ଲିଙ୍ଗ ନିରୂପଣ କ୍ଲିନିକ୍ ରେଡ୍, ୧୩ ଗିରଫ
ବ୍ରହ୍ମପୁର, ୨୭ା୫(ବୁ୍ୟରୋ): ବ୍ରହ୍ମପୁର ସହରରେ ବର୍ଷ ବର୍ଷ ଧରି ବେଆଇନ ଭାବେ କ୍ଲିନିକ୍୍ ଓ ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲି ଭୃଣର ଲିଙ୍ଗ ନିରୂପଣ ସହ ଗର୍ଭବତୀଙ୍କଠାରୁ ଟଙ୍କା ନେଇ ବେଆଇନ ଭାବେ କନ୍ୟାଭୃଣ ହତ୍ୟା କରାଯାଉତବବା ଅଭିଯୋଗ ହୋଇଆସୁଛି । ହେଲେ ବ୍ରହ୍ମପୁର ପୁଲିସ କନ୍ୟାଭୃଣ ହତ୍ୟା ର୍ୟାକେଟ୍ର କିଙ୍ଗ୍ପିନ୍ ସହ ୧୩ ଜଣିଆ ଟିମ୍କୁ ଗିରଫ କରି ବଡ଼ ସଫଳତା ହାସଲ କରିଛି । ସବୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଏଭଳି ବେଆଇନ କାମ ଚାଲିଥିବା କ୍ଲିନିକ୍କୁ ସିଲ୍ କରାଯାଇଥିବା ନେଇ ବ୍ରହ୍ମପୁର ଏସ୍ପି ଡ଼ା. ଶ୍ରବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ବୈଦ୍ୟନାଥପୁର ଥାନା ଆଙ୍କୁଲି ଆନନ୍ଦନଗରରେ ପ୍ରାୟ ୩ ବର୍ଷ ହେଲା ଏ ଧରଣର ବେଆଇନ କ୍ଲିନିକ୍ ଚାଲିଥିଲା । କ୍ଲିନିକ୍ ମାଲିକ ନିଜ ସମ୍ପର୍କୀୟଙ୍କୁ ଦଲାଲ ଭାବେ ନିୟାଜିତ କରି ବେଆଇନ କାର୍ଯ୍ୟକଳାପ ଚଳାଇଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍ପିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ କ୍ଲିନିକ୍ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି । ଆଙ୍କୁଲି ଆନନ୍ଦ ନଗରରେ ରହୁଥିବା ଦୁର୍ଗା ତା’ ଶଢ଼ୁ କୁକୁଡ଼ାଖଣ୍ଡି କରଣ ସାହିର ହରି ମୋହନ ଦଳାଇ (୪୨) ଓ ଶଳା ଆଙ୍କୁଲି ନିଗମ ନଗର ପଞ୍ଚମ ଲେନ୍ର ଅକ୍ଷୟ ଦଳାଇ (୨୪)ଙ୍କୁ ଏଥିରେ ନିୟୋଜିତ କରି ର୍ୟାକେଟ୍ ଚଳାଉଥିଲା । ଜିଲ୍ଲା ଓ ଜିଲ୍ଲାବାହାରର ବିଭିନ୍ନ କ୍ଲିନିକ୍ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସହ ଦୁର୍ଗା ଯୋଗସୂତ୍ର ରକ୍ଷା କରି ବେଆଇନ ଭାବେ ଲିଙ୍ଗ ନିରୂପଣ କରୁଥିଲା । ଗିରଫଙ୍କ ମଧ୍ୟରେ କ୍ଲିନିକ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଅନ୍ତର୍ଭୁକ୍ତ । ଗ୍ରାମାଞ୍ଚଳରୁ ମହିଳାମାନେ ବ୍ରହ୍ମପୁର ସହରର ବିଭିନ୍ନ ନର୍ସିଂହୋମ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥାନ୍ତି । ସେଠାରେ ଗର୍ଭବତୀଙ୍କୁ ପ୍ରଲୋଭିତ କରି କର୍ମଚାରୀମାନେ ଦୁର୍ଗା ନିକଟକୁ ଲିଙ୍ଗ ନିରୂପଣ ପାଇଁ ଆଣୁଥିଲେ । ଖଲ୍ଲିକୋଟ ସିଏଚ୍ସିରେ କାର୍ଯ୍ୟରତ ଆଶା ରୀନା ପ୍ରଧାନ ମଧ୍ୟ ବହୁ ଗର୍ଭବତୀଙ୍କୁ ଏଠାରୁ ଆଣି ଅଲଟ୍ରାସାଉଣ୍ଡ କରି ଲିଙ୍ଗ ନିରୂପଣ କରିଥିବା ଅଭିଯୋଗ ହୋଇଛି । ଲିଙ୍ଗ ନିରୂପଣ ପାଇଁ ପ୍ରତ୍ୟେକଙ୍କଠାରୁ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା । ମଧ୍ୟସ୍ଥି ଓ ଦଲାଲଙ୍କୁ ମୋଟାଅଙ୍କର କମିଶନ ମଧ୍ୟ ମିଳୁଥିଲା ।
ଦଲାଲଙ୍କ ଜରିଆରେ ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ ଗର୍ଭବତୀମାନେ ପହଞ୍ଚôବା ପରେ ଅକ୍ଷୟଙ୍କ ସହ ଯୋଗାଯୋଗ କଲେ ସେ ଜ୍ୱାଇଁ ହରିର ଅଟୋ ଯୋଗେ ଆଙ୍କୁଲିରେ ଥିବା କ୍ଲିନିକକୁ ପଠାଉଥିଲେ । ସେଠାରେ ଦୁର୍ଗା ଗର୍ଭବତୀଙ୍କ ଅଲ୍ଟ୍ରାସାଉଣ୍ଡ କରି ଲିଙ୍ଗ ନିରୂପଣ କରୁଥିôଲା । ଗର୍ଭ ନଷ୍ଟ ପାଇଁ ମଧ୍ୟ ସେ ମୋଟା ଅଙ୍କର ଅର୍ଥ ନେଉଥିଲା । ଚଢ଼ାଉ ସମୟରେ ୧୧ଜଣ ଗର୍ଭବତୀ ଥିବା ଏସ୍ପି ଦେଖିବାକୁ ପାଇଥିଲେ । ସେମାନଙ୍କ ସମ୍ପର୍କୀୟ ଓ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଦୁର୍ଗା ବ୍ୟତିତ ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଶଳା ଅକ୍ଷୟ, ଶଢ଼ୁ ହରିମୋହନ, ଆଶା କର୍ମୀ ରୀନା ପ୍ରଧାନ (୪୦), ଭାବାନଗର ଚତୁର୍ଥ ଲେନ୍ସ୍ଥ ଦୁର୍ଗା ପାଥୋଲୋଜିର ମାଲିକ ରବିନ୍ଦ୍ର ନାଥ ଶତପଥୀ (୩୯), ନିର୍ଣ୍ଣୟ ଡ଼ାଏଗୋନେଷ୍ଟିକ୍ ସେଣ୍ଟରର କାଳି ଚରଣ ବିଷୋୟୀ (୩୮), କୋର୍ଟପେଟା ଛକ ସାଇକୃପା ସେବା ସଦନର ସୁଶାନ୍ତ କୁମାର ନନ୍ଦ (୪୦), ଜଗନ୍ନାଥ କ୍ଲିିନିକ୍ର ପଦ୍ମଚରଣ ଭୂୟାଁ (୬୦), ନୂଆବସ୍ଷ୍ଟାଣ୍ଡ ରୋଡ଼ ଯଶୋଦା ନର୍ସିଂ ହୋମ୍ର ଶିବରାମ ପ୍ରଧାନ (୩୭), ମୃତୁ୍ୟଞ୍ଜୟ ହସ୍ପିଟାଲର ସୁମନ୍ତ କୁମାର ପ୍ରଧାନ (୩୦), ମହୁଡ଼ା ଫାର୍ମାସି କଲେଜର ଧବଳେଶ୍ୱର ନାୟକ (୫୧), ନୂଆବସ୍ଷ୍ଟାଣ୍ଡ ସମ୍ରାଟ ହସ୍ପିଟାଲର ନିଦେ୍ର୍ଦଶିକା ଏମ୍. ସୁଜାତା (୪୯) । ସେମାନଙ୍କଠାରୁ ଏକ ଅଲଟ୍ରାସାଉଣ୍ଡ ମେସିନ, ନୂଆ ପ୍ୟାକିଂ ଥିବା ଆଉଏକ ଅଲଟ୍ରାସାଉଣ୍ଡ ମେସିନ, ଜେଲ୍, ୧୮ହଜାର ୨ଶହ ଟଙ୍କା, ଏକ ମୋବାଇଲ ଫୋନ ଜବତ କରାଯାଇଛି । ସମସ୍ତଙ୍କ ବିରୋଧରେ ବୈଦ୍ୟନାଥପୁର ଥାନା କେସ୍ ନଂ ୧୬୪/୨୨ରେ ଆଇପିସିର ଦଫା ୪୧୯/୪୨୦/୩୧୩/୩୪ ଏବଂ ୧୨୦(ବି) ସହିତ ପ୍ରାକ୍ ଗର୍ଭବସ୍ଥା ଓ ଲିଙ୍ଗ ନିରୂପଣ (ପିସିଏଣ୍ଡପିଏନ୍ଟିଡ଼ି) ଆଇନ ୧୯୯୪ ଧାରା ୨୩ ଓ ୨୫ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାର ମଧ୍ୟ ଖୋଳତାଡ଼ କରାଯାଉଥିବା ଏସ୍ପି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ, ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।