ସୁରକ୍ଷିତ ରହିବ ସରକାରୀ ତଥ୍ୟ

ସାଇବର ସିକୁ୍ୟରିଟି ଅପରେସନ୍ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୨୭ା୫(ବୁ୍ୟରୋ): ଓକାକ୍ ଠାରେ ସାଇବର ସିକୁ୍ୟରିଟି ଅପରେସନ୍ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହା ରାଜ୍ୟର ଡାଟା, ଆପ୍ଲିକେସନ୍ ଏବଂ ଆଇସିଟି ଇନ୍ଫ୍ରାଷ୍ଟ୍ରକ୍ଚରକୁ ଚୋରିରୁ ସୁରକ୍ଷା ଦେବ ।
ରାଜ୍ୟ ସରକାରଙ୍କ ୫-ଟିର ପ୍ରମୁଖ ଉପାଦାନ ହେଉଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା । ପ୍ରଯୁକ୍ତିବିଦ୍ୟା ଦ୍ୱାରା ରାଜ୍ୟର ଅନେକ ପ୍ରକଳ୍ପ ସ୍ୱୟଂଚାଳିତ ହୋଇପାରିଛି । ଏହି ସ୍ୱୟଂଚାଳିତ ପ୍ରକଳ୍ପର ତଥ୍ୟଗୁଡ଼ିକୁ ଅନଧିକୃତ ଭାବେ ବାହ୍ୟ ହସ୍ତକ୍ଷେପରୁ ସୁରକ୍ଷିତ ରଖିବା ପାଇଁ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର (ସିଏସ୍ଓସି) କାର୍ଯ୍ୟକ୍ଷମ କରାଯାଇଛି । ଏହି ପ୍ରତିଷ୍ଠାନର ପରିକଳ୍ପନା ଏବଂ ପରିଚାଳନା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ର ମିଳିତ ଉଦ୍ୟମରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଷ୍ଟେଟ୍ ଡାଟା ସେଣ୍ଟର, ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ୱର୍କ ଏବଂ ସଚିବାଳୟ ନେଟ୍ୱର୍କର ସମସ୍ତ ଗତିବିଧିକୁ ସାଇବର ସିକୁ୍ୟରିଟି ଅପରେସନ୍ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି । ଏହି ସ୍ୱୟଂସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ୱାରା ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।
ସାଇବର ସିକୁ୍ୟରିଟି ଅପରେସନ୍ ସେଣ୍ଟର ଦ୍ୱାରା ଡାଟା ସୁରକ୍ଷା ସମ୍ବନ୍ଧୀୟ ଲଗ୍ ସଂଗ୍ରହ କରାଯାଇ ତାହା ସଠିକ୍ ବିଶ୍ଲେଷଣ କରାଯିବ । ବିପଦପୂର୍ଣ୍ଣ ଆଇପିଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ୱାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ରାଜ୍ୟର ସମସ୍ତ ୱେବ୍ସାଇଟ୍ ସୁରକ୍ଷା ସମ୍ବନ୍ଧୀୟ ବିପଦଗୁଡ଼ିକର ସଠିକ୍ ଆକଳନ କରାଯିବ । ହ୍ୟାକରଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ
ଏବଂ ୱେବ୍ସାଇଟ୍ ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଶାବଳୀ ଆଦି ଉପଲବ୍ଧ କରାଯିବ ।
ଯେହେତୁ ଏହା ଏକ ସ୍ୱୟଂସମ୍ପୂର୍ଣ୍ଣ ଭିତ୍ତିଭୂମି । ଭବିଷ୍ୟତରେ ଏଥିରେ ଅନେକଗୁଡ଼ିଏ ସୂଚନା ପ୍ରଯୁକ୍ତି ପ୍ରକଳ୍ପ ଏକୀଭୂତ ହୋଇପାରିବ । ଏହାର କିଛି ବୈଶିଷ୍ଟ୍ୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ଗୁଣ ଯଥା-ବଗ୍ ବାଉଣ୍ଟି, ସମ୍ଭାବ୍ୟ ବିପତ୍ତିର ସମୟ ଉପଯୋଗୀ ସୂଚନା, ସ୍ୱୟଂସମ୍ପୂର୍ଣ୍ଣ ମାନର ଭିତ୍ତିଭୂମି ଆଦି ସାଇବର ସିକୁ୍ୟରିଟି ଅପରେସନ୍ ସେଣ୍ଟରକୁ ସମଗ୍ର ଦେଶରେ ସରକାରୀ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ । ୬ ମାସର ସମୟରେ ଏହି ସୁବିଧା ପ୍ରତିଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ ଏବଂ ଆଇଟି ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *