ଜାପାନକୁ ହରାଇଲା ଭାରତ
ଜାକର୍ତ୍ତା, ୨୮ା୫ (ଏଜେନ୍ସି): ଭାରତୀୟ ପୁରୁଷ ହକି ଟିମ୍ ଶନିବାର ଏସିଆ କପ୍ ସୁପର୍-୪ ପର୍ଯ୍ୟାୟରେ ନିଜ ପ୍ର୍ରଥମ ମ୍ୟାଚ୍ରେ ଦୁଇଟି ଚମକ୍ପ୍ରଦ ଫିଲ୍ଡ ଗୋଲ୍ ବଳରେ ଜାପାନକୁ ୨-୧ରେ ପରାସ୍ତ କରିଛି । ଏଥିସହିତ ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍ ଜାପାନ ଠାରୁ ପୁଲ୍ ପରାଜୟର ପ୍ରତିଶୋଧ ବି ନେଇଛି । ଭାରତର ମନଜିତ୍ ମ୍ୟାଚ୍ର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅନ୍ୟପଟେ, ଦକ୍ଷିଣ କୋରିଆ ଓ ମାଲେସିଆ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିଥିଲା ।
ଭାରତ ନିଜ ପରବର୍ତ୍ତୀ ସୁପର୍-୪ ମ୍ୟାଚ୍ରେ ରବିବାର ମାଲେସିଆକୁ ଭେଟିବ । ସୁପର୍-୪ ପର୍ଯ୍ୟାୟରେ ଭାରତ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଟିମ୍ ପରସ୍ପର ବିପକ୍ଷରେ ଥରେ ଲେଖାଏଁ ଖେଳିବେ ଏବଂ ଶୀର୍ଷ ଦୁଇ ଟିମ୍ ଫାଇନାଲ୍ରେ ପ୍ରବେଶ କରିବେ ।
ପୁଲ୍ ପର୍ଯର୍୍ୟାୟରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ, ଜାପାନ ଠାରୁ ୨-୫ରେ ହାରି ଯାଇଥିଲା । କିନ୍ତୁ ସୁପର୍-୪ ମ୍ୟାଚ୍ରେ ଭାରତ ମନଜିତ୍ (୮ମ ମିନିଟ୍) ଓ ରାଜଭର (୩୫ତମ) ଆଖିଦୃଶିଆ ଗୋଲ୍ ସହାୟତାରେ ସ୍ୱଳ୍ପ ବ୍ୟବଧାନରେ ବାଜିମାତ୍ କରିଥିଲା । ଜାପାନ ପକ୍ଷରୁ ତାକୁମା ନିୱାସ (୧୮ତମ) ପେନାଲ୍ଟି କର୍ଣ୍ଣର ଜରିଆରେ ଏକମାତ୍ର ଗୋଲ୍ ସ୍କୋର୍ କରିିଥିଲେ ।
ଜାପାନ ପ୍ରଥମରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରଥମ ମିନିଟ୍ରେହିଁ ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଭାରତୀୟ ଖେଳାଳି ଏହି ବିପଦକୁ ଏଡ଼ାଇ ଦେଇଥିଲେ । ତେବେ ମ୍ୟାଚ୍ ଆଗକୁ ବଢ଼ିବା ସହିତ ଭାରତୀୟ ଟିମ୍ ପ୍ରାଧାନ୍ୟ ବିସ୍ତାର କରିଥିଲା ।
ମନଜିତ୍ ଅଷ୍ଟମ ମିନିଟ୍ରେ ଭାରତକୁ ଅଗ୍ରଣୀ ଦେଇଥିଲେ । ପବନ ରାଜଭରଙ୍କ ଠାରୁ ପାସ୍ ପାଇଥିବା ମନଜିତ୍ ଚମକ୍ପ୍ରଦ ଢଙ୍ଗରେ ପ୍ରତିପକ୍ଷ ଗୋଲ୍କିପର୍ଙ୍କୁ ଚକମା ଦେଇ ଗୋଲ୍ କରିଥିଲେ । ଏହାର ପାଞ୍ଚ ମିନିଟ୍ ପରେ ମନିନ୍ଦର ସିଂହ ଏକ ପିସି ପାଇଥିଲେ, ହେଲେ ନୀଲମ ସଞ୍ଜୀପ ଖେସ୍ଙ୍କ ପ୍ରୟାସକୁ ଜାପାନୀ ରକ୍ଷଣପନ୍ଥୀ ବିଫଳ କରି ଦେଇଥିଲେ ।
ପ୍ରଥମ କ୍ୱାର୍ଟରରେ ଗୋଲ୍ ଖାଇବା ପରେ ଦ୍ୱିତୀୟ କ୍ୱାର୍ଟରରେ ଜାପାନୀ ଖେଳାଳି ପ୍ରତିବଦ୍ଧତାର ସହ ଖେଳିଥିଲେ ଏବଂ ୧୮ତମ ମିନିଟ୍ରେ ଏକ ପିସି ଜିତିଥିଲା । କେନ୍ ନାଗାୟୋଶୀଙ୍କ ଫ୍ଲିକ୍କୁ ଭାରତୀୟ ଗୋଲ୍କିପର୍ କେର୍କେରା ଅଟକାଇବା ପରେ ତାକୁମା ରିବାଉଣ୍ଡରୁ ସ୍କୋର୍ କରିଥିଲେ । ସ୍କୋର୍ ବରାବର ସ୍ଥିତିକୁ ଆସିବା ପରେ ଜାପାନ ଭାରତୀୟ ରକ୍ଷଣପନ୍ଥୀ ଉପରେ ଚାପ ପ୍ରୟୋଗ କରିବା ଜାରି ରଖିଥିଲା ଏବଂ ଆଉ ଦୁଇଟି ପିସି ଅର୍ଜନ କରିଥିଲା, ହେଲେ ଭାରତୀୟ ରକ୍ଷଣପନ୍ଥୀ ଏହାକୁ ବିଫଳ କରି ଦେଇଥିଲା ।
ଏହାର କିଛି ସମୟ ପରେ କାର୍ତ୍ତି ସେଲ୍ଭମ୍ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ । ୱାନ୍-ୱାନ୍ ସ୍ଥିତିରେ କାର୍ତ୍ତିି ଜାପାନୀ ଗୋଲୀ ୟୋଶିକାୱାଙ୍କୁ ଅତିକ୍ରମ କରିପାରି ନ ଥିଲେ । ମଧ୍ୟାନ୍ତର ସୁଦ୍ଧା ଏହି ସ୍କୋର୍ ୧-୧ ଥିଲା ।
ଦ୍ୱିତୀୟାର୍ଦ୍ଧର ପଞ୍ଚମ ମିନିଟ୍ରେ ରାଜଭର ଭାରତକୁ ଅଗ୍ରଣୀ କରିଥିଲେ । ଉତ୍ତମ ସିଂହଙ୍କ ସୁନ୍ଦର ଷ୍ଟିକ୍ ୱାର୍କ ଦ୍ୱାରା ସେଟ୍ କରାଯାଇଥିବା ସୁଯୋଗରେ ରାଜଭର ପୋଷ୍ଟ ନିକଟରୁ ସ୍କୋର୍ କରିଥିଲେ । ଏହାର ପାଞ୍ଚ ମିନିଟ୍ ପରେ ଜାପାନ ଆଉ ଏକ ପିସି ପାଇଥିଲେହେଁ ତାହା କାମରେ ଆସି ନ ଥିଲା ।
ଜାପାନ ଗୋଲ୍ ପରିଶୋଧ ପାଇଁ ଯେତେ ଚାପ ପକାଇଥିଲେ ମଧ୍ୟ ପ୍ରାଚୀର ଭଳି ଛିଡ଼ା ହୋଇଥିବା ବୀରେନ୍ଦ୍ରଙ୍କ ନେତୃତ୍ୱାଧୀନ ବ୍ୟାକ୍ଲାଇନ୍କୁ ଅତିକ୍ରମ କରିବାକୁ ସମର୍ଥ ହୋଇ ନ ଥିଲା । ଫାଇନାଲ୍ ହୁଟର୍କୁ ମାତ୍ର ତିନି ମିନିଟ୍ ବାକି ଥିବା ବେଳେ ଜାପାନ ଏକ ପିସି ପାଇଥିଲା, କିନ୍ତୁ ତାହା ବି ନିଷ୍ଫଳ ହୋଇଥିଲା ଏବଂ ଭାରତ ଗୋଟିଏ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା ।