ଆକାଉଣ୍ଟରୁ ଲୁଟିନେଲେ ୧.ଠ୨ ଲକ୍ଷ
ଅନୁଗୋଳ (ଆପ୍ର): ପୁଣି ମାତିଲେ ସାଇବର ଠକ । କିଛି ଦିନର ବ୍ୟବଧାନ ପରେ ଅନୁଗୋଳ ଜିଲ୍ଲାରୁ ପୁଣି ସାଇବର ଠକେଇ ସାମ୍ନାକୁ ଆସିଛି । ଅନ୍ଲାଇନ୍ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଆଠମଲ୍ଲିକ ଥାନା ଇଲାକାର ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ୍ର ସିପିପିକୁ ବନ୍ଦ କରିବା ଆଳରେ ଅଦୃଶ୍ୟ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ପୁଲିସ୍ ସୂଚନା ମୁତାବକ, ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଏ. ସାହୁ । ତାଙ୍କ ଘର ଆଠମଲ୍ଲିକ ଥାନା ତିତିଗାଁରେ । ଗତ ୨୬ ତାରିଖରେ ତାଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଆକ୍ସିସ୍ ବ୍ୟାଙ୍କ୍ର ଗ୍ରାହକ ସେବା କେନ୍ଦ୍ରରୁ ଫୋନ୍ କରିଥିବା କହିଥିଲା । ତୁମ କ୍ରେଡିଟ୍ କାର୍ଡର ସିପିପି (କାର୍ଡ୍ ପ୍ରୋଟେକସନ୍ ପ୍ଲାନ୍) ସକ୍ରିୟ ହୋଇଛି । ଏଥିପାଇଁ ତୁମ ଆକାଉଣ୍ଟରୁ ୨୪୯୯ ଟଙ୍କା କଟିବ ବୋଲି ସାଇବର ଠକ କହିଥିଲା । ଯଦି ଏହାକୁ ବନ୍ଦ କରିବାକୁ ଚାହୁଁଛ, ତେବେ ବ୍ୟାଙ୍କ ତଥ୍ୟ ଦିଅନ୍ତୁ । ସାଇବର ଠକ କଥାରେ ଭାସିଯାଇ ଶ୍ରୀ ସାହୁ ଠକ ମାଗିଥିବା ସମସ୍ତ ବ୍ୟାଙ୍କ ତଥ୍ୟ ଦେଇଥିଲେ । କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଏକାଧିକ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨ ହଜାର ଟଙ୍କା ଲୁଟ୍ ହୋଇଥିଲା । ଠକାମିରେ ପଡ଼ିଥିବା ଜାଣିବା ପରେ ସେ ଏନେଇ ଆଠମଲ୍ଳିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ କେସ୍ (ନଂ୧୧୯/୨୨)ରୁଜୁ କରି ତଦନ୍ତ ଚଳାଇଛି ।