ହିନ୍ଦୀ ଉପନ୍ୟାସ ‘ରେତ ସମାଧି’କୁ ବୁକର୍

ନୂଆଦିଲ୍ଲୀ, ୨୭ା୫: ଲେଖିକା ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ରେତ ସମାଧି’ର ଅନୂଦିତ ଇଂରାଜୀ ସଂସ୍କରଣ ‘ଟମ୍ବ୍ ଅଫ୍ ସ୍ୟାଣ୍ଡ୍’କୁ ଆନ୍ତର୍ଜାତିକ ବୁକର ପୁରସ୍କାର ମିଳିଛି । ମୂଳ ହିନ୍ଦୀ ଉପନ୍ୟାସର ଇଂରାଜୀ ଅନୁବାଦ କରିଛନ୍ତି ଡେଜୀ ରକ୍ୱେଲ୍ । ବୁକର ପୁରସ୍କାର ପାଇଁ ମୋଟ୍ ୧୩ଟି ବହି ସୂଚୀବଦ୍ଧ ହୋଇଥିଲା ।ବୁକର ପ୍ରାଇଜ୍ ପାଇବାରେ ଟମ୍ବ୍ ଅଫ୍ ସ୍ୟାଣ୍ଡ୍ ପ୍ରଥମ ହିନ୍ଦୀ ତଥା ପ୍ରଥମ ଭାରତୀୟ ଭାଷାର ଉପନ୍ୟାସ । ଗୁରୁବାର ଲଣ୍ଡନରେ ଆୟୋଜିତ ସମାରୋହରେ ଲେଖିକା ଗୀତାଞ୍ଜଳୀ କହିଥିଲେ, ଏଭଳି ପୁରସ୍କାର ମିଳିବା ‘ବୋଲ୍ଟ ଫ୍ରମ୍ ଦ ବ୍ଲୁ’ ଭଳି, ମୁଁ ସମ୍ପୂର୍ଣ୍ଣ ଅଭିଭୂତ । ଏତେବଡ ପୁରସ୍କାର ପାଇବି ବୋଲି କେବେ ବି ଭାବି ନ ଥିଲି ।
ପୁରସ୍କାର ବାବଦ ୬୦ ହଜାର ପାଉଣ୍ଡ୍ ଷ୍ଟର୍ଲିଂ ଉଭୟ ଗୀତାଞ୍ଜଳୀ ଓ ଅନୁବାଦିକା ଡେଜୀ ରକ୍ୱେଲ୍ଙ୍କୁ ସମାନଭାବେ ବାଣ୍ଟି ଦିଆଯାଇଛି । ୬୪ ବର୍ଷୀୟା ଗୀତାଞ୍ଜଳୀଙ୍କ ଘର ଉତ୍ତର ପ୍ରଦେଶର ମଇନପୁରୀରେ, ଏବେ ଦିଲ୍ଲୀରେ ରହୁଛନ୍ତି । ସେ ୩ଟି ଉପନ୍ୟାସ ଓ ଅନେକ ଗଳ୍ପ ସଂକଳନର ଲେଖିକା । ତାଙ୍କ ରଚନାବଳୀ ଇଂରାଜୀ, ଫ୍ରେଞ୍ଚ୍, ଜର୍ମାନ, ସର୍ବିୟନ ଓ କୋରିଓ ଭାଷାରେ ଅନୂଦିତ ହୋଇଛି ।
ଅନୁବାଦିକା ଡେଜୀ ଆମେରିକା ନିବାସୀ । ସେ ଜଣେ ଚିତ୍ରଶିଳ୍ପୀ ଓ ଲେଖିକା ।
ଉପନ୍ୟାସର ନାୟିକା ୮୦ ବର୍ଷୀୟା ମା’ ପରିବାରର ବ୍ୟାକୁଳତା କାରଣରୁ ପାକିସ୍ତାନ ପଳାଇଯିବା ଉପରେ ଜୋର୍ ଦେଉଛନ୍ତି ।
ୟୁକେ କିମ୍ବା ଆୟର୍ଲାଣ୍ଡ୍ରେ ଇଂରାଜୀ ଭାଷାରେ ପ୍ରକାଶିତ ସର୍ବଶ୍ରେଷ୍ଠ ଉପନ୍ୟାସକୁ ପ୍ରତିବର୍ଷ ବୁକର ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୨୨ର ପୁରସ୍କାର ପାଇଁ ଚୟନ କରାଯାଇଥିବା ପୁସ୍ତକଗୁଡିକର ନାମ ଏପ୍ରିଲରେ ଲଣ୍ଡନ୍ ବୁକ୍ଫେୟାରରେ ଘୋଷଣା କରାଯାଇଥିଲା । ୧୯୬୯ରେ ଇଂଲଣ୍ଡର ବୁକର ମେକୋନଲ୍ କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା । ପ୍ରଥମ ବୁକର ପୁରସ୍କାର ମିଳିଥିଲା ଅଲବାନିଆର ଔପନ୍ୟାସିକ ଇସ୍ମାଇଲ୍ କାଦରେଙ୍କୁ । ବୁକର ପୁରସ୍କାରର ପୂରା ନାମ ମେନ୍ ବୁକର ପ୍ରାଇଜ୍ ଫର୍ ଫିକ୍ସନ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *