ଭାରତ ପକ୍ଷରୁ ବିଷ୍ଣୁକାନ୍ତ ସିଂହ (୩୨ତମ), ଏସ୍ଭି ସୁନୀଲ୍ (୫୪ତମ) ଓ ଓଡ଼ିଶାର ନୀଲମ ସଞ୍ଜୀପ ଖେସ୍ (୫୫ତମ) ଗୋଲ୍ ଦେଇଥିଲେ । ଦୁଇଟି ଗୋଲ୍ରେ ପଛରେ ଥାଇ ଭାରତ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି ଅଗ୍ରଣୀ ହାସଲ କରିଥିଲେହେଁ ଶେଷ ବେଳକୁ ରହିମ୍ ମୁକାବିଲାକୁ ବରାବର ସ୍ଥିତିକୁ ଆଣିଥିଲେ ।
ଅନ୍ୟ ସୁପର୍-୪ ଲିଗ୍ ମ୍ୟାଚ୍ରେ ଦକ୍ଷିଣ କୋରିଆ ୩-୧ରେ ଜାପାନକୁ ହରାଇ ୪ ପଏଣ୍ଟ ପାଇଛି । କୋରିଆ ଏହା ପୂର୍ବରୁ ମାଲେସିଆ ବିପକ୍ଷ ନିଜ ପ୍ରଥମ ମ୍ୟାଚ୍କୁ ୨-୨ରେ ଡ୍ର’ ରଖିଥିଲା । ସୁପର୍-୪ ଟେବୁଲ୍ରେ କୋରିଆ +୨ (୫-୩) ଗୋଲ୍ ବ୍ୟବଧାନ ସହ ଶୀର୍ଷରେ ଥିବା ବେଳେ ଭାରତ +୧ (୫-୪) ଗୋଲ୍ ବ୍ୟବଧାନ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଦୁଇଟି ପରାଜୟ ପରେ ଜାପାନର ଫାଇନାଲ୍କୁ ଯିବାର ସୁଯୋଗ ନାହିଁ । ମାଲେସିଆର ଗୋଲ୍ ବ୍ୟବଧାନ ୦ (୫-୫) ଥିବାରୁ ଏହାର ସମ୍ଭାବନା କ୍ଷୀଣ । ଯଦି ସେ ଜାପାନକୁ ଅତି କମ୍ରେ ଦୁଇଟି ଗୋଲ୍ ବ୍ୟବଧାନରେ ହରାଏ ଏବଂ ଭାରତ ଓ ଦକ୍ଷିଣ କୋରିଆ ମ୍ୟାଚ୍ ଡ୍ର’ ରହେ, ତା’ହେଲେ ଏହି ଟିମ୍ ମୁକୁଟ ପର୍ଯ୍ୟାୟକୁ ଯାଇପାରିବ ।
ରବିବାର ମ୍ୟାଚ୍ରେ ମାଲେସିଆ ଜୋର୍ଦାର ଆରମ୍ଭ କରି ଭାରତୀୟ ରକ୍ଷଣପନ୍ଥୀ ଉପରେ ଚାପ ପକାଇଥିଲା । ଷଷ୍ଠ ମିନିଟ୍ରେ ଭାରତୀୟ ଗୋଲ୍କିପର୍ ସୁରଜ କରକେରା ମହମ୍ମଦ ହସନଙ୍କ ରିଭର୍ସ ହିଟ୍କୁ ପ୍ରତ୍ୟାଖ୍ୟାନ କରି ଏକ ସୁନ୍ଦର ସେଭ୍ କରିଥିଲେ । ଏହାପରେ ମାଲେସିଆ ଏକ ପିସି ପାଇଥିଲା, ହେଲେ ଫୈଜଲ ସାରିଙ୍କ ପ୍ରୟାସ କରକେରାଙ୍କୁ ଅତିକ୍ରମ କରିପାରି ନ ଥିଲା ।
୧୨ତମ ମିନିଟ୍ରେ ମାଲେସିଆରକୁ ଆଉ ଏକ ପିସି ମିଳିଥିଲା । ଏଥର ରହିମ୍ ଏକ ଶକ୍ତିଶାଳୀ ଲୋ ଫ୍ଲିକ୍ ଜରିଆରେ ସ୍କୋର୍ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତର ପ୍ରଦର୍ଶନରେ ସୁଧାର ଆସିଥିଲା ଏବଂ ଟିମ୍ କେତେକ ସୁଯୋଗ ସୃଷ୍ଟି କରିଥିଲା, କିନ୍ତୁ ଗୋଲ୍ ହୋଇ ନ ଥିଲା ।
ଅନ୍ୟପଟେ, ମାଲେସିଆ ୨୧ତମ ମିନିଟ୍ରେ ଏକ ପିସି ପାଇଥିଲା । ଏଥର ବି ରହିମ୍ ଏହାକୁ ଗୋଲ୍ରେ ପରିଣତ କରିବାରୁ ଭାରତ ୦-୨ରେ ପଛରେ ପଡ଼ିଯାଇଥିଲା । ମଧ୍ୟାନ୍ତର ସୁଦ୍ଧା ଏହି ସ୍ଥିତି ବଳବତ୍ତର ରହିଥିଲା ।
ତୃତୀୟ କ୍ୱାର୍ଟରର ଆଦ୍ୟଭାଗରେ ଭାରତ ପ୍ରଥମ ପିସି ପାଇବା ପରେ ରିବାଉଣ୍ଡରୁ ଗୋଲ୍ କରି ବିଷ୍ଣୁକାନ୍ତ ସ୍କୋର୍ (୧-୨) ବ୍ୟବଧାନ ହ୍ରାସ କରିଥିଲେ । ଏହି କ୍ୱାର୍ଟରରେ ଭାରତ ଆଉ ଏକ ସର୍ଟ କର୍ଣ୍ଣର ପାଇଥିଲା, କିନ୍ତୁ ମାଲେସୀୟ ଗୋଲ୍କିପର୍ ହାଫିଜୁଦ୍ଦିନ ଓଥମାନ ଏହାକୁ ବିଫଳ କରି ଦେଇଥିଲେ । ‘ମେନ୍ ଇନ୍ ବ୍ଲୁ’ ଆଉ କେତେକ ସୁଯୋଗ ସୃଷ୍ଟି କରିଥିଲେହେଁ ସେଗୁଡ଼ିକ ଚୂଡ଼ାନ୍ତ ରୂପ ନେଇପାରି ନ ଥିଲା ।
ଶେଷ କ୍ୱାର୍ଟରରେ ଦୃଶ୍ୟପଟ ବଦଳି ଯାଇଥିଲା । ୪୯ତମ ମିନିଟ୍ରେ ଭାରତ କ୍ରମାଗତ ଦୁଇଟି ପିସି ପାଇଥିଲା । କିନ୍ତୁ ଦୀପସାନ ତିର୍କୀଙ୍କ ପ୍ରୟାସ ବିଫଳ ହୋଇଥିଲା । ତେବେ ୫୪ତମ ମିନିଟ୍ରେ ପବନ ରାଜଭରଙ୍କ ସ୍କୋର୍ ବଳରେ ଭାରତ ଗୋଲ୍ ପରିଶୋଧ କରିଥିଲା । ଏହାର ଏକ ମିନିଟ୍ ପରେ ଭାରତ ଏକ ପିସି ପାଇଥିଲା । ଏହାକୁ ଗୋଲ୍ରେ ପରିଣତ କରି ନୀଲମ ସଞ୍ଜୀପ ଟିମ୍କୁ ଅଗ୍ରଣୀ କରିଥିଲେ । କିନ୍ତୁ ଭାରତର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା ଏବଂ ମାଲେସିଆ ଏହାର ଏକ ମିନିଟ୍ ପରେ ରହିମଙ୍କ ହାଟ୍ରିକ୍ ବଳରେ ଗୋଲ୍ ପରିଶୋଧ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *