ଭକ୍ତଙ୍କ ଗହଣରେ ରଥଯାତ୍ରା ବଡ଼ ଚାଲେଞ୍ଜ

୧୫ ଲକ୍ଷରୁ ଅଧିକ
ଭକ୍ତଙ୍କ ସମାଗମ ସମ୍ଭାବନା
ଜିଲ୍ଲାପାଳ ଓ ଏସ୍ପି ନୂଆ
ପୁରୀ (ବୁ୍ୟରୋ): କରୋନା ଲାଗି ଦୀର୍ଘ ୨ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜୁଲାଇ ୧ରେ ଅନୁଷ୍ଠିତ ହେବ ଯାତ୍ରା । ତାହାର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଜୁନ୍ ୧୪ରେ ଘୋଷଯାତ୍ରାର ପ୍ରଥମ ପର୍ବ ସ୍ନାନଯାତ୍ରା ଆରମ୍ଭ ହେବ । ଭକ୍ତଗଣ ଲଗାତାର ୨ ବର୍ଷ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ହାତୀବେଶରେ ଦର୍ଶନ ପାଇବାରୁ ବଞ୍ଚିତ ରହିଛନ୍ତି । ତେଣୁ ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ଠାକୁରଙ୍କ ସମସ୍ତ ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା ହେବା ପରେ ଏବେ ଭକ୍ତଙ୍କ ମନରେ ଲହରୀ ଖେଳିଯାଇଛି । ବିଗତ ବର୍ଷ ରଥଯାତ୍ରା ଚଳିତ ବର୍ଷ ରଥଯାତ୍ରା ମଧ୍ୟରେ ରହିଛି ଫରକ । ଚଳିତବର୍ଷ କେବଳ ଶ୍ରୀଗୁଣ୍ଡିଚାରେ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ । ସେହିଭଳି ସୁନାବେଶରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ହେବ ସମାଗମ । ଏକସମୟରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଲୋକଙ୍କ ଗହଳି ଏବଂ ବଡ଼ଦାଣ୍ଡରେ ରଥଟଣା ଏହା ପ୍ରଶାସନ ଲାଗି ବଡ଼ ଆହ୍ୱାନ । ଅନ୍ୟପକ୍ଷରେ ଜୁଲାଇ ପହିଲାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ପଟେ ଶୃଙ୍ଖଳିତ ରଥଯାତ୍ରା, ଅନ୍ୟପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଯଦି ରଥଯାତ୍ରା ସମୟରେ ବର୍ଷା ହେଲା ତାହା ହେଲେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେବ । ବର୍ଷା ହେବା ମାତ୍ରେ ବଡ଼ଦାଣ୍ଡଠାରୁ ଆରମ୍ଭ କରି ସମସ୍ତ ସାହି ଗଳିକନ୍ଦିରେ ଲହଡ଼ି ମାରିବ ପାଣି । ଏପରିକି ରଥଯାତ୍ରାକୁ ଆଉ ମାତ୍ର ଏକମାସ ବାକି ରହିଥିବା ବେଳେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସମେତ ସହରର ନାଳ ସଫେଇ ହୋଇପାରି ନାହିଁ । ଯାତ୍ରା ସମୟରେ ପ୍ରବଳ ବର୍ଷା ହେଲେ ଲକ୍ଷାଧିକ ଭକ୍ତ କେଉଁଠି ରହିବେ ତାହା ଏକ ବଡ଼ ଚିନ୍ତାର ବିଷୟ । ବିଶେଷ ଭାବେ ଠାକୁରଙ୍କ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ଲାଗି ସେବାୟତଙ୍କ ସହ ପ୍ରଶାସନ ସମନ୍ୱୟ ରଖିବା ବଡ଼ ଚ୍ୟାଲେଞ୍ଜ । ଗୋଟିଏ ପଟେ ଭକ୍ତ ଗହଣରେ ରଥଯାତ୍ରା ହେଉଥିବାର ଜିଲ୍ଲାପାଳ ଓ ଏସ୍ପିଙ୍କ ଲାଗି ନୂଆ । ସେମାନେ ପୁରୀରେ ଯୋଗଦେବା ଠାରୁ ଭକ୍ତ ଗହଣ ରଥଯାତ୍ରାରେ ସାମିଲ ହୋଇନାହାନ୍ତି । କେବଳ କଟକଣା ତଥା ବିନା ଭକ୍ତରେ ରଥଯାତ୍ରାର ଅନୁଭୂତି ରହିଛି । କିନ୍ତୁ ଭକ୍ତ ଗ୍ରହଣ ରଥଯାତ୍ରାର ଅନୁଭୂତି ନ ଥିବାରୁ ଉଭୟ ଅଧିକାରୀଙ୍କୁ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ବଡ଼ ଆହ୍ୱାନ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ଘୋଷଯାତ୍ରାକୁ କିଭଳି ଶୃଙ୍ଖଳିତ ସମାପନ ହେବ ସେନେଇ ପ୍ରଶାସନ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି, ତାହା ଉପରେ ଅଗଣିତ ଭକ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *