୪ ଓଡ଼ିଆ ଯାତ୍ରୀ ନିଖୋଜ
ନେପାଳରେ ବିମାନ ଦୁର୍ଘଟଣା
କାଠମାଣ୍ଡୁ/ଭୁବନେଶ୍ୱର/ଫୁଲବାଣୀ, ୨୯ା୫: ରବିବାର ସକାଳେ ଦୁର୍ଘଟଣାଗ୍ରସ୍ତ ତାରା ଏୟାର ବିମାନର ଭଗ୍ନାଂଶ ଠାବ କରାଯାଇଛି । ଏହି ନେପାଳୀ ବିମାନରେ ଗୋଟିଏ ଓଡ଼ିଆ ପରିବାରର ଚାରି ସଦସ୍ୟଙ୍କ ସମେତ ୨୨ ଜଣ ଯାତ୍ରା କରୁଥିଲେ । ବିମାନଟି ହିମାଳୟର ମାନାପାଥୀ ଇଲାକା ଅନ୍ତର୍ଗତ ନିମ୍ନଭୂମି ମୁଷ୍ଟାଙ୍ଗର କୋବାନଠାରେ ନଦୀ ମୁହାଣରେ ଖସି ପଡ଼ିଛି ବୋଲି ନେପାଳ ସେନା ପକ୍ଷରୁ କୁହାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା । ସେନାର ଏକ ହେଲିକପ୍ଟର ଦୁର୍ଘଟଣା ସ୍ଥଳରେ ପହଞ୍ଚôଛି ।
ନେପାଳ ରାଜଧାନୀ କାଠମାଣ୍ଡୁଠାରୁ ପୂର୍ବକୁ ୧୨୫ କିମି ଦୂରବର୍ତ୍ତୀ ପର୍ଯ୍ୟଟନ ନଗରୀ ପୋଖରାଠାରୁ ଉଡାଣ ଭରିଥିବା ଏହି କ୍ଷୁଦ୍ର ଯାତ୍ରୀବାହୀ ବିମାନରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ରହୁଥିବା ଅଶୋକ ତ୍ରିପାଠି, ତାଙ୍କ ପତ୍ନୀ ରୀତିକା, ପୁଅ ଧନୁଷ ଓ ଶିଶୁକନ୍ୟା ବେଭବୀ ଯାତ୍ରା କରୁଥିଲେ । ଏମାନଙ୍କ ସହ ଦୁଇଜଣ ଜର୍ମାନ ଓ ୧୩ ଜଣ ନେପାଳୀ ନାଗରିକ ତଥା ତିନିଜଣିଆ ଚାଳକ ଦଳ ଥିଲେ । ବୌଦ୍ଧ ଜିଲା ଶଗଡା ନିକଟସ୍ଥ ବଲଦିଆପଦରରେ ଅଶୋକଙ୍କ ଘର । ପେଷାରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ଅଶୋକ ତ୍ରିପାଠି ଜୟଦେବ ବିହାରସ୍ଥିତ ଗଙ୍ଗାଧର ନଗରରେ ରହି ଇନ୍ଫୋସିଟିରେ ଚାକିରି କରୁଥିଲେ । ପତ୍ନୀ ରୀତିକା ମୁମ୍ବାଇରେ ଚାକିରି କରୁଥିବାରୁ ସେଠାରେ ପୁଅ ଝିଅ ସହିତ ରହୁଥିଲେ । ଅଶୋକଙ୍କ ଘରେ ରହୁଥିବା ଟିକନ ସାମଲଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୨୬ ତାରିଖରେ ଅଶୋକ ପ୍ରାୟ ୩ ବର୍ଷ ପରେ ପରିବାରକୁ ଦେଖା କରିବାକୁ ମୁମ୍ବାଇ ଯାଇଥିଲେ । ସେଠାରୁ ସପରିବାର ନେପାଳ ବୁଲିବାକୁ ଯାଇଥିଲେ । ବିମାନ ଦୁର୍ଘଟଣା ସଂପର୍କରେ ଜାଣିବା ପରେ ତାଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଶୋକ କିମ୍ବା ତାଙ୍କ ପରିବାର ସଂପର୍କରେ କିଛି ସୂଚନା ମିଳି ନ ଥିଲା
ବୌଦ୍ଧ ଜିଲ୍ଲାର ଏକାଧିକ ସ୍ଥାନ ସମେତ ସୋନପୁରରେ ଅଶୋକଙ୍କର ଘର ରହିଛି । ବୌଦ୍ଧରେ ରହୁଥିବା ତାଙ୍କ ଭଉଣୀ ଆଶାରାଣୀ ମିଶ୍ର ଓ ଭିଣୋଇ ଅସୀତ ମିଶ୍ର ଅଶୋକଙ୍କ ନିଖୋଜ ଖବର ପାଇ ଭାଙ୍ଗିପଡ଼ିଛନ୍ତି । ୨୪ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କ ସହିତ ଶେଷ ଦେଖା ହେଇଥିଲା । ନେପାଳ ବୁଲିଯିବା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା କିନ୍ତୁ ସମୟ ଅଭାବରୁ ଭିଣୋଇ ଅସୀତ ଯାଇପାରି ନ ଥିଲେ ବୋଲି ଆଶାରାଣୀ କହିଛନ୍ତି । ନିଖୋଜ ଖବର ରବିବାର ସକାଳେ ଜଣାପଡ଼ିବା ପରେ ନିଜ ଗ୍ରାମର ଲୋକେ ଏବଂ ନିକଟସମ୍ପର୍କୀୟମାନେ ଚିନ୍ତାରେ ରହିଛନ୍ତି ।
କାନାଡା ନିର୍ମିତ ଟ୍ୱିଇନ୍ ପୋଟ୍ଟର ଟର୍ବୋପ୍ରପ୍ ବିମାନଟି ପୋଖରାରୁ ସକାଳ ୧୦.୧୫ରେ ବିମାନ ଉଡାଣ ଭରିଥିଲା; ୨୫ ମିନିଟ୍ ପରେ ଦେଶର ପଶ୍ଚିମବର୍ତ୍ତୀ ପାର୍ବତ୍ୟାଞ୍ଚଳର ଜୋମସୋମ ବିମାନବନ୍ଦରରେ (୪୮ ମାଇଲ୍ ଦୂର) ଅବତରଣ କରିଥାନ୍ତା । କିନ୍ତୁ ୧୫ ମିିନିଟ୍ ପରେ କଣ୍ଟ୍ରୋଲ୍ ଟାୱାର ସହ ବିମାନର ସମ୍ପର୍କ ଛିନ୍ନ ହୋଇଗଲା । ପାଇଲଟ୍ଙ୍କ ମୋବାଇଲ୍ ଫୋନ୍ ମାଧ୍ୟମରେ ଜିପିଏସ୍ ଲୋକେସନ୍ ଠାବ କରି ସେନାର ଏକ ହେଲିକପ୍ଟର ଦୁର୍ଘଟଣା ସ୍ଥଳରେ ପହଞ୍ଚôଥିବା ଖବର ମିଳିଛି । ନରସଂଗ ବୌଦ୍ଧମଠ ନିକଟବର୍ତ୍ତୀ ଏକ ନଦୀ ମୁହାଣରେ ବିମାନଟି ଖସି ପଡ଼ିଛି । ଜୋମସୋମ ଏୟାରପୋର୍ଟ ସ୍ଥିତ ଟ୍ରାଫିକ୍ କଣ୍ଟ୍ରୋଲର କହିଛନ୍ତି ଦୁର୍ଘଟଣା ସ୍ଥଳରୁ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଜଣେ ସରକାରୀ ଅଧିକାରୀ କହିଛନ୍ତି, ବିମାନଟି ମଷ୍ଟେଙ୍ଗ ଜିଲ୍ଲାର ଜୋମସୋମ ଆକାଶରେ ଉଡୁଥିବାବେଳେ ଧୈଲାଗିରି ଶୃଙ୍ଗ ଆଡକୁ ଗତି କରିଥିଲା ଏବଂ ପରେ ପରେ ବିମାନ ସହ କଣ୍ଟ୍ରୋଲ ଟାୱାରର ସମ୍ପର୍କ ଛିନ୍ନ ହୋଇଥିଲା ।
ପାଗ ଅତ୍ୟନ୍ତ ପ୍ରତିକୂଳ ଥିବାରୁ ତଥା ସେଠାରେ ତୁଷାରପାତ ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।
କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ଏକ ଜରୁରୀକାଳିନ ହଟ୍ ଲାଇନ୍ ନମ୍ବର (୯୭୭-୯୮୫୧୧୦୭୦୨୧) ଜାରି କରିଛି । ଦୁର୍ଘଟଣାଗ୍ରସ୍ତ ଚାରି ଓଡ଼ିଆ ପରିବାରଙ୍କ ସହ ଯୋଗାଯୋଗ କରାଯାଇଛି ବୋଲି ଦୂତାବାସ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ କୁହାଯାଇଛି ।
ନେପାଳର ଅଧିକାଂଶ ଏୟାରଷ୍ଟି୍ରପ୍ ପାର୍ବତ୍ୟାଞ୍ଚଳରେ । ହଠାତ୍ ପାଗ ବଦଳିଯାଉଥିବାରୁ ବିମାନ ଅବତରଣ ସମୟରେ ବହୁ ଅସୁବିଧା ହୁଏ । ୨୦୧୮ରେ ଢ଼ାକାରୁ ଆସିଥିବା ବିମାନ କାଠମାଣ୍ଡୁରେ ଅବତରଣ ପୂର୍ବରୁ କ୍ରାସ୍ କରିବାରୁ ୫୧ ଯାତ୍ରୀ ପ୍ରାଣ ହରାଇଥିଲେ । ୧୯୯୨ରେ ଏକ ପାକିସ୍ତାନୀ ବିମାନ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତ ୧୬୭ ଯାତ୍ରୀଙ୍କ ମୃତୁ୍ୟ ଘଟିଥିଲା ।