ସୁପର୍ନୋଭାସ୍କୁ ତୃତୀୟ ମୁକୁଟ
ପୁନେ, ୨୯ା୫ (ଏଜେନ୍ସି): କାରିବୀୟ ଅଲ୍ରାଉଣ୍ଡର୍ ଡିଣ୍ଡ୍ରା ଡଟିନ୍ଙ୍କ ଉଭୟ ବ୍ୟାଟ୍ ଓ ବଲ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ ଫଳରେ ସୁପର୍ନୋଭାସ୍ ଶନିବାର ଭେଲୋସିଟିକୁ ୪ ରନ୍ରେ ହରାଇ ତୃତୀୟ ମହିଳା ଟି-୨୦ ଚାଲେଞ୍ଜ୍ ମୁକୁଟ ହାସଲ କରିଛି । ସୁପର୍ନୋଭାସ୍ ଏଥି ପୂର୍ବରୁ ୨୦୧୮ ଓ ୨୦୧୯ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସଂସ୍କରଣ ଜିତିଥିଲା । ଡଟିନ୍ ଉଭୟ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଥିଲେ ।
ଡଟିନ୍ଙ୍କ ୪୪ ବଲ୍ରୁ ୬୨ ରନ୍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ସୁପର୍ନୋଭାସ୍ ୭ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଭେଲୋସିଟି ଟିମ୍ ଧାର୍ଯ୍ୟ ଓଭର୍ରେ ୮ ୱିକେଟ୍ ହରାଇ ୧୬୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଏଥିରେ ଡଟିନ୍ ୨୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ।
ଦକ୍ଷିଣ ଆଫ୍ରିକୀୟ ବ୍ୟାଟର୍ ଲୌରା ଉଲ୍ଭାର୍ଟ ଭେଲୋସିଟି ପକ୍ଷରୁ ଏକାକୀ ସଂଘର୍ଷ କରି ୪୦ ବଲ୍ରୁ ଅପରାଜିତ ୬୫ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୩ ଛକା ରହିଥିଲା । ୧୦ ନଂ ବ୍ୟାଟର୍ ସିମରନ୍ ବାହାଦୁର ୧୦ ବଲ୍ରୁ ୨୦ ରନ୍ କରି ଅପରାଜିତ ଥିଲେ । ଶେଷ ଓଭର୍ରେ ଟିମ୍କୁ ଜିତିବା ପାଇଁ ୧୭ ରନ୍ ଆବଶ୍ୟକ ଥିବା ବେଳେ ବାମହାତି ସ୍ପିନର ସୋଫି ଏକ୍ଲ୍ଷେ୍ଟୋନ୍ (୨୮/୨) ମାତ୍ର ୧୨ ରନ୍ ଦେଇ ପ୍ରତିପକ୍ଷକୁ ବିଜୟରୁ ବଞ୍ଚିତ କରିଥିଲେ । ଟିମ୍ର ଅନ୍ୟମାନଙ୍କ ମଧ୍ୟରେ ଶେଫାଲୀ ବର୍ମା ୧୫, ସ୍ନେହ ରାଣା ୧୫, ଯସ୍ତିକା ଭାଟିଆ ୧୩ ଓ ଅଧିନାୟିକା ଦୀପ୍ତି ଶର୍ମା ୨ ରନ୍ କରିଥିଲେ । ବିପକ୍ଷ ବୋଲର୍ ଅଲାନା କିଙ୍ଗ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ସୁପର୍ନୋଭାସ୍ର ଡଟିନ୍ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ଛଡ଼ା ଅଧିନାୟିକା ହରମନପ୍ରୀତ କୌର ୨୯ ବଲ୍ରୁ ୪୩, ପ୍ରିୟା ପୁନିଆ ୨୮ ରନ୍ କରିଥିଲେ । ବିପକ୍ଷ ବୋଲର୍ କେଟ୍ କ୍ରସ୍, ଦୀପ୍ତି ଶର୍ମା ଓ ସିମରନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।