୪୨ରୁ ୩୯ ଚକର ନିର୍ମାଣ ଶେଷ
ପୁରୀ (ବୁ୍ୟରୋ): ଆସନ୍ତା ୧୪ରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମାଙ୍କ ସମେତ ସମସ୍ତ ସେବକ । ଯେତିକି ସମୟ ପାଖେଇ ଆସୁଛି ସେତିକି ଜୋର୍ରେ ଚଳଚଞ୍ଚଳ ହେଉଛି ରଥଖଳା । ଫଳରେ ସେବକମାନେ ଦିନରାତି ଏକକରି ମହାପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।
ଶ୍ରୀଜିଉଙ୍କ ପରମ୍ପରା ଅନୁଯାୟୀ ସ୍ନାନପୂର୍ଣ୍ଣିମା ଦିନ ତିନିରଥର ଚାରିନାହାକା ଡେରା ପରମ୍ପରା ରହିଛି । ତେଣୁ କିପରି ସେହି ସମୟ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେମାନେ ଲକ୍ଷ୍ୟ ରଖିଛନ୍ତି କାରିଗର । ରବିବାର ସନ୍ଧ୍ୟା ସୁଦ୍ଧା ମହାରଣାମାନେ ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟିର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ତତ୍ସହିତ ଦଣ୍ଡା ଓ ଚାରିନାହାକା ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେଥିପାଇଁ ରଥଖଳାରେ ଆବଶ୍ୟକ କାଠ ମହଜୁଦ୍ ଅଛି । ସେହିପରି ତିନି ରଥର ଚାରିନାହାକା କାର୍ଯ୍ୟ ଜାରି ରହିଛି । ତତ୍ସହିତ ୩ ରଥର ୨ଟି ଲେଖାଏଁ ଗରଗରା କାର୍ଯ୍ୟ ମଧ୍ୟ ଜାରି ରହିଛି ।
ଅନ୍ୟପକ୍ଷରେ ଦୋଳବେଦୀରେ କରତି ସେବକଙ୍କ ଦ୍ୱାରା ଗୟଳ ଚିରଟ କାର୍ଯ୍ୟ ସହିତ ରୂପକାର ସେବକମାନେ ତିନିରଥର କୋଣଗୁଜ ଗୁଡ଼ିକରେ ରୁପା ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଦୋଳବେଦୀକୋଣ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ୨୨ଟି ବିଡ଼ିଆ କଣ୍ଟା, ୩୨ଟି ଯୋଖା କଣ୍ଟା ଓ ଦଣ୍ଡାକାମ ପାଇଁ ଆଗପାତେଳି ଓ ଚଉରଶ କଣ୍ଟା ନିର୍ମାଣ ଜାରି ରହିଛି ।