ବିଜ୍ଞାପନରେ ସୀମିତ ରୋଗୀ କଲ୍ୟାଣ ସମିତି କାର୍ଯ୍ୟ

ଶେରଗଡ଼ (ଆପ୍ର): ଗାଁ ପରିବେଶକୁ ନିର୍ମଳ ଓ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଲ୍ୟାଣ ସମିତି ଗଠନ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଦାନ କରାଯାଇଛି । ଗାଁ କଲ୍ୟାଣ ସମିତି ଦ୍ୱାରା ଗାଁର ଲୋକଙ୍କୁ ବିଭିନ୍ନ ରୋଗ ବିଷୟରେ ଅବଗତ କରାଇବା ଓ ଗାଁ ପରିବେଶକୁ ସଫା ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ । ମାତ୍ର ଶେରଗଡ଼ ବ୍ଲକ ଅଞ୍ଚଳରେ ଏହି ଗାଁ କଲ୍ୟାଣ ସମିତି ତା’ର ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି । କେବଳ ସରକାରୀ କାନ୍ଥରେ ଯୋଜନାର କାର୍ଯ୍ୟକ୍ରମ ବିଜ୍ଞାପନ ମାଧ୍ୟମରେ ସୀମିତ ରହିଛି । କାଁ ଭାଁ କେଉଁଠି ଗାଁ ଦାଣ୍ଡରେ ଅଳିଆ ପକାଇବା ପାଇଁ ଦୁଇ ତିନୋଟି ସିମେଣ୍ଟ ନନ୍ଦ ରଖାଯାଇ ସେଥିରେ ଗ୍ରାମର ନାମ ଏବଂ ଗାଁ କଲ୍ୟାଣ ସମିତି ଲେଖା ହୋଇଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମ ପ୍ରବାହରେ ଗାଁ କଲ୍ୟାଣ ସମିତି ତରଫରୁ ଆଉ କେଉଁଠି ଜଳଛତ୍ର ଖୋଲାଯାଉନାହିଁ । ଗାଁ ଦାଣ୍ଡରେ ଜମା ହେଉଥିବା ପାଣି ଓ ଅଳିଆ ଆବର୍ଜନା ଠାରୁ ସଂକ୍ରାମକ ରୋଗ ବ୍ୟାପୁଥିବା ବେଳେ ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ଲୋକଙ୍କୁ ଏ ଦିଗରେ ସଚେତନ କରିବା କଥା ।
ଏହା ସହିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, କିଶୋରୀ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗାଁ କଲ୍ୟାଣ ସମିତି ଦ୍ୱାରା ସେପରି କିଛି ସଚେତନତା ସୃଷ୍ଟି କରାଯାଉନାହିଁ । ଏହିସବୁ କାର୍ଯ୍ୟକ୍ରମ କରିବାକୁ ଅଙ୍ଗନୱାଡି କର୍ମୀ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ । ବ୍ୟାଙ୍କରେ ଅଙ୍ଗନୱାଡି କର୍ମୀ ଓ ଓାର୍ଡମେମ୍ବରଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ରହୁଥିବାବେଳେ ଏଥିରୁ ଅଙ୍ଗନୱାଡି କର୍ମୀ ମାସିକ ୧୦୦ ଟଙ୍କା ଓ ୱାର୍ଡସଭ୍ୟ ୫୦ ଟଙ୍କା ପାରିଶ୍ରମିକ ପାଇଥାନ୍ତି । ବାକି ଅର୍ଥରେ ସମସ୍ତ କାର୍ଯ୍ୟ କରିବା ସମ୍ଭବପର ନୁହେଁ ବୋଲି ବହୁ ଅଙ୍ଗନୱାଡି କର୍ମୀ ପ୍ରକାଶ କରିଛନ୍ତି । ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇ ଯେଉଁସବୁ ସଚେତନତା କାର୍ଯ୍ୟକ୍ରମ କରାଯିବ, ସେ ସଂପର୍କରେ ବୈଠକ କରାଯାଇ ନିଷ୍ପତି ଗ୍ରହଣ କରାଯାଇଥାଏ । ମାତ୍ର ବହୁ ଗ୍ରାମରେ ଏହି ଗାଁ କଲ୍ୟାଣ ସମିତି ବୈଠକ ଠିକ ଭାବରେ ହେଉ ନ ଥିବା ନେଇ ଅଭିଯୋଗ ହେଉଛି । କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ସମିତି ସଭ୍ୟ/ସଭ୍ୟା ରଖି ମିଳୁଥିବା ପ୍ରୋତ୍ସାହନ ରାଶିକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ଗାଁରେ ଗାଁ କଲ୍ୟାଣ ସମିତି କେବଳ କାଗଜ କଲମରେ ସୀମିତ ରହିଛି । ତଳସ୍ତରରେ ଏହାର କାର୍ଯ୍ୟାବଳୀକୁ କେହି ତଦାରଖ କରୁ ନ ଥିବାରୁ ସରକାରୀ ଅନୁଦାନ ତୋଷାରପାତ ହେଉଥିବାବେଳେ ସମିତି ଗୁଡିକ ମୂଳଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କାର୍ଯ୍ୟ କରୁଥିବା ରୋଗୀ କଲ୍ୟାଣ ସମିତିର କାର୍ଯ୍ୟାକାଳ ଶେଷ ହୋଇଥିବାବେଳେ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କର ନଜର ନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *