୧୪ ବର୍ଷ ପରେ ଫାଇନାଲ୍ରେ ରାଜସ୍ଥାନ
ଆଇପିଏଲ୍ ୨୦୨୨ । ଦ୍ୱିତୀୟ କ୍ୱାଲିଫାୟର
ଅହମଦାବାଦ, ୨୭ା୫ (ଏଜେନ୍ସି): ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟର୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟ୍ରେ ହରାଇ ୧୪ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଛି । ରାଜସ୍ଥାନ ପକ୍ଷରୁ ଜୋସ୍ ବଟ୍ଲର୍ ୬୦ ବଲ୍ରୁ ୧୦୬ ରନ୍ର ଅପରାଜିତ ଇନିଂସ୍ ଖେଳିଛନ୍ତି । ରବିବାର ହେବାକୁ ଥିବା ଫାଇନାଲ୍ ମୁକାବିଲାରେ ରାଜସ୍ଥାନ ଟିମ୍ ଗୁଜରାଟ ଟାଇଟନ୍ସକୁ ଭେଟିବ । ଅନ୍ୟପଟେ ଆର୍ସିବିର ଚାମ୍ପିଅନ୍ ହେବାର ସ୍ୱପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି ।
କୋହଲି ଫ୍ଲପ୍
ଟସ୍ ଜିତି ଫିଲ୍ଡିଂ ନେଇଥିଲା ରାଜସ୍ଥାନ ରୟାଲ୍ସ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଟିମ୍ର ଓପନିଂ ଯୋଡ଼ି ସଅଳ ଭାଙ୍ଗିଥିଲା । ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଓଭର୍୍ରେ ୮ ବଲ୍ରୁ ୭ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ୱିକେଟ୍ ପ୍ରସିଦ୍ଧ କ୍ରିଷ୍ଣଙ୍କୁ ଖାତାକୁ ଯାଇଥିଲା । ଏହା ପୂର୍ବରୁ ଲକ୍ଷ୍ନୌ ବିପକ୍ଷ ଟର୍ମିନେଟର୍ ମ୍ୟାଚ୍ରେ ବି ସେ କିଛି ଖାସ୍ କମାଲ୍ କରି ପାରି ନ ଥିଲେ ।
ପଟିଦାରଙ୍କ ଅର୍ଦ୍ଧଶତକ
ଏହାପରେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ରଜତ ପଟିଦାର । ପୂର୍ବ ମ୍ୟାଚ୍ରେ ଧୂଆଁଦାର ଶତକୀୟ ଇନିଂସ୍ ଖେଳିଥିବା ପଟିଦାର ୧୪ ରନ୍ କରିଥିବା ବେଳେ ପଏଣ୍ଟରେ ଥିବା ରିୟାନ୍ ପରାଗ ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ । ପ୍ରସିଦ୍ଧ ଏହି ଓଭର୍ ବୋଲିଂ କରୁଥିଲେ । ଏହି ଜୀବନଦାନ ପରେ ପଟିଦାର କ୍ରିଜ୍ରେ ଜମି ଯାଇଥିଲେ । ତାଙ୍କ ବ୍ୟାଟିଂ ଦେଖି କମେଣ୍ଟ୍ରୀ କରୁଥିବା ପୂର୍ବତନ ଖେଳାଳିମାନେ ତାଙ୍କୁ ଫୁ୍ୟଚର ଷ୍ଟାର୍ ଭାବେ ଅଭିହିତ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ୍ର ଭାଗୀଦାରୀ ହୋଇଥିଲା ।
ଅଧିନାୟକ ଡୁ ପ୍ଲେସିସ୍ଙ୍କ ଠାରୁ ଏଥର ବଡ଼ ଇନିଂସ୍ ଆଶା କରାଯାଉଥିଲା, କିନ୍ତୁ ଏଥର ବି ତାଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା । ସେ ୨୭ ବଲ୍ରୁ ୨୫ ରନ୍ କରି ଓବେଦ ମ୍ୟାକ୍କୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ନୂଆ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ସହ ମିଶି ପଟିଦାର ଇନିଂସ୍କୁ ୧୦୦ ପାରି କରାଇଥିଲେ । ଇତ୍ୟବସରେ ପଟିଦାର ୪୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ନିରାଶ କଲା ମଧ୍ୟକ୍ରମ
ମ୍ୟାକ୍ସୱେଲ୍ ୧୩ ବଲ୍ରୁ ୨୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ । ପଟିଦାର ବି ଆଉ ବେଶୀ ବାଟ ଯାଇ ପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୮ (୪୨ ବଲ୍ରୁ) ରନ୍ରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଜାଲରେ ପଡ଼ିଥିଲା । ତାଙ୍କ ଇନିଂସ୍ରେ ୪ ଚୌକା ଓ ୩ ଛକା ରହିଥିଲା ।
ଏହାପରେ ଟିମ୍ରେ ସଙ୍କଟ ମାଡ଼ି ଆସିଥିଲା । ମଧ୍ୟକ୍ରମ ବ୍ୟାଟର୍ ନିରାଶ କରିଥିଲେ । ଶେଷ ୫ ଓଭର୍ରେ ଟିମ୍ ମାତ୍ର ୩୪ ରନ୍ କରିଥିଲା ଏବଂ ୫ ୱିକେଟ୍ ହରାଇଥିଲା । ମହିପାଲ ଲୋମରର୍ (୮) ଓ ଦିନେଶ କାର୍ତ୍ତିକ (୬) ଉଭୟ ଦୁଇ ଅଙ୍କ ଛୁଇଁ ନ ପାରି ଯଥାକ୍ରମେ ମ୍ୟାକ୍କୟ ଓ ପ୍ରସିଦ୍ଧଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପ୍ରସିଦ୍ଧ, ହସରଙ୍ଗା ଡି’ ସିଲ୍ଭାଙ୍କୁ ବିନା ସ୍କୋର୍ରେ ଆଉଟ୍ କରିଥିଲେ । ହର୍ଷଲ ପଟେଲ୍ ୧ ରନ୍ କରି ମ୍ୟାକ୍କୟଙ୍କ ତୃତୀୟ ଶିକାର ହୋଇଥିଲେ ।
ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଶାହବାଜ ନଦୀମ ୧୨ ଓ ଜୋଶ୍ ହାଜଲ୍ଉଡ୍ ୧ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ପ୍ରସିଦ୍ଧ ଓ ମ୍ୟାକ୍କୟ ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବୋଲ୍ଟ ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ଚହଲ କୌଣସି ୱିକେଟ୍ ପାଇ ନ ଥିଲେ ଏବଂ ସର୍ବାଧିକ ୪୫ ରନ୍ ଦେଇଥିଲେ ।
ବଟ୍ଲର୍ଙ୍କ ଧୂଆଁଦାର ବ୍ୟାଟିଂ
୧୫୮ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ଟିମ୍ ୧୮.୧ ଓଭର୍ରେ ୩ ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ୍ ଓ ଜୋସ୍ ବଟ୍ଲର୍ ଇନିଂସ୍ ଓପନ୍ କରିଥିଲେ । ଉଭୟ କିଛି ସମୟ ମଧ୍ୟରେ କ୍ରିଜ୍ରେ ଆସ୍ଥାନ ଜମାଇଥିଲେ । ଓପନିଂ ୱିକେଟ୍ ଯୋଡ଼ିରେ ୬୧ ରନ୍ ହୋଇଥିଲା । ଯଶସ୍ୱୀ ୨୧ ରନ୍ କରି ହାଜଲ୍ଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଅନ୍ୟପଟେ, ବଟ୍ଲର୍ ଧୂଆଁଦାର ବ୍ୟାଟିଂ ଜାରି ରଖିଥିଲେ । ସେ ଅଧିନାୟକ ସଞ୍ଜୁ ସାମ୍ସନ୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ୧୦ ଓଭର୍ରେ ସ୍କୋର୍ ୧୦୦ ଅତିକ୍ରମ କରିଥିଲା । ବଟ୍ଲର୍ ୨୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ସାମ୍ସନ୍ ୨୩ ରନ୍ କରି ହସରଙ୍ଗାଙ୍କ ବଲ୍ରେ ଓ ଦେବଦତ୍ତ ପଡିକଲ୍ ୯ ରନ୍ କରି ହାଜଲ୍ଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବଟ୍ଲର୍ଙ୍କ ପ୍ରୟାସରେହିଁ ଟିମ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।