ଡେବୁ୍ୟଟାଣ୍ଟ ଗୁଜରାଟର ସଫଳତାର ରାଜ୍
ଅହମ୍ମଦାବାଦ,୩୦ା୫ (ଏଜେନ୍ସି): ଗୁଜରାଟ ଟାଇଟନ୍ସ ପ୍ରଥମ ସିଜନ୍ରେ ଆଇପିଏଲ୍ ଟାଇଟଲ୍ ଜିତି ଇତିହାସ ରଚିଛି । ୨୦୦୮ ପରେ ପ୍ରଥମ ଥର କୌଣସି ଦଳ ଏହି ସଫଳତା ପାଇପାରିଛି । ୨୦୦୮ରେ ରାଜସ୍ଥାନ ରୟାଲ୍ସ ପ୍ରଥମ ସିଜନ୍ରେ ଚାମ୍ପିଅନ୍ ହୋଇଥିଲା । ତେବେ ଗୁଜରାଟର ଏହି ସଫଳତା ହୁଏତ ସମସ୍ତଙ୍କୁ ଚକିତ କରିପାରେ, କିନ୍ତୁ ବିଶ୍ୱ କି୍ରକେଟ୍ଜଗତରେ ଚର୍ଚ୍ଚା ହେଉଛି ଯେ, ଟାଇଟଲ୍ ହାତେଇବା ପଛରେ ଦଳ ପାଖରେ କେଉଁ କେଉଁ ଉଲ୍ଲେଖନୀୟ ପ୍ରଦର୍ଶନ ମହଜୁଦ୍ ଥିଲା ।
ଅଲ୍ରାଉଣ୍ଡର୍ଙ୍କ ଉପସ୍ଥିତି: ଆଇପିଏଲ୍-୨୦୨୨ ପାଇଁ ଫେବ୍ରୁଆରୀରେ ମେଗା ଅକ୍ସନ୍ ଆୟୋଜନ ହୋଇଥିଲା । ଏହି ନିଲାମ ପରେ ସମସ୍ତଙ୍କର ଧାରଣା ରହିଥିଲା ଯେ, ଗୁଜରାଟ ବିଶେଷ କିଛି ପ୍ରଦର୍ଶନ କରିପାରିବ ନାହିଁ । କାରଣ ୧-୨ ଜଣ ଖେଳାଳିଙ୍କୁ ବାଦ୍ ଦେଇ ଦଳ ନିକଟରେ ସେପରି କିଛି ଆଗଧାଡ଼ିର ଖେଳାଳି ନଥିଲେ । କିନ୍ତୁୁ ପ୍ରକୃତରେ ଦଳରେ ମଲ୍ଟି ଟାକ୍ସିଂ କରିପାରୁଥିବା ଖେଳାଳି ସାମିଲ୍ ଥିଲେ । କାମଚଳା ଭାବେ ହେଉ ପଛେ ଦଳ ନିକଟରେ ପ୍ରତ୍ୟେକ ମ୍ୟାଚ୍ରେ ଅତି କମ୍ରେ ୪ ଜଣ ଅଲ୍ରାଉଣ୍ଡର୍ ରହୁଥିଲେ । ଏଥିସହ ଦଳର ଦୁଇ ୱିକେଟ୍କିପର୍ ଋଦ୍ଧିମାନ ଶାହା ଏବଂ ମ୍ୟାଥୁ ୱେଡ୍ ଟପ୍ ଅର୍ଡର୍ରେ ବ୍ୟାଟିଂ କରୁଥିଲେ ।
ପାୱାର-ପ୍ଲେ ବ୍ୟାଟିଂରେ ନିୟନ୍ତ୍ରଣ ରକ୍ଷା: କିଛି ବର୍ଷ ପୂର୍ବ ଯାଏଁ ପାୱାର୍-ପ୍ଲେରେ ଧମାକାଦାର ବ୍ୟାଟିଂ ଟି-୨୦ କି୍ରକେଟ୍ରେ ସଫଳତା ଗ୍ୟାରେଣ୍ଟି ଭାବେ ପରିଚିତ ଥିଲା । ମାତ୍ର ସମୟ ସହ ଏହି ଟ୍ରେଣ୍ଡ୍ ବଦଳିଯାଇଛି । ଏବେ ପାୱାର୍-ପ୍ଲେରେ ୱିକେଟ୍ ରକ୍ଷା କରି ମଧ୍ୟକ୍ରମରେ ଆକ୍ରମଣ କରିଥିଲା ଗୁଜରାଟ । ଶୁଭମନ୍ ଗିଲ୍ ଏବଂ ଋଦ୍ଧିମାନ ଶାହାଙ୍କ ଓପନିଂ ଯୋଡ଼ି ଉପରେ ଟିମ୍ର ପ୍ରଦର୍ଶନ ନିର୍ଭର କରୁ ନଥିଲା । ମଧ୍ୟକ୍ରମରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ୍ ମିଲର୍ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳୁଥିଲେ ।
ଅଧିନାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଯେତେ ବି ପ୍ରଶଂସା କଲେ କମ୍ ପଡ଼ିବ । କି୍ରକେଟ୍ରେ ସଫଳତା ପାଇଁ ଅଧିନାୟକ ସମ୍ମୁଖରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ଅନିବାର୍ଯ୍ୟ । ତେବେ ହାର୍ଦ୍ଦିକ ପାୱାର-ପ୍ଲେ’ରେ ବୋଲିଂ କରିବା ଠାରୁ ଆରମ୍ଭ କରି ବ୍ୟାଟିଂ ପର୍ଯ୍ୟନ୍ତ ସବୁ ଫର୍ମାଟ୍ରେ ଦଳକୁ ଆଗୁଆ ରଖିଥିଲେ ।
ଅଲଗା ଦଳରୁ ପ୍ରତ୍ୟାଖ୍ୟାନ ହୋଇ ଗୁଜରାଟରେ ହିରୋ ପାଲଟିଲେ: ଡେଭିଡ୍ ମିଲର୍, ରାହୁଲ ତେୱତିୟା, ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା, ଲକି ଫର୍ଗୁ୍ୟସନ୍ ଏବଂ ରସିଦ୍ ଖାନ୍ ଏହି ଖେଳାଳି ତାଲିକାରେ ରହିଛନ୍ତି ଯେଉଁମାନଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ମେଗା ନିଲାମ ପୂର୍ବରୁ ରଖିବାକୁ ଇଚ୍ଛୁକ ନଥିଲେ । ଏହାଦ୍ୱାରା ଖେଳାଳିମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ବଢ଼ିଯାଇଥିଲା । ଫଳରେ ସେମାନେ ପୁରୁଣା ଫ୍ରାଞ୍ଚାଇଜ୍କୁ ଭୁଲ୍ ପ୍ରମାଣିତ କରିଥିଲେ ।