ନୂଆ ରୂପରେ ପ୍ରଶାସନ

ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ୩ ବର୍ଷ
ଭୁବନେଶ୍ୱର,୨୮ା୫(ବୁ୍ୟରୋ): ଥାନା ହେଉ ଅବା କୌଣସି ସରକାରୀ କାର୍ଯ୍ୟାଳୟ । ସେବା ପାଇଁ ଆଉ ଦୌଡ଼ିବାକୁ ପଡ଼ୁନି ଅଫିସ୍ । ଘରେ ବସି ହାତପାଆନ୍ତାରେ ମିଳୁଛି ସେବା । ମନ୍ଦିର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ସବୁଠି ରୂପାନ୍ତରୀକରଣର ଛାପ । ସ୍ମାର୍ଟ ହେଲ୍ଥ କାର୍ଡ ଆଣିଛି ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନୂଆ ବିପ୍ଳବ । ଓଡ଼ିଶା ଏବେ କ୍ରୀଡ଼ାର ହବ୍ । ଦୁର୍ନୀତିଗ୍ରସ୍ତ ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ଏମିତି ଅନେକ କ୍ଷେତ୍ରରେ ବହୁ ସଫଳତା ସାଉଁଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର । ଏବେ ନବୀନଙ୍କ ପଞ୍ଚମ ପାଳିକୁ ତିନିବର୍ଷ ପୂରିଛି । ଆଗକୁ ରହିଛି ଅନେକ ଆହ୍ୱାନ ।
ପଞ୍ଚମ ପାଳିର ସରକାର ପାଇଁ ସବୁଠୁ ବଡ଼ ଆହ୍ୱାନ ଥିଲା, କରୋନା ମୁକାବିଲା । କାରଣ ସରକାର ଗଠନରେ ବର୍ଷେ ଭିତରେ କାୟା ମେଲାଇବା ଆରମ୍ଭ କରିଥିଲା ଏହି ଅଦୃଶ୍ୟ ଭୂତାଣୁ । ଏହାକୁ ସଫଳତାର ସହ ମୁକାବିଲା କରିବା ଏବଂ ଆଗୁଆ ପଦକ୍ଷେପ ନେଇ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ । କରୋନା କାଳରେ ବିକାଶରେ ଯେମିତି କୌଣସି ବାଧା ନ ଉପୁଜେ, ତା’ ଉପରେ ବି ଗୁରୁତ୍ୱ ଦିଆଗଲା । ଫଳସ୍ୱରୂପ ବିକାଶର ଗତିରେ ମହାମାରୀ ବାଧକ ସାଜିପାରିଲାନି । ଓଡ଼ିଶାର କରୋନା ମୁକାବିଲାକୁ ଦେଶ ଏବଂ ବିଦେଶରେ ବି ପ୍ରଶଂସା କରାଗଲା ।
ପ୍ରଶାସନକୁ ଅଧିକ ଲୋକପ୍ରିୟ ଏବଂ କ୍ରିୟାଶୀଳ କରିବା ଉଦେ୍ଦଶ୍ୟ ନେଇ ପଞ୍ଚମ ପାଳିରେ ସରକାର ୫-ଟି ଏବଂ ମୋ-ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯାହା ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇପାରିଛି । ଥାନା, ଡାକ୍ତରଖାନା ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଛି ବ୍ୟବହାରିକ ପରିବର୍ତ୍ତନ । ଲୋକଙ୍କ ଫିଡ୍ବ୍ୟାକ୍ ଆଧାରରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ଫିଡ୍ବ୍ୟାକ୍ ନେଉଛନ୍ତି । ଏପର୍ଯ୍ୟନ୍ତ ମୋ ସରକାରରେ ୩୧ଟି ବିଭାଗର ୨୫ଠ ସେବା ସାମିଲ୍ କରାଯାଇପାରିଛି । ପ୍ରଶାସନର ଉତ୍ତରଦାୟିତ୍ୱ ଓ ପ୍ରତିବଦ୍ଧତା ବଢ଼ିଛି । ସବୁକ୍ଷେତ୍ରରେ ଉପଲବ୍ଧି ହାସଲ ହୋଇପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କ୍ରୀଡ଼ା ଏବଂ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ପ୍ରମୁଖ ସଫଳତା ବୋଲି କୁହାଯାଇପାରେ । ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳକୁ ଆଶାତୀତ ସଫଳତା ମିଳିବା ପରେ ଲୋକଙ୍କ ଆସ୍ଥା ସରକାର ଉପରେ ଆହୁରି ମଜଭୁତ ହୋଇଛି ।
ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଘରେ ଘରେ ଟ୍ୟାପ୍ ଯୋଗେ ପହଞ୍ଚୁଛି ବିଶୁଦ୍ଧ ପାନୀୟ ଜଳ । ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେଇ ସରକାର ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ସରକାରୀ ସ୍କୁଲ୍ ଏବେ ଘରୋଇ ସ୍କୁଲ୍ର ଭ୍ରମ ସୃଷ୍ଟି କରୁଛି । ସ୍କୁଲ୍ରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେଉଛି । ସେହିପରି ମନ୍ଦିର ଏବଂ ଐତିହ୍ୟସ୍ଥଳର ବିକାଶକୁ ସରକାର ମିଶନ୍ ମୋଡ୍ରେ କାର୍ଯ୍ୟକାରୀ କରୁଛନ୍ତି । ନୂଆ ରୂପରେ ଝଲସୁଛି ତାରାତାରିଣୀ ପୀଠ । ସେହିପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର, କଟକ ଚଣ୍ଡୀ ମନ୍ଦିରର ରୂପାନ୍ତରୀକରଣ ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରି ଏହା ଉପରେ କାର୍ଯ୍ୟ କରୁଛନ୍ତି ।
ଜଳସେଚନ କ୍ଷେତ୍ରରେ ଅପର ଇନ୍ଦ୍ରାବତୀ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଶେଷ ହୋଇଥିବାବେଳେ ୨ଠ୨୪ ସୁଦ୍ଧା ଆଉ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକଙ୍କ ପାଇଁ ସହଜ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରର ୬୫ଟି ବଡ଼ ହସ୍ପିଟାଲ୍ ସହ ରାଜ୍ୟର ୩୨୮ଟି ହସ୍ପିଟାଲ ଓ ସମସ୍ତ ସରକାରୀ ହସ୍ପିଟାଲ୍ରେ ମାଗଣାରେ ମିଳୁଛି ଚିକିତ୍ସା ସୁବିଧା । କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କ ବଡ଼ ଉପଲବ୍ଧି ହେଲା କଳିଙ୍ଗ ଷ୍ଟାଡ଼ିୟମ୍ କମ୍ପ୍ଲେକ୍ସର ଦେଶର ପ୍ରଥମ ଆଥ୍ଲେଟିକ୍ ଇନ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ । ୧୨ଠ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ହେବାକୁ ଥିବାବେଳେ ଆହୁରି ୩ଠଠ କୋଟି ଟଙ୍କାରେ ଚାଲିଛି ଭିତ୍ତିଭୂମି ନିର୍ମାଣ । ୧ଠ ବର୍ଷ ପାଇଁ ରାଜ୍ୟ ସରକାର ଉଭୟ ପୁରୁଷ ଓ ମହିଳା ହକି ଟିମ୍ର ପ୍ରାୟୋଜକ ଥିବାବେଳେ ୨ଠ୨୩ ବିଶ୍ୱକପ୍ ପାଇଁ ରାଉରକେଲାରେ ନିର୍ମାଣ ହେଉଛି ଏସିଆର ସର୍ବବୃହତ୍ ହକି ଷ୍ଟାଡିୟମ୍ ।
ପଞ୍ଚମ ପାଳିରେ ଦୁର୍ନୀତିଖୋର୍ଙ୍କ ବିରୋଧରେ ଅଧିକ କଠୋର ହୋଇଛନ୍ତି ସରକାର । ଲୋକଙ୍କ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ହସ୍ତକ୍ଷେପ କରି ନେଉଛି ଆକ୍ସନ୍ । ଆଇଏଫ୍ଏସ୍ ଅଭୟ ପାଠକ ଓ ଆଇଏଏସ୍ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବାବେଳେ ବହୁ ବିଭାଗର ବଡ଼ ବାବୁଙ୍କ ଉପରେ ପଡ଼ିଛି ୫-ଟି ଛାଟ । ଏପର୍ଯ୍ୟନ୍ତ ୧୬୪ରୁ ଅଧିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *