ରଥଯାତ୍ରା ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ

୧ଠ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବୋମା, ଖଣ୍ଡା ଓ ବାଇକ୍ ଜବତ
ପୁରୀ (ବୁ୍ୟରୋ): ରଥଯାତ୍ରା ପୂର୍ବରୁ କ୍ରାଇମମୁକ୍ତ ହେବ ସହର । ସେଥିଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏପରିକି ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କିଭଳି ନିଜକୁ ସୁରକ୍ଷିତ ଭାବେ ସହରରେ ପରିଭ୍ରମଣ କରିପାରିବେ ସେ ନେଇ ପ୍ରକି୍ରୟା ଜାରି ରହିଛି । ତେଣୁ ଏସ୍ପି କନୱର ବିଶାଲ ସିଂହଙ୍କ ମିଶନକୁ ସଫଳ କରିବା ଲାଗି ସହରର ସମସ୍ତ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ସିଟି ଡିଏସ୍ପି ଓ ଅତିରିକ୍ତ ଏସ୍ପିଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରବିବାର । ସହରର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ ଘଟାଉଥିବା ୧୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ତତ୍ସହିତ ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଖଣ୍ଡା, ଲୁହା ରଡ୍, ମୋବାଇଲ୍, ୫ଟି ବିୟର ବୋତଲ, କାଠଫାଳିଆ ସହ ଦୁଇଟି ବାଇକ୍ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ମଧ୍ୟ ହତ୍ୟା ମାମଲାରେ ସଂପୃକ୍ତ ଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ ।
ସେ ଆହୁରି ମଧ୍ୟ କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସଦର ଥାନା ଅନ୍ତର୍ଗତ କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀରମଣର କାହ୍ନୁ ଭୋଇ (୬ଟି ମାମଲାରେ ସଂପୃକ୍ତ) । ବାସେଳୀ ସାହି ଥାନା ଅନ୍ତର୍ଗତ ଜଗନ୍ନାଥବସ୍ତିର ରାଜା ସ୍ୱାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇଙ୍କ ନାମରେ ୫ଟି ମାମଲାରେ ସଂପୃକ୍ତ ରହିଥିବା ବେଳେ ଲୋକନାଥ ରୋଡ୍ର ବୁଲା ଦାସଙ୍କ ନାମରେ ୧୧ଟି ମାମଲା ରହିଛି । ଅନ୍ୟପକ୍ଷରେ ହାତୀଶାଳର ସନ୍ତୋଷ ଦାସ, ଲୋକନାଥ ରୋଡ୍ର ଅବିନାଶ ନାୟକ, ନରେନ୍ଦ୍ର କୋଣର ରୂପକ ନାୟକ ଓ ସମୁଦ୍ରକୂଳ ଥାନା ଅନ୍ତର୍ଗତ ସିଟି ରୋଡ୍ର ଜି. ରାଓଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ୪ଟି ଥାନାରେ ୪ଟି ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟାଉନ୍ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ, ବାସେଳିସାହି ଥାନାଧିକାରୀ କୁଳମଣି ସେଠୀ, କୁମ୍ଭାରପଡ଼ା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ, ସମୁଦ୍ରକୂଳ ଥାନାଧିକାରୀ ଚିନ୍ମୟ ରାଉତ ଓ ତାଳବଣିଆ ଥାନାଧିକାରିଣୀ ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *