ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା

ସୁରକ୍ଷା ପ୍ରତ୍ୟାହାର ହେବାର ଦିନକ ପରେ…
ଚଣ୍ଡୀଗଡ଼(ଏଜେନ୍ସି): ପ୍ରଖ୍ୟାତ ପଞ୍ଜାବୀ କଣ୍ଠଶିଳ୍ପୀ ତଥା ଯୁବ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ଓରଫ୍ ଶୁଭଦୀପ ସିଂହ ସିଦ୍ଧୁଙ୍କୁ ରବିବାର ଦିନ ଗୁଳିକରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ତାଙ୍କର ଅନ୍ୟ ୨ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁଠୁ ବଡ଼ କଥା ହେଉଛି, ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଦିନକ ପରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଛି ଯାହାକୁ ନେଇ ଏବେ ପଞ୍ଜାବ ସରକାରଙ୍କ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇର ସହଯୋଗୀ ତଥା କାନାଡାରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବରାଡ୍ ନିଜକୁ ଦାୟୀ କରିଛି । ସେହିପରି ଦିନକ ପୂର୍ବେ ସୁରକ୍ଷାକର୍ମୀ ପ୍ରତ୍ୟାହାର ପ୍ରସଙ୍ଗରେ ସିଦ୍ଧୁ ମୁସେୱାଲା ନିଜ ଓକିଲ ସହ ଆଲୋଚନା କରିଥିବା ଜାଣିବାକୁ ମିଳିଛି ।
ପ୍ରାପ୍ତ ସୂଚନାନୁସାରେ ରବିବାର ଦିନ ମୁସେୱାଲା ନିଜର ୨ ସୁରକ୍ଷାକର୍ମୀଙ୍କ ସହ ମାନସା ଜିଲ୍ଲା ଅନ୍ତର୍ଗତ ନିଜ ପୈତୃକ ଗ୍ରାମ ଜବାହରକେ ଅଭିମୁଖେ ଯାଉଥିବାବେଳେ ଏକ କଳାରଙ୍ଗର ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଗୁଳିକାଣ୍ଡରେ ମୁସେୱାଲାଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଯାଇଛି । ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆକ୍ରମଣ ସମୟରେ ସିଦ୍ଧୁ ନିଜେ ଗାଡ଼ି ଚଳାଉଥିଲେ ଏବଂ ଦୁଇ ସୁରକ୍ଷାକର୍ମୀଙ୍କୁ ପଛରେ ବସିବାକୁ କହିଥିଲେ । ଘର ଠାରୁ ମାତ୍ର ୫ କିମି ଦୂର ଯାଇଥିବା ବେଳେ ତାଙ୍କ ଉପରେ ଅଭିଯୁକ୍ତମାନେ ଏକେ-୪୭ ଦ୍ୱାରା ଆକ୍ରମଣ କରିଥିଲେ । ପ୍ରକାଶ, ଗତବର୍ଷ ନଭେମ୍ବରରେ ସିଦ୍ଧୁ ମୁସେୱାଲା କଂଗ୍ରେସରେ ଯୋଗଦେଇଥିଲେ । କଂଗ୍ରେସ ଟିକେଟରେ ସେ ମାନସା ଆସନରୁ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ ମାତ୍ର ଆମ୍ ଆଦ୍ମୀ ପାର୍ଟିର ଡକ୍ଟର ବିଜୟ ସିଙ୍ଗଲାଙ୍କ ଠାରୁ ସେ ପରାଜିତ ହୋଇଥିଲେ । ପ୍ରକାଶ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନିଦେ୍ର୍ଦଶକ୍ରମେ ଦିନକ ପୂର୍ବେ ପଞ୍ଜାବ ସରକାର ରାଜ୍ୟର ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିଲେ । ଏମାନଙ୍କ ମଧ୍ୟରୁ ସିଦ୍ଧୁ ମୁସେୱାଲା ମଧ୍ୟ ଅନ୍ୟତମ ଥିଲେ । ତେବେ ସୁରକ୍ଷା ପୂର୍ବରୁ ତାଙ୍କ ପାଖରେ ୧ଠ/୧୨ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ରହୁଥିବା ବେଳେ ସୁରକ୍ଷା ପ୍ରତ୍ୟାହାର ପରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ୨କୁ ହ୍ରାସ କରିଦିଆଯାଇଥିଲା । ଏହାର ଦିନକ ପରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ତେବେ ଏସବୁ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସୁଛି । ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବା ପଛରେ ବିକ୍କି ମିଡ୍ଡୁଖେଡାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ରହିଥିବା ଅନୁମାନ କରାଯାଉଛି । ବିକ୍କି ମିଡ୍ଡୁଖେଡା, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ପ୍ରମୁଖ ସହଯୋଗୀ ଥିବା ବେଳେ ସିଦ୍ଧୁ ମୁସେୱାଲାଙ୍କ ପୂର୍ବତନ ମ୍ୟାନେଜର ତାକୁ ଗୁଳି କରି ହତ୍ୟା କରିଥିଲା । ତେବେ ବିକ୍କିକୁ ହତ୍ୟା କରିବା ପରେ ସେ ଅଷ୍ଟ୍ରେଲିଆ ଫେରାର ହୋଇଯାଇଥିଲା । କିନ୍ତୁ ସିଦ୍ଧୁ ମୁସେୱାଲା ନିଜ ମ୍ୟାନେଜର ସମ୍ପର୍କରେ ଲରେନ୍ସକୁ କୌଣସି ସୂଚନା ଦେଇନଥିଲେ । ଏହାକୁ ନେଇ ଦୀର୍ଘଦିନରୁ ଲରେନ୍ସ ସିଦ୍ଧୁଙ୍କ ପ୍ରତି ପ୍ରତିଶୋଧପରାୟଣ ରହିଥିଲା । ଏସବୁକୁ ଦୃଷ୍ଟିରେ ରଖି ମାନସା ଏସଏସ୍ପି ଗୌରବ ତୁରା କହିଛନ୍ତି ଯେ, ଏହି ଘଟଣା ପଛରେ ଗ୍ୟାଙ୍ଗୱାର ରହିଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, କଂଗ୍ରେସରେ ସାମିଲ ହେବା ପରେ ପରେ ସିଦ୍ଧୁ ମୁସେୱାଲା ନିୟମିତ ଭାବେ ଆପ୍କୁ ଟାର୍ଗେଟ୍ କରିିଆସୁଥିଲେ । ନିଜ ଗୀତଗୁଡ଼ିକରେ ସେ ବନ୍ଧୁକ ସଂସ୍କୃତିର ଛାପ ରଖୁଥିବା ଦେଖିବାକୁ ମିଳୁଥିଲା । ତେବେ ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ବିଜେପି, କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସିଦ୍ଧୁ ମୁସେୱାଲାଙ୍କ ମୃତୁ୍ୟରେ ରାହୁଲ ଗାନ୍ଧୀ ଦୁଃଖ ବ୍ୟକ୍ତ କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପ୍ରତିଶ୍ରୁତି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *