ଯୁବ ଚେହେରାଙ୍କୁ ଗୁରୁତ୍ୱ
୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର,୨୯ା୫(ବୁ୍ୟରୋ): ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ, ସେନେଇ ବେଶ୍ କିଛି ଦିନ ହେଲା କଳ୍ପନାଜଳ୍ପନା ଲାଗି ରହିଥିଲା । ପୁରୁଖାଙ୍କ ଠାରୁ ଆରମ୍ଭ କରି ନୂଆ ଯାଏ ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଏ ସମସ୍ତ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୪ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦଳ ଯୁବ ଚେହେରାଙ୍କୁ ମୁଖ୍ୟତଃ ଗୁରୁତ୍ୱ ଦେଇଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ୍ ପାତ୍ରଙ୍କୁ ରିପିଟ୍ କରାଯାଇଥିବାବେଳେ ସରପ୍ରାଇଜ୍ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶି । ସେହିପରି ଦଳର ମୁଖପାତ୍ର ସୁଲତା ଦେଓ ଏବଂ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ନୂଆମୁହଁ ଭାବେ ପ୍ରାର୍ଥୀ କରିଛି ବିଜେଡି ।
ବିଜେଡିର ପ୍ରାର୍ଥୀ ଘୋଷଣା ପରେ ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି । ହେଲେ ସେମାନେ ଦଳର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତେବେ ପ୍ରତିଥର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ପ୍ରାଇଜ୍ ଦେଇଥାନ୍ତି । ଅର୍ଥାତ୍ ଯାହା ନାଁ ଆଦୌ ରାଜ୍ୟସଭା ରେସ୍ରେ ନଥାଏ, ତାଙ୍କୁ ପ୍ରାର୍ଥୀ କରି ସେ ଚକ୍ମା ଦେଇଥାନ୍ତି । ଏଥର ମଧ୍ୟ ତାହା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାଁ ଆଦୌ ରାଜ୍ୟସଭା ଦୌଡ଼ରେ ନଥିଲା । ତାଙ୍କ ନାଁରେ କେଉଁଠି ବି ଆଲୋଚନା ହେଉନଥିଲା । ଦଳରେ ସେ କିଛି ଦିନ ତଳେ ଯୋଗଦାନ କରିଥିଲେ । ନିରଞ୍ଜନ ଆଦିବାସୀ ନେତା ଭାବେ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଚେହେରା । ପଶ୍ଚିମ ଓଡ଼ିଶାକୁ ସେ ପ୍ରତିନିଧିତ୍ୱ କରିବେ । ସୁବାସ ସିଂଙ୍କ ସ୍ଥାନରେ ଦଳ ତାଙ୍କୁ ରାଜ୍ୟସଭା ପଠାଇବ । ତେବେ ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ନାଁ ସୁପାରିସ୍ କରିଥିବା ନିରଞ୍ଜନ କହିଛନ୍ତି । ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଅଛନ୍ତି । ରାଜ୍ୟସଭା ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।
ସେହିପରି ସସ୍ମିତ୍ ପାତ୍ରଙ୍କୁ ଦଳ ପୁଣିଥରେ ରିପିଟ୍ କରିଛି । ଦ୍ୱିତୀୟ ପାଳିରେ ସେ ରାଜ୍ୟସଭାକୁ ଯିବେ । ଏହାପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ । ତାଙ୍କ ନାଁକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ବିଜେଡିର ଜଣେ ଯୁବ ଚେହେରା ସହ ସେ ରାଜ୍ୟସଭାରେ ତାଙ୍କର ଉକ୍ରର୍ଷତା ପ୍ରତିପାଦନ କରିଥିଲେ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ରାଜ୍ୟସଭାରେ ସେ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ । ତେଣୁ ତାଙ୍କ ଉପରେ ନବୀନ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି । ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ସେ ଆହୁରି ଶାଣିତ କରିବେ ବୋଲି ପ୍ରକାଶ କରିଛନ୍ତି ।
ରାଜ୍ୟସଭା ପାଇଁ ବିଜେଡି ଏଥର ମହିଳା କାର୍ଡ଼ ବି ଖେଳିଛି । ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ୍ ଦେବା ହେଉ କିମ୍ବା ସରକାରଙ୍କ ସଫଳତା ସମ୍ପର୍କରେ ଯୁକ୍ତି ବାଢ଼ିବାରେ ସେ ବେଶ୍ ସିଦ୍ଧହସ୍ତ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତି ଆକ୍ରମଣ କରୁଥିଲେ । ଦଳ ପ୍ରତି ତାଙ୍କର ଆନୁଗତ୍ୟ ମଧ୍ୟ ରହିଛି । ଏସବୁକୁ ବିଚାର କରି ଦଳ ତାଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି । ତେବେ ସୁଲତାଙ୍କ ନାଁ ଘୋଷଣା ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବେ । ଓଡ଼ିଶାର ବିକାଶ ପାଇଁ ଲଢ଼େଇ ଜାରି ରହିବ ।
ରାଜ୍ୟସଭା ପାଇଁ ଆଉଜଣେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ଦଳ । ସେ ହେଲେ ମାନସ ରଞ୍ଜନ ମଙ୍ଗରାଜ । ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ସହ ସେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି । ତାଙ୍କ ନେତୃତ୍ୱରେ ଗଣମାଧ୍ୟମଗୁଡ଼ିକରେ ମଧ୍ୟରେ ସମନ୍ୱୟ ଆସିପାରିଛି । ସାମ୍ବାଦିକତା ଜଗତରୁ ଆସିଥିବା ଶ୍ରୀ ମଙ୍ଗରାଜ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଅଧିକ ଶାଣିତ କରିବେ । ମାନସ ମଙ୍ଗରାଜ ରାଜ୍ୟସଭା ଯିବା ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିଲା । ପ୍ରାର୍ଥୀ ଘୋଷଣା ପରେ ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ରାଜ୍ୟର ସମସ୍ୟାକୁ ସଠିକ୍ ଭାବେ ଉପସ୍ଥାପନ କରିବେ ।
ସୂଚନାଯୋଗ୍ୟ, ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଟକର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ରାଜ୍ୟସଭା ପଦ ଛାଡ଼ିଥିଲେ । ଏଣୁ ତିନିଟି ଆସନରେ ନିର୍ବାଚନ ସହ ଗୋଟିଏ ଆସନରେ ଉପନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ତେବେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡି ୪ଟି ଯାକ ଆସନ ହାତେଇବ । ତେଣୁ ବିଜେଡିର ୪ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ । ତିନି ଆସନ ଲାଗି ୩୧ ସୁଦ୍ଧା ନାମାଙ୍କନ ଦାଖଲ ଅବଧି ରହିଥିବାବେଳେ ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ୨ ସୁଦ୍ଧା ନାମାଙ୍କନ ଦାଖଲ କରିହେବ । ଆବଶ୍ୟକ ହେଲେ ଜୁନ୍ ୧ଠ ଏବଂ ୧୩ ତାରିଖରେ ନିର୍ବାଚନ ହେବ ।