୧ଠ ବର୍ଷ ହେଲା ମିଳୁନି ଦୁର୍ଘଟଣା କ୍ଷତିପୂରଣ
ଇଛାମୃତୁ୍ୟ ଅନୁମତି ମାଗିଲେ ପରିବାର
ପୁରୀ (ବୁ୍ୟରୋ): ଅଦାଲତଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି ଦୁର୍ଘଟଣା କ୍ଷତିପୂରଣ ରାଶି । ଶେଷରେ ଅସହାୟ ହୋଇ ପରିବାର ସଦସ୍ୟ ଇଛାମୃତୁ୍ୟ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଅନୁମତି ମାଗିଛନ୍ତି । ଏନେଇ ପରିବାରର ମୁଖ୍ୟ ସଂଯୁକ୍ତା ମହାନ୍ତିଙ୍କ ନିଜର ଆବେଦନପତ୍ରକୁ ଗୁରୁବାର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ଏସମ୍ପର୍କରେ ସଂଯୁକ୍ତା କୁହନ୍ତି, ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଆଜିପର୍ଯ୍ୟନ୍ତ ଦୁଃଖକଷ୍ଟରେ ଦିନ କାଟୁଛି । ଏପରିକି ଆଉ କେତେଦିନ ଏଭଳି ଭୋକ ଉପାସରେ ଛଟପଟ ହେବା ଅପେକ୍ଷା ଜୀବନ ହାରିଦେବା ଠିକ୍ ହେବ । ଏହା ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ସଂଯୁକ୍ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ, ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ହାଟସାହି । ତାଙ୍କ ସ୍ୱାମୀ ପର୍ଶୁରାମ ମହାନ୍ତି । ସେ ଅବକାରୀ ବିଭାଗ ଅଧୀନ କଟକରେ ଚାକିରି କରିଥିଲେ । ଗତ ୨୦୦୪ ମସିହାରେ ନିଜ ବାସସ୍ଥାନ ହାଟ ସାହିରେ ଘର କାମ କରୁଥିବା ବେଳେ ତାଙ୍କ ଉପରେ ଏକ କାନ୍ଥ ମାଡ଼ି ବସିଥିଲା । ଫଳରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସରକାରୀ ଆମ୍ବୁଲାନ୍ସ (ଓଆର-୧୩-ଏ-୨୧୦୫) ରେ କଟକ ଅଭିମୁଖେ ଯାଉଥିଲେ । କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର୍ଙ୍କ ଅସବାଧାନତା ଯୋଗୁଁ ଆମ୍ବୁଲାନ୍ସଟି ହଂସପାଳଠାରେ ଦୁର୍ଘଟଣା ହୋଇଥିଲା । ସେହି ଦୁର୍ଘଟଣାରେ ମୋ ସ୍ୱାମୀ ପର୍ଶୁରାମ ମୃତୁ୍ୟବରଣ କଲେ । ପୁଲିସ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିଥିଲା । ପରେ ଏନେଇ ପୁଲିସ ଏମ୍ଏ ସିଟି ନ୍ୟାୟାଳୟ ଯାଞ୍ଚ କରିବା ପରେ ଗାଡ଼ିର କାଗଜପତ୍ର ସଠିକ୍ ନ ଥିବା ଜଣାପଡ଼ିଥିଲା । ଏନେଇ ଅଦାଲତଙ୍କ ନିକଟରେ ଅଭିଯୋଗ କରିବା ପରେ ନିଦେ୍ର୍ଦଶ ଦେଇଥିଲେ ପର୍ଶୁରାମଙ୍କ ଦୁର୍ଘଟଣାଗ୍ରସ୍ତ ମୃତୁ୍ୟ ହୋଇଥିବାର ତାଙ୍କୁ ୯ ଲକ୍ଷ ୭୭ହଜାର ଟଙ୍କା ଗାଡ଼ିର ମାଲିକ ତଥା ଜିଲ୍ଲାପାଳ ଏବଂ ଲଜିଂ ହାଉସ୍ ଫଣ୍ଡର ମାଜିଷ୍ଟ୍ରେଟ ଏହି କ୍ଷତିପୂରଣ ରାଶି ତାଙ୍କ ପରିବାରକୁ ପ୍ରଦାନ କରିବେ । ତତ୍ସହିତ ଯେ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପ୍ରଦାନ କରି ନ ଥିବେ ସେ ପର୍ଯ୍ୟନ୍ତ ୭% ସୁଧ ସହିତ ପ୍ରଦାନ କରିବେ । ଏନେଇ ଅଦାଲତ ୨୦୧୨ ମସିହାରୁ ନିଦେ୍ର୍ଦଶ ଜାରି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଂଯୁକ୍ତାକୁ କ୍ଷତିପୂରଣ ରାଶି ମିଳିପାରିଲା ନାହିଁ । ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ଅନୁକମ୍ପା ରାଶି ନ ମିଳିଲେ ମୋ’ପରିବାର ସଦସ୍ୟଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଇଛାମୃତୁ୍ୟ ଦେବେ ବୋଲି ଚେତାବନୀ ଦେଇଛନ୍ତି ।