୪ ଗିରଫ, ୭.୬ଠ ଲକ୍ଷ ଜବତ
ଆସିକା (ଆପ୍ର): ଆଇପିଏଲ୍ ବେଟିଂ ର୍ୟାକେଟ୍ ଚଳାଉଥିବା ୪ଜଣଙ୍କୁ ଗିରଫ କରି ଅନ୍ଲାଇନ ବେଟିଂ କାରବାର ରହସ୍ୟ ଆସିକା ପୁଲିସ ଉନ୍ମୋଚନ କରିଛି । ଅଭିଯୁକ୍ତମାନେ ହେଲେ ବାଦଲ ଗୌଡ, ଶୁଭମ ଆଚାରୀ, ଶମ୍ଭୁ ପାଢୀ ଓ ରତ୍ନାକର ସ୍ୱାଇଁ । ସେମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ୍ ସମେତ ୭ଲକ୍ଷ ୬୦ହଜାର ଟଙ୍କା ଜବତ କରାଯାଇଛି ।
ଆସିକା ଥାନାକୁ ପ୍ରୋବେସନ୍ରେ ଆସିଥିବା ଆଇପିଏସ୍ ଅଫିସର ନଚିକେତା ସାଲ୍କେ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୋମବାର ଅପରାହ୍ନରେ ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଇପିଏଲ୍ ବେଟିଂ କାରବାରକୁ ନେଇ ଆସିକା ଥାନାରେ ଏକ ମାମଲାର ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ୬୪ ଦିନର ଆଇପିଏଲ୍ ମ୍ୟାଚ୍ ପରେ ରବିବାର ଫାଇନାଲ ମ୍ୟାଚ୍ ୨ବଳିଷ୍ଟ ଟିମ୍ ଗୁଜୁରାଟ୍ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଆସିକା ସହର ଉପକଣ୍ଠସ୍ଥ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଆଇପିଏଲ୍ ଫାଇନାଲ ମ୍ୟାଚ୍ ପାଇଁ ଅନଲାଇନ୍ରେ ବେଟିଂ ଚାଲିଥିବା ସଂକ୍ରାନ୍ତରେ ଖବରପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଚଢଉ କରି ୪ଜଣଙ୍କୁ ଗିରଫ କରିଥିଲା । ଘଟଣାସ୍ଥଳରୁ ଜିତୁ ଦାସ, ତୋଫାନ ପ୍ରଧାନ, ମିଟୁ ପଣ୍ଡା, ନାନୁ ମୁନୀ, କୃଷ୍ଣ ପାତ୍ର, ରାଜୀବ ରେଡି ପ୍ରମୁଖ ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଚାଲିଛି, ଯେଉଁ ମାନେ ତଦନ୍ତ ପରିସରଭୁକ୍ତ ହେବେ ସେମାନଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ବୋଲିି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଅନଲାଇନ୍ ଲିଙ୍କରେ ଏକ ସ୍ୱତନ୍ତ୍ର ଆଇଡି ଖୋଲି ବିଭିନ୍ନ ଯୁବପିଢୀଙ୍କୁ ପ୍ରଭାବିତ କରି ଆଇପିଏଲ୍ ବେଟିଂରେ ଟଙ୍କା ବାଜି ଲଗାଇବା ପାଇଁ ଭିନ୍ନ ଭିନ୍ନ ଅନଲାଇନ୍ ଲିଙ୍କ୍କୁ ସେୟାର କରୁଥିଲେ । ଉକ୍ତ ଲିଙ୍କ୍ ଜରିଆରେ ବେଟିଂ ହେଉଥିଲା ।
ମୁମ୍ବାଇରୁ ବୁକିଙ୍କ ଦ୍ୱାରା ଏହି ବେଟିଂ କାରବାର ଅପରେଟ୍ ହେଉଥିବା ବେଳେ ସେମାନଙ୍କ ସହ ଯୋଡି ହୋଇଥିଲେ କେତେକ ଅଭିଯୁକ୍ତ । ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।