ଗଳା କାଟି ଯୁବକଙ୍କୁ ହତ୍ୟା, ସହଯୋଗୀ ଗୁରୁତର
ବ୍ରହ୍ମପୁର (ବୁ୍ୟରୋ): ଦିଗପହଣ୍ଡି ଥାନା ଇଲାକାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ହେବା ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଗତ ମାସରେ ଏହି ବ୍ଲକ୍ ପାଳଝାଡି ଗ୍ରାମରେ ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧିର ପାତ୍ରଙ୍କୁ ବିପକ୍ଷ ଗୋଷ୍ଠୀର ଲୋକେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ମନରୁ ନ ଲିଭିଣୁ ପୁଣି ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ ପଞ୍ଚାୟତ ନିର୍ବାଚନ ଠାରୁ ଲାଗି ରହିଥିବା ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଶାସକ ଦଳର ଜଣେ ଯୁବ ସଙ୍ଗଠକକୁ ପୂର୍ବ ଯୋଜନା ପ୍ରକାରେ ଗଳା କାଟିବା ସହିତ ଛୁରା ମାଡ଼ କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହୁଥିବା ବେଳେ ପରିବାର ଲୋକଙ୍କ ସମେତ ଗାଁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।
ଯୋଜନାବଦ୍ଧ ଭାବେ ଗ୍ରାମର ଯୁବ ସଙ୍ଗଠକ ବାବୁ ଗୌଡ଼ ଓ ତାଙ୍କ ସହଯୋଗୀ ପ୍ରଦୀପ କୁମାର ସାହୁଙ୍କୁ ରବିବାର ରାତିରେ ପ୍ରତିପକ୍ଷ ଗୋଷ୍ଠୀର ତୋଫାନ ଆକ୍ରମଣ କରିଥିଲା । ଛୁରା ମାଡ଼ରେ ଏପରିକି ପ୍ରଦୀପଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡିଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବଡ଼ ଡାକ୍ତରଖାନାରେ ବାବୁଙ୍କ ମୃତୁ୍ୟ ହୋଇଥିବା ବେଳେ ଗୁରୁତର ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ତୋଫାନ ଗୌଡ ଦିଗପହଣ୍ଡି ରାଣୀ ସାହିର ଜଣେ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିବା ଖବରପାଇ ତାକୁ ରାତାରାତି ଥାନାକୁ ନେଇଛି ପୁଲିସ । ତା’ ନିକଟରୁ ରକ୍ତଭିଜା ଛୁରୀ ଏବଂ ରକ୍ତ ଲାଗିଥିବା ସାର୍ଟକୁ ପୁଲିସ୍ ଜବତ କରିଛି । ଏନେଇ ମୃତକ ବାବୁ ଗୌଡ଼ଙ୍କ ଭାଇ ଆପନା ଗୌଡ଼ ସୋମବାର ସକାଳେ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ଦିଗପହଣ୍ଡି ପୁଲିସ୍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୋମବାର ସକାଳେ ବ୍ରହ୍ମପୁର ଏସ୍ପି ଡା.ଶ୍ରବଣ ବିବେକ ଏମ୍, ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଉପସ୍ଥିତ ଗ୍ରାମବାସୀ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତକରି ସେମାନଙ୍କୁ ଆଶ୍ୱସନା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦିଗପହଣ୍ଡି ଥାନାକୁ ଯାଇ ଆଇନ୍ଶୃଙ୍ଖଳା ପରିସ୍ଥିତିର ସମୀକ୍ଷାକରି ଫେରିଛନ୍ତି । ଠିକା କାମକୁ ନେଇ ମଧ୍ୟ ଗ୍ରାମର ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିଥିବା ଏସ୍ପି କହିଛନ୍ତି । ପଞ୍ଚାୟତକୁ ଆସିଥିବା କାମ କେଉଁ ଗୋଷ୍ଠୀ କରିବେ ସେନେଇ ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସେ କହିଥିଲେ । ଅଭିଯୁକ୍ତ ତୋଫାନ ଠାରୁ ସବିଶେଷ ତଥ୍ୟ ପାଇବା ପରେ ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଏସ୍ପି କହିଛନ୍ତି । ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ରକ୍ତଭିଜା ମାଟି ନମୁନା ସଂଗ୍ରହ କରିଛି ।
ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମରେ ୨ଗୋଷ୍ଠୀ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଥିଲା । ବାବୁ ଗୌଡ଼ର ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହାରି ଯାଇଥିଲେ । ତୋଫାନ ଗୌଡ଼ଙ୍କ ପ୍ରାର୍ଥୀ ବିଜୟୀ ହୋଇଥିଲେ । ନିର୍ବାଚନ ଫଳାଫଳ ପ୍ରକାଶ ପରେ ତୋଫାନ ଏବଂ ତାଙ୍କ କିଛି ସମର୍ଥକ ବିଭିନ୍ନ ସମୟରେ ବାବୁଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଏପରିକି ବାବୁକୁ ହତ୍ୟା କରିବା ପାଇଁ ତୋଫାନ ଛୁରୀ ବୁଲୁଥିଲା ବୋଲି ଗ୍ରାମବାସୀ କହିଛନ୍ତି । ବାବୁ ଓ ପ୍ରଦୀପ ରବିବାର ସକାଳେ ଗ୍ରାମ ପୋଖରୀରୁ ଗାଧୋଇ ଘରକୁ ଫେରିବା ବେଳେ ଉଭୟେ ତୋଫାନଙ୍କ ସହ ମୁହିାଁମୁହିଁ ହୋଇଥିଲେ । ପରେ କୌଣସି କାମରେ ବାବୁ ଓ ପ୍ରଦୀପ ଦିଗପହଣ୍ଡି ଯାଇ ଫେରିବା ବେଳେ ରାସ୍ତାରେ ତୋଫାନ ପୂର୍ବ ଯୋଜନା ପ୍ରକାରେ ରାସ୍ତାକୁ ଅବରୋଧକରି ନିକଟରେ ଥିବା ବିଦୁ୍ୟତ୍ଖୁଣ୍ଟ ପାଖରେ ଠିଆ ହୋଇଥିଲା । ବାଇକ୍ରେ ଫେରିବା ବେଳେ ତୋଫାନ ଉଭୟଙ୍କୁ କମେଣ୍ଟ ମାରିବାରୁ ବାବୁ ଏହାର ପ୍ରତିବାଦ କରି ବାଇକ୍ରୁ ଓହ୍ଲାଇବା କ୍ଷଣି ତୋଫାନ ଧରିଥିବା ଛୁରୀରେ ତାଙ୍କ ବେକ କାଟି ଶରୀରର ବିଭିନ୍ନ ସ୍ଥାନରେ ଭୂଷିଥିଲା । ବାବୁଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହେବାରୁ ପ୍ରଦୀପ ତାଙ୍କୁ ଛଡାଇବା ପାଇଁ ଯିବାବେଳେ ତାଙ୍କୁ ମଧ୍ୟ ତୋଫାନ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।