୨ ଦିନରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର,୨୭ା୫(ବୁ୍ୟରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ ଦିନ ମଧ୍ୟରେ କେରଳ ଛୁଇଁପାରେ । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କିଛି ସପ୍ତାହ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ପ୍ରଭାବ କାରଣରୁ ମେ’ ୨୭ରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଅନୁମାନ କରିଥିଲା । ତେବେ ଏଥିରେ ୪ ଦିନର ମଡେଲ ଜନିତ ତ୍ରୁଟି ରହିଥିଲା ।
ନୂଆ ସୂଚନା ଅନୁସାରେ ଦକ୍ଷିଣ ଆରବ ସାଗରର ତଳସ୍ତରରେ ପବନ ଜାରି ରହିଛି । ସାଟେଲାଇଟ୍ ଚିତ୍ର ଅନୁସାରେ କେରଳ ଏବଂ ଏହାସହ ସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ବାଦଲ ଢାଙ୍କି ରଖିଛି । ତେଣୁ ଆଗାମୀ ଦୁଇରୁ ତିନି ଦିନ ଭିତରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହେବା ନେଇ ପୂର୍ବାନୁମାନ କରାଯାଉଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନେକ ସମୟ ପୂର୍ବରୁ ମେ’ ୧୬ରେ ଆଣ୍ଡାମାନ ନିକୋବର ଦ୍ୱୀପ ଛୁଇଁଥିଲା । ତେବେ ବାତ୍ୟା ପ୍ରଭାବ ଯୋଗୁ ଆଗକୁ ବଢିପାରିନଥିଲା । ଆଉ ୨/୩ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଛି ।
ମୌସୁମୀ ସମ୍ଭବତଃ ଆସନ୍ତା ୨୯ କିମ୍ବା ୩୦ ସୁଦ୍ଧା କେରଳ ଛୁଇଁବ । ଦକ୍ଷିଣ-ପୂର୍ବ ଆରବ ସାଗର ଓ କେରଳ ଉପକୂଳରେ ବାଦଲ ଘନୀଭୂତ ହୋଇଛି । ରାଜ୍ୟର ଅର୍ଦ୍ଧାଧିକ କ୍ଷେତ୍ରରେ ବର୍ଷା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ପରେ ହିଁ ଏହା କେବେ ଓଡ଼ିଶା ଛୁଇଁବ ତାହାର ସ୍ପଷ୍ଟ ସୂଚନା ମିଳିପାରିବ । ଏବେ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଅଧିକ ବାଦଲ ଘନୀଭୂତ ହେଉଥିବା ବେଳେ ବଙ୍ଗୋପସାଗର ଉପରେ ବାଦଲ ସୃଷ୍ଟି ହେଉନି । ଏଠାରେ ମୌସୁମୀ ଉପକୂଳ ପାଣିପାଗ ସୃଷ୍ଟି ହୋଇନି । ତେଣୁ ଏବେ ମୌସୁମୀ କେରଳ ଛୁଇଁବାକୁ ଅପେକ୍ଷା କରାଯାଇଛି । ମୌସୁମୀର ଆଗମନକୁ ଓଡ଼ିଶାର ଚାଷୀକୁଳ ଅପେକ୍ଷା କରି ରହିଥିବା ବେଳେ ଏହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରୁ ନ ଥିବାରୁ ସେମାନେ ନିରାଶ ହୋଇଯାଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଏବେ କାଳବୈଶାଖୀ ଜନିତ ବର୍ଷା ନଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡ଼ିଶାରେ ମେ’ ୨୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୋ÷ଦ୍ର ତାପ ସୃଷ୍ଟି ହେବା ସହ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସରୁ ୪୭ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଉପକୂଳ ଅଞ୍ଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିପାରେ । ତେବେ ଜୁନ୍ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୋ÷ସୁମୀର ପ୍ରବେଶ ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି ।