ବହୁ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ
ଆଇଏଏସ୍ ଶିକ୍ଷାନବୀଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର
ଭୁବନେଶ୍ୱର (ବୁ୍ୟରୋ): ତୁମେମାନେ ତୁମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛ । ଯୁବ ଅଧିକାରୀଙ୍କ ପାଖରୁ ଦେଶ ବହୁତ କିଛି ଆଶା ରଖୁଛି । ଗର୍ବର ସହ ଦେଶର ସେବା କରିବା ଏବଂ ଚାକିରୀରେ ଉକ୍ରର୍ଷ ହାସଲ ପାଇଁ ଭାରତୀୟ ଗଣତନ୍ତ୍ରର ପ୍ରାଣପ୍ରତିଷ୍ଠାତାମାନଙ୍କ ଆଦର୍ଶ ଏବଂ ସ୍ୱପ୍ନକୁ ଅନୁସରଣ କରନ୍ତୁ । ସିଭିଲ୍ ସର୍ଭିସ ଶିକ୍ଷାନବୀଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଏଭଳି ପରାମର୍ଶ ଦେଇ ଉତ୍ସାହିତ କରିଛନ୍ତି ।
ଏଲ୍ବିଏସ୍ଏନ୍ଏଏର ଯୁଗ୍ମ ନିଦେ୍ର୍ଦଶକ ରାଧିକା ରାସ୍ତୋଗୀଙ୍କ ନେତୃତ୍ୱରେ ଓଡ଼ିଶାକୁ ୪ ଦିନିଆ ଷ୍ଟଡି ଟୁର୍ରେ ଆସିଛନ୍ତି ୧୮୧ ଆଇଏଏସ୍ ଶିକ୍ଷାନବୀଶ ଏବଂ ରୟାଲ ଭୁଟାନ୍ ସିଭିଲ୍ ସର୍ଭିସ୍ର ୨ ଶିକ୍ଷାନବୀଶ । ମସୁରୀ ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ପକ୍ଷରୁ ଆୟୋଜିତ ଭାରତ ଦର୍ଶମ କାର୍ଯ୍ୟକ୍ରମର ଏକ ଅଂଶସ୍ୱରୂପ ସେମାନେ ଓଡ଼ିଶା ଆସିଛନ୍ତି । ଏହି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ପ୍ରଶାସନର ୫-ଟିର ରୂପାନ୍ତରଣ ମଡେଲ୍ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ବହୁ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି । ଟାନ୍ସପରେନ୍ସି, ଟିମ୍ୱାର୍କ, ଟେକ୍ନୋଲୋଜି ଏବଂ ଟାଇମ୍କୁ ଗୁରୁତ୍ୱ ଦେଇ ଆମେ ଏକ ରୂପାନ୍ତରୀକରଣ ପ୍ରଶାସନ ମଡେଲ୍ ଗ୍ରହଣ କରିଛୁ । ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡ଼ା, ଶିଳ୍ପାୟନ ବିକାଶ, ଖଣି, ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ, ସଡ଼କ ବିକାଶ ଆଦି ବହୁ କ୍ଷେତ୍ରରେ ଆମେ ରୂପାନ୍ତରୀକରଣ ପଦକ୍ଷେପ ନେଇଛୁ ।
ଦିନ ଥିଲା ଓଡ଼ିଶା ବାତ୍ୟା ଭଳି ବିପର୍ଯ୍ୟୟ ଏବଂ ଗରିବୀ ପାଇଁ ପରିଚିତ ଥିଲା । ହେଲେ ଆଜି ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ରୋଲ୍ ମଡେଲ୍ର ମାନ୍ୟତା ଆମେ ପାଇଛୁ । ଆମେ ଏକ ଖାଦ୍ୟ ବଳକା ରାଜ୍ୟ ହୋଇପାରିଛୁ । ଗତ ଦଶନ୍ଧିରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି । ଗରିବୀରେ ମଧ୍ୟ ଦ୍ରୁତ ହ୍ରାସ ହୋଇପାରିଛି ।
ମିଶନ୍ ଶକ୍ତି ଅଧୀନରେ ୬ଠ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବାରେ ସେମାନେ ଭାଗିଦାର ହୋଇଛନ୍ତି । ‘କାଳିଆ’ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ଚାଷୀମାନଙ୍କ ଆକାଉଣ୍ଟ୍କୁ ସିଧାସଳଖ ସହାୟତା ଟଙ୍କା ପଠାଇବାରେ ସମର୍ଥ ହୋଇଛୁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆମର ନାଗରିକଙ୍କୁ ସ୍ୱାସ୍ଥ୍ୟ ଆସୁ୍ୟରାନ୍ସ ଦେଇଛୁ । ୫-ଟି କାର୍ଯ୍ୟକ୍ରମରେ ହାଇସ୍କୁଲ୍ ରୂପାନ୍ତରଣ ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଆଣିବ । ସେହିପରି ଦେଶର ପ୍ରଥମ ସହର ଭାବେ ପୁରୀରେ ଡି୍ରଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ଉପଲବ୍ଧ ହୋଇଛି । ଅନ୍ୟ ସହରରେ ବି ଏହି ମିଶନ୍ ଏବେ ଆରମ୍ଭ ହେବାକୁ ଯାଉଛି ।
ଏହି ରହଣୀକାଳରେ ବିଭିନ୍ନ ପ୍ରକଳ୍ପ ବିଷୟରେ ଶିକ୍ଷାନବୀଶମାନେ ଜାଣିବାକୁ ପାଇବେ ଏବଂ ଏହି ସୁନ୍ଦର ରାଜ୍ୟର ଅଭୁଲା ସ୍ମୃତି ନେଇ ଘରକୁ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ରାଧିକା ରାସ୍ତୋଗୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ଏବଂ ରାଜ୍ୟର ସାମୁଦ୍ରିକ ଗୌରବ ବଖାଣୁଥିବା ଏକ ସ୍ମୃତିଫଳକ ପ୍ରଦାନ କରିଥିଲେ । ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ମୃତିଫଳକ ପ୍ରଦାନ କରିଥିଲେ । ରୂପାନ୍ତରୀକରଣ ପ୍ରଶାସନ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦ୍ରୁତ ବିକାଶଶୀଳ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି କହିବା ସହ କୋଭିଡ୍ ପରିଚାଳନାରେ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ରାଧିକା ରାସ୍ତୋଗୀ, ଛତିଶଗଡ଼ କ୍ୟାଡରର ଶିକ୍ଷାନବୀଶ ଜୟନ୍ତ ଉଦ୍ବୋଧନ ରଖିଥିଲେ । ଗୋପବନ୍ଧୁ ଏକାଡେମୀ ଡିଜି ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଧନ୍ୟବାଦ ଦେଇଥିଲେ । ଏହାପରେ ଶିକ୍ଷାନବୀଶମାନେ କୋଣାର୍କ ଏବଂ ପୁରୀ ଯାତ୍ରା କରିଥିଲେ । ଏହି ଅଧିକାରୀମାନେ ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର ଆଦି ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।