ଆଗକୁ ଅଧିକ ସୁପର୍ ସାଇକ୍ଲୋନ୍!
ବ୍ରିଟିଶ ଗବେଷକଙ୍କ ଆକଳନ
ଲଣ୍ଡନ, ୨୮ା୫: ଜଳବାୟୁ ପରିବର୍ତ୍ତନ କାରଣରୁ ଉଷ୍ଣକଟିବନ୍ଧୀୟ ବାତ୍ୟା (ଟ୍ରପିକାଲ୍ ଷ୍ଟର୍ମ)ର ସବୁଠାରୁ ତୀବ୍ର ରୂପ ମହାବାତ୍ୟା (ସୁପର ସାଇକ୍ଲୋନ୍) ଭବିଷ୍ୟତରେ ଭାରତ ପାଇଁ ବହୁତ ଘାତକ ହେବ ଏବଂ ଅଧିକରୁ ଅଧିକ ମହାବାତ୍ୟା ସୃଷ୍ଟି ହେବ । ଏପରି ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନ୍ର ଏକ ଗବେଷକ ଦଳ । ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଏହି ଗବେଷକମାନେ କହିଛନ୍ତି ଦକ୍ଷିଣ ଏସିଆରେ ୨୦୨୦ରେ ଆସିଥିବା ସୁପର ସାଇକ୍ଲୋନ୍ ଅମ୍ଫାନ୍ ସର୍ବାଧିକ ଧ୍ୱଂସଲୀଳା ରଚିଥିଲା । ଅମ୍ଫାନ୍ର ଗତିବିଧି ବିଶ୍ଳେଷଣ କରି ଗବେଷକମାନେ କହିଛନ୍ତି, ବିଶ୍ୱ ତାପନ (ଗ୍ଲୋବାଲ୍ ୱାର୍ମିଂ) କାରଣରୁ ସମୁଦ୍ରର ଜଳସ୍ତର ବଢ଼ୁଛି । ଏହିଭଳି ବିଭିନ୍ନ ପରିସ୍ଥିତିରେ ଭବିଷ୍ୟତରେ ଅଧିକରୁ ଅଧିକ ମହାବାତ୍ୟା ଆସିପାରେ ।
ବି୍ରଟିଶ ଗବେଷକଙ୍କ ଏହି ଅଧ୍ୟୟନ ରିପୋର୍ଟ କ୍ଲାଇମେଟ୍ ରେଜିଲିୟନ୍ସ ଆଣ୍ଡ୍ ସଷ୍ଟେନେବିଲିଟି ପ୍ରତି୍ରକାରେ ପ୍ରକାଶ ପାଇଛି । ସେଥିରେ କୁହାଯାଇଛି ଯଦି ବର୍ତ୍ତମାନ ଭଳି ଗ୍ରୀନ୍ହାଉସ୍ ଗ୍ୟାସ୍ ଉସôର୍ଜନ ଜାରି ରହେ, ୨୦୨୦ ତୁଳନାରେ ଭାରତର ଅଢ଼େଇଗୁଣ ଅଧିକ ଲୋକଙ୍କୁ ବନ୍ୟା ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ିବ ।
ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଜଳବାୟୁ ବିଜ୍ଞାନର ପ୍ରଫେସର ଡେନ୍ ମିଶେଲ୍ ଏହି ରିପୋର୍ଟର ପ୍ରମୁଖ ଲେଖକ । ପ୍ରଫେସର ମିଶେଲ୍ଙ୍କ ଟିମ୍ ଚଳିତ ଶତାବ୍ଦୀରେ ଆସିଥିବା ବାତ୍ୟାଗୁଡ଼ିକର ପ୍ରଭାବ ଜାଣିବା ପାଇଁ ଏକ ବିଶେଷ ଜଳବାୟୁ ମଡେଲର ପ୍ରୟୋଗ କରିଥିଲେ । ତାଙ୍କ ମତରେ ଜଳବାୟୁ ଦୃଷ୍ଟିରୁ ଦକ୍ଷିଣ ଏସିଆ ସବୁଠାରୁ ସମ୍ବେଦନଶୀଳ ଇଲାକା । ବିଭିନ୍ନ ସମୟରେ ମହାବାତ୍ୟାରେ ଏହି ଇଲାକାର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଦକ୍ଷିଣ ଏସିଆର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଖୁବ୍ କମ୍ ଗବେଷଣା କରାଯାଇଛି ।
ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲଜିରେ ହାଇଡ୍ରୋଲଜି ପ୍ରଫେସର ରୂପେ କାର୍ଯ୍ୟରତ ସୈଫୁଲ ଇସଲାମ୍ ବ୍ରିଷ୍ଟଲ୍ ଗବେଷକ ଗୋଷ୍ଠୀର ଅନ୍ୟତମ ସଦସ୍ୟ । ସେ କହିଛନ୍ତି ନିକଟରେ ଜାରି ହୋଇଥିବା ଆଇପିସିସି (ଇଣ୍ଟରଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ) ରିପୋର୍ଟରେ ମଧ୍ୟ ତାପମାତ୍ରା ବୃଦ୍ଧି ଯୋଗୁ ମହାବାତ୍ୟା ସଂଖ୍ୟା ବଢ଼ିବ ବୋଲି ଉଲ୍ଲେଖ କରାଯାଇଛି । ଯଦି ସବୁଜ ଗ୍ୟାସ ଉସôର୍ଜନ ବର୍ତ୍ତମାନ ଭଳି ଦ୍ରୁତ ବେଗରେ ବଢ଼ି ଚାଲେ, ଭାରତ ଓ ବାଂଲାଦେଶ ପ୍ରତି ଥିବା ମହାବାତ୍ୟା ଓ ବନ୍ୟା ବିପଦ ଆଶଙ୍କା ୨୦୦ ପ୍ରତିଶତ ବଢ଼ିଯିବ ।