ଆମଦାନୀ କରିବ କୋଲ୍ ଇଣ୍ଡିଆ

ଦେଶରେ କୋଇଲା ସଂକଟ
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଲଗାତାର ବିଜୁଳି ସଂକଟଜନିତ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନେତୃତ୍ୱାଧୀନ କମ୍ପାନୀ କୋଲ୍ ଇଣ୍ଡିଆ ଏକ ବଡ଼ ନିଷ୍ପତ୍ତି ନେଇଛି । ଦୀର୍ଘ ୭ ବର୍ଷ ଅର୍ଥାତ୍ ୨ଠ୧୫ ପରେ ପ୍ରଥମ ଥର ପାଇଁ କୋଲ ଇଣ୍ଡିଆ ବିଦେଶରୁ କୋଇଲା ଆମଦାନୀ କରିବାକୁ ଯୋଜନା କରୁଛି । ଗତ ଏପ୍ରିଲ ମାସରେ ଦେଶରେ ବିଜୁଳି ସଂକଟଜନିତ ସମସ୍ୟାର ପୁୂନରାବୃତ୍ତି ନହେବା ଉଦେ୍ଦଶ୍ୟରେ କୋଲ୍ ଇଣ୍ଡିଆ ଏପ୍ରକାର ନିଷ୍ପତ୍ତି ନେଇଛି । ପ୍ରକାଶ ସମ୍ପ୍ରତି ଭାରତରେ ଗତ ୬ବର୍ଷ ମଧ୍ୟରେ ବିଜୁଳି ସଂକଟଜନିତ ସବୁଠୁ ଖରାପ ସ୍ଥିତି ଉତ୍ପନ୍ନ ହୋଇଛି । ସମଗ୍ର ଦେଶ ଏବେ ବିଜୁଳି ସଂକଟ ସହ ଜୁଝୁଛି ।
ଶକ୍ତି ମନ୍ତ୍ରଣାଳୟ ପକ୍ଷରୁୂ ଦିନକ ପୂର୍ବେ ଲେଖାଯାଇଥିବା ଚିଠି ଅନୁସାରେ କୋଲ୍ ଇଣ୍ଡିଆ ଦ୍ୱିପାକ୍ଷିକ ସରକାରୀସ୍ତର (ଜି ଟୁ ଜି) ରେ କୋଇଲା ଆମଦାନୀ କରିବ । ଏହି କୋଇଲାକୁ ରାଜ୍ୟର ବିଜୁଳି ଉତ୍ପାଦନକାରୀ ଏବଂ ଅନ୍ୟ ସ୍ୱତନ୍ତ୍ର ବିଜୁଳି ଉତ୍ପାଦନକାରୀ ଥର୍ମାଲ ପାୱାର ପ୍ଲାଣ୍ଟ୍ସଗୁଡ଼ିକୁ ଯୋଗାଣ କରାଯିବ । ମୋଟାମୋଟି ଏପ୍ରିଲ୍ ମାସର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଅଧିକାରୀମାନେ ଆମଦାନି ହେବାକୁ ଥିବା କୋଇଲା ସବୁ ଗଚ୍ଛିତ କରି ରଖିବେ ଏବଂ ଆବଶ୍ୟକତା ଅନୁୂସାରେ ପ୍ଲାଣ୍ଟଗୁଡ଼ିକୁ ଯୋଗାଇଦେବେ । ସୂଚନାଯୋଗ୍ୟ କୋଲ ଇଣ୍ଡିଆ ବିଶ୍ୱର ସବୁଠୁ ବଡ଼ କୋଇଲା କମ୍ପାନୀ ମଧ୍ୟରେ ଅନ୍ୟତମ ।
ଶକ୍ତି ମନ୍ତ୍ରଣାଳୟର ଏହି ଚିଠିକୁ କୋଇଲା ସଚିବ ଏବଂ କୋଲ୍ ଇଣ୍ଡିଆ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶୀର୍ଷସ୍ତରୀୟ ତଥା କେନ୍ଦ୍ର ଏବଂ ରାଜ୍ୟ ଶକ୍ତି ମନ୍ତ୍ରୀ ତଥା ଅଧିକାରୀମାନଙ୍କୁ ପଠାଯାଇଛି । ୨ଠ୨୨ ତୃତୀୟ ତୈ୍ରମାସରେ ଦେଶରେ ପୁଣିଥରେ କୋଇଲା ସଂକଟ ଉପୁଜିବା ଏବଂ ଏହି କାରଣରୁ ବିଜୁଳି କାଟ୍ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ବିଜୁଳି ଆବଶ୍ୟକତା ବୃଦ୍ଧି ପାଇବା ବେଳେ ଦେଶରେ କୋଇଲା ସଂକଟ ଏକ ବଡ଼ ବିଷମ ପରିସ୍ଥିତି ଉତ୍ପନ୍ନ କରିବା ଆଶଙ୍କା ମଧ୍ୟରେ କୋଲ୍ ଇଣ୍ଡିଆ ପକ୍ଷରୁ ବିଦେଶରୁ କୋଇଲା ଆମଦାନୀ କରିବା ନିଷ୍ପତ୍ତି ନିଆଯାଇଛି ।
କୋଇଲା ଆମଦାନୀ ପାଇଁ ପୃଥକ୍ ପୃଥକ୍ ଟେଣ୍ଡର ଜାରି କରାଯିବା ଦ୍ୱାରା ଏହି ପ୍ରକ୍ରିୟାରେ ବ୍ୟାପକ ହେରଫେର ବା ବେଆଇନ୍ କାର୍ଯ୍ୟ ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯିବା ସହ କୋଲ୍ ଇଣ୍ଡିଆ ମାଧ୍ୟମରେ କେନ୍ଦ୍ରୀୟସ୍ତରରେ ଆମଦାନୀ କରିବାକୁ ଦାବି କରାଯାଇଥିଲା । ଏସମ୍ପର୍କରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ବିଜୁଳି ଶକ୍ତିର ଚାହିଦା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ତୃତୀୟାର୍ଦ୍ଧରେ ଭାରତରେ କୋଇଲା ଅଭାବ ଦେଖା ଦେବାର ସମ୍ଭାବନା ରହିଛି । ବିଜୁଳି କାଟର ସମ୍ଭାବନା ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *