୭ ଯବାନ ସହିଦ
ନଦୀକୁ ଖସିପଡ଼ିଲା ସେନା ବସ୍
ଜମ୍ମୁ, ୨୭ା୫: ଲଦାଖର ତୁରତୁକ ସେକ୍ଟରରେ ଶୁକ୍ରବାର ସେନାର ଏକ ବସ୍ ୯୦ ଫୁଟ୍ ତଳକୁ ଶ୍ୟୋକ ନଦୀରେ ଖସିପଡିବାରୁ ୭ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୧୯ ଯବାନ ଗୁରୁତରଭାବେ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚଣ୍ଡିଗଡ ମିଲିଟାରୀ ହସ୍ପିଟାଲକୁ ଏୟାର୍ ଲିଫ୍ଟ୍ କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ୨୬ ଜଣ ଯବାନ ବସ୍ ଯୋଗେ ପରତାପୁର ଟ୍ରାଞ୍ଜିଟ୍ କ୍ୟାମ୍ପ୍ରୁ ସବ୍ ସେକ୍ଟର ହନିଫ୍ ଅଭିମୁଖେ ଯାଉଥିବାବେଳେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଦୁର୍ଘଟଣା ଘଟିଥିଲା । ୯୦ ଫୁଟ୍ ତଳକୁ ଖସି ବସ୍ଟି ଶ୍ୟୋକ ନଦୀ ଗର୍ଭରେ ପଡିଥିଲା । ଯବାନମାନଙ୍କ ଚିକ୍ରାର ଶୁଣି ଆଖପାଖର ଲୋକମାନେ ପୁଲିସ୍କୁ ଖବର ଦେଇଥିଲେ । ପରେ ପରେ ଆରମ୍ଭ ହୋଇଥିଲା ରେସ୍କୁ୍ୟ ଅପରେସନ୍ । ୭ ଜଣ ଯବାନ ଦୁର୍ଘଟଣାସ୍ଥଳରେହିଁ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ପ୍ରଥମେ ପରତାପୁର ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଚଣ୍ଡିଗଡ ପଠାଇ ଦିଆଗଲା । ସହିଦ ଓ ଆହତ ଯବାନମାନଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏମାନେ ସେନାର ସର୍ଜିକାଲ ଟିମ୍ ସଦସ୍ୟ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।