ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର
ଗଞ୍ଜାମ (ଆପ୍ର): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର । ଉଚ୍ଚ ଲହଡ଼ି ମାଡ଼ରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ଅବକ୍ଷୟ ହେବାରେ ଲାଗିଛି । ପାଳିବନ୍ଧ ପଞ୍ଚାୟତର ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ାମପେଟା ଗ୍ରାମରେ ଗୋଟିଏ ପରେ ଗୋଟିଏ ଘର ସମୁଦ୍ରର ଆଁ ମଧ୍ୟରେ ହଜିଯାଉଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମର ୯୯ପ୍ରତିଶତ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରିଛି । ହେଲେ ଗୃହ ଯୋଜନାରୁ ବାଦ୍ ପଡ଼ିଥିବା ଉକ୍ତ ଗ୍ରାମରେ ରହିଯାଇଛନ୍ତି ୬ ପରିବାର । ଭୟ ଓ ଆତଙ୍କିତ ଅବସ୍ଥାରେ ଉକ୍ତ ଗ୍ରାମରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଜେ.ସୁକାନ୍ତି, ଏଲ୍. ଭୀମା ଦରା, ଏଲ୍. ଆଶିଷ, ସିଏଚ୍ ତ୍ରିନାଥ, ଏଲ୍. ଶ୍ରୀରାମ, ବି.ବାବାଜୀ ପ୍ରମୁଖ ୬ ପରିବାର । ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ନିଜ ଆଖି ସମ୍ମୁଖରେ ଗୋଟିଏ ପରେ ଗୋଟିଏ ପକ୍କା ଘର ତାସ ପଡ଼ିଲା ପରି ଜୁଆରରେ ଭୁଷୁଡ଼ି ପଡ଼ିବାରେ ଲାଗିଛି ସମୁଦ୍ର ଗର୍ଭରେ ।
ସାମୁଦ୍ରିକ ଝଡ଼ ଅସାନୀ ଅଧିକ ଭୟଙ୍କର ରୂପ ରଚିଲା । ଉକ୍ତ ସମୟରେ ଗ୍ରାମରେ ରହିଥିବା ଗୋଟାକ ପରେ ଗୋଟିଏ ପକ୍କା ଘର ସାଙ୍ଗକୁ ଅଧିକ ମାତ୍ରାରେ ହେନ୍ତାଳ ବଣ ଅବକ୍ଷୟ ହୋଇ ସମୁଦ୍ର ବେଳାଭୂମିରେ ଭୌଗୋଳିକ ପରିବର୍ତ୍ତନ ଘଟୁଛି । ସୂଚନାଯୋଗ୍ୟ, ପୋଡ଼ାମପେଟା ଗ୍ରାମଟି ପ୍ରତି ବିପଦ ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦୁମୁନାଗିରି ପାହାଡ଼ ପାଦଦେଶରେ ୨୦୧୩ ମସିହାରେ ସିଦ୍ଧାର୍ଥ ନଗରରେ ୧୦୨ ପରିବାରକୁ ଥଇଥାନ କରିଛି । କିଛିବର୍ଷ ହେଲା ଓଡ଼ିଆର୍ପି କଲୋନୀରେ ୩୭୦ ପରିବାରକୁ ଥଇଥାନ କରାଯାଇଛି । ଉକ୍ତ ୬ ପରିବାରକୁ ସ୍ଥାନୀୟ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଗୃହ ଯୋଗାଇଦେଇ ଥଇଥାନ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।