ଆଜି ଆଇପିଏଲ୍ ମୁକୁଟ ଲଢ଼େଇ

ଅହମଦାବାଦ, ୨୮ା୫ (ଏଜେନ୍ସି): ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆଇପିଏଲ୍ ପଞ୍ଚଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଚମକ୍ପ୍ରଦ ଫର୍ମରେ ଥିବା ନବାଗତ ଗୁଜରାଟ ଟିମ୍ ନିଜ ପ୍ରଥମ ଫାଇନାଲ୍ରେ ମୁକୁଟ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସୁତରାଂ, ଆଇପିଏଲ୍ ଏଥର ନୂଆ ବିଜେତା ପାଇପାରେ । ଅନ୍ୟପଟେ, ୧୪ ବର୍ଷ ପରେ ଫାଇନାଲ୍ରେ ସ୍ଥାନ ପାଇଥିବା ରାଜସ୍ଥାନ ପାଖରେ ଦ୍ୱିତୀୟ ଥର ମୁକୁଟ ଜିତିବାର ସୁଯୋଗ ରହିବ ।
ଏହି ମ୍ୟାଚ୍ରୁ ନାୟକ ବି ବାହାରିବେ, ହୃହୟ ବି ଭାଙ୍ଗିବ ଓ କୀର୍ତ୍ତିମାନ ବି ସ୍ଥାପନ ହେବ; ତେବେ ଏହି ମ୍ୟାଚ୍ ଏଭଳି ହେବ ଯାହା କ୍ରିକେଟ୍ପ୍ରେମୀମାନଙ୍କୁ ଅନେକ ଦିନ ଧରି ମନେ ରହିବ । ଦୁଇ ମାସ ପୂର୍ବରୁ ଯେତେବେଳେ ଆଇପିଏଲ୍ର ପଞ୍ଚଦଶ ସିଜନ୍ ଆରମ୍ଭ ହୋଇଥିଲା, ସେତେବେଳେ କେହି ଭାବି ନ ଥିବେ ଯେ ଫାଇନାଲ୍ର ଟସ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମ୍ସନ୍ ମଇଦାନକୁ ଓହ୍ଲାଇବେ । ନିଜ କ୍ୟାରିଅରରେ ଅନେକ ଉତ୍ଥାନ-ପତନ ଦେଖିସାରିଥିବା ହାର୍ଦ୍ଦିକ ଓ ମୁଖ୍ୟ କୋଚ୍ ଆଶିଷ ନେହରାଙ୍କ ପାଇଁ ଦୁଇ ମାସର ଏହି ଯାତ୍ରା ସ୍ୱପ୍ନିଳ ରହିଆସିଛି । ନିଲାମୀ ପରେ ଏହି ଟିମ୍କୁ ନ ପରଖି ଦୌଡ଼ରୁ ବାହାରେ ଥିବାର ମାନିନେଇଥିବା କ୍ରିକେଟ୍ ପଣ୍ଡିତଙ୍କ ଠାରୁ ନେଇ ସମାଲୋଚକମାନଙ୍କ ଯାଏଁ ସମସ୍ତଙ୍କୁ ଟାଇଟନ୍ସ ନିଜ ପ୍ରଦର୍ଶନରେ ଜବାବ ଦେଇଥିଲା । ଲିଗ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିବା ଗୁଜରାଟ ଟିମ୍ ପ୍ରଥମ କ୍ୱାଲିଫାୟରରେ ରାଜସ୍ଥାନକୁ ସବୁ ବିଭାଗରେ ବିଫଳ କରି ଫାଇନାଲ୍ ଟିକେଟ୍ କାଟିଥିଲା । ଏବେ ପୁଣି ଥରେ ଉଭୟ ଟିମ୍ ମୁହାଁମୁହିଁ ହେବେ ଏବଂ ରାଜସ୍ଥାନ ନିଜ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *