ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର (ବୁ୍ୟରୋ): ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି । ସମ୍ମାନ ସ୍ୱରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଛି । ଏଥି ସହିତ ଶାନ୍ତିଲତା ଛୋଟରାୟଙ୍କୁ ‘ସଙ୍ଗୀତ ସରସ୍ୱତୀ’, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ବାଦ୍ୟ ସରସ୍ୱତୀ’ ଓ ପଣ୍ଡିତ ଆର୍ତ୍ତତ୍ରାଣ ଶତପଥୀଙ୍କୁ ‘ଗୀତି ସରସ୍ୱତୀ’ ସମ୍ମାନରେ ବିଭୂଷିତ କରାଯାଇଛି । ସମ୍ମାନ ସ୍ୱରୂପ ୧୦ହଜାର ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଛି । ଏହାସହ ଯୁବ ପ୍ରତିଭା ମନୋଜ କୁମାର ମାଟିଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତିବୃତ୍ତି’ ପ୍ରଦାନ କରାଯାଇଛି । ସମ୍ମାନ ସ୍ୱରୂପ ତାଙ୍କୁ ୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢ଼ୌକନ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସଙ୍ଗୀତ ଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ବିଶେଷ ଭାବେ ଏବଂ ସାମ୍ବାଦିକ କେଶବ ପାଣି ଓ ସୁକେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ଡ. ସଚ୍ଚିକାନ୍ତ ନାୟକଙ୍କ ପୁସ୍ତକ ‘ଛାନ୍ଦ ସମୀକ୍ଷା’ ଲୋକାର୍ପିତ ହୋଇଥିଲା ।
ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ସନ୍ଧ୍ୟାରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଶ୍ରୀଧର ପାତ୍ର ସମ୍ମାନିତ ଅତିଥି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସଭାକାର୍ଯ୍ୟ ପରେ ସାଂସ୍କୃତିକ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଶିଷ୍ଟ କଣ୍ଠ ଓ ବାଦ୍ୟଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ସୁଧାକରଙ୍କ ନିଦେ୍ର୍ଦଶିତ ସଙ୍ଗୀତ ପରିବେଷିତ ହୋଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ଫାଉଣ୍ଡେସନ୍ ସଭାପତି କ୍ଷୀରୋଦ ପଟ୍ଟନାୟକ ଓ ସମ୍ପାଦକୀୟ ବିବରଣୀ ରଖିଥିଲେ ସମ୍ପାଦକ ଗୁରୁ ରାମହରି ଦାସ । ସଂଯୋଜନା କରିଥିଲେ ଡ. ମୃତୁ୍ୟଞ୍ଜୟ ରଥ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫାଉଣ୍ଡେସନ୍ ଆବାହକ ଅରକ୍ଷିତ ଦାଶ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *