‘ପ୍ରକଳ୍ପ କାମକୁ କେହି ରୋକିପାରିବେନି’
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଶୁକ୍ରବାର ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଶନିବାର ମୁହଁ ଖୋଲିଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ ପିନାକୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ସଠିକ୍ ଭାବେ ବୁଝି ସାରିଲେଣି । ଆଗାମୀ ଦିନରେ ପୁରୀବାସୀ ଏହାର ଜବାବ ଦେବେ । ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ବା ବ୍ୟକ୍ତିବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକିପାରିବନି । ଏପରିକି ସେ ବିରୋଧୀଙ୍କୁ ସିଧାସଳଖ ଟାଗେର୍ଟ କରି କହିଛନ୍ତି, ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ । ମାତ୍ର ତାହା ଶୀଘ୍ର ଶେଷ ହେବ ।
ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଇଚ୍ଛା । ସେ କାମ ନିଶ୍ଚିତ ପୂରଣ ହେବ । ବିରୋଧୀ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେ ନାହିଁ । ବିରୋଧୀଙ୍କ କାମ ହେଲା ବିରୋଧ କରିବା । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଯାତାପାର୍ଟି ରାଜନୀତି ମନ୍ତବ୍ୟର ଜବାବ ଦେବାକୁ ଚାହୁଁନି । ଏନେଇ ମାମଲା ମଧ୍ୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ରହିଛି । ଆଇନ ଅନୁସାରେ କାମ ହେଉଛି କି ନାହିଁ କୋର୍ଟ ନିଷ୍ପତ୍ତି ନେବେ । ଯାହା ନିଷ୍ପତ୍ତି ଆସିବ ସମସ୍ତେ ମାନିବା ଉଚିତ୍ । କାମ ଦିନରାତି ଚାଲିଛି । କାମ ଉପରେ ରୋକଠୋକ୍ ନାହିଁ । ମହାପ୍ରଭୁ ଓ ପୁରୀବାସୀଙ୍କ ଇଚ୍ଛା ଶୀଘ୍ର କାମ ସରୁ । ସେହି ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ବୋଲି ପିନାକୀ କହିଛନ୍ତି ।