ମୁଡିଜ୍ କମାଇଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୨୬ ।୫: ରେଟିଂ ଏଜେନ୍ସି ମୁଡିଜି ଇନ୍ଭେଷ୍ଟର୍ସ ସର୍ଭିସ୍ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନୂଆ ରିପୋର୍ଟରେ ଭାରତର ମୋଟ୍ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର (ଜିଡିପି ଗ୍ରୋଥ୍) ୮.୮%କୁ କମାଇ ଦିଆଯାଇଛି । ପୂର୍ବ ରିପୋର୍ଟରେ ୨୦୨୨ରେ ଦେଶର ଅଭିବୃଦ୍ଧି ହାର ୯.୧% ହେବ ବୋଲି ମୁଡିଜ୍ ଆକଳନ କରିଥିଲା । ଅଭିବୃଦ୍ଧି ହାର ହ୍ରାସ ପାଇଁ ମୁଡିଜ୍ ବଢ଼ି ଚାଲିଥିବା ମହଙ୍ଗା ହାରକୁ ଦାୟୀ କରିଛି ।
ମୁଡିଜ୍ ରିପୋର୍ଟରେ ଭାରତର ମହଙ୍ଗା ସ୍ଥିତି ନେଇ ଖୁବ୍ ଚିନ୍ତା ବ୍ୟକ୍ତ କରାଯାଇଛି । ଏଜେନ୍ସିର ବିଶେଷଜ୍ଞମାନେ ରିପୋର୍ଟରେ ଲେଖିଛନ୍ତି ଯେ, କରୋନା ପ୍ରକୋପ କମିଯିବା ପରେ ଆମେରିକା ସମେତ ସମସ୍ତ ଦେଶ ତୁଳନାରେ ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ବେଗରେ ସୁଧୁରୁଛି । କିନ୍ତୁ ମହଙ୍ଗା କ୍ରମାଗତ ବଢ଼ିବା ଯୋଗୁ ତାହା ଗୁରୁତର ଭାବେ ପ୍ରଭାବିତ ହେଉଛି ।
ଉଲ୍ଲେଖ ଯୋଗ୍ୟଯେ, ମୁଡିଜ୍ ସର୍ଭିସ୍ ଏଭଳି ରିପୋର୍ଟ ଦେବା ପୁର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବିଶ୍ୱ ବ୍ୟାଙ୍କ, ଆଇଏମ୍ଏଫ୍, ଏଡିବି ଓ ୟୁବିଏସ୍ ମଧ୍ୟ ରିପୋର୍ଟ ଜାରି କରି ଦେଶର ଜିଡିପି ଅଭିବୃଦ୍ଧି ସମ୍ପର୍କିତ ପୂର୍ବାନୁମାନରେ କାଟ୍ କରିଛନ୍ତି । ଏବେ ମୁଡିଜ୍ କହିଛି, ଭାରତର ଅର୍ଥ ବ୍ୟବସ୍ଥାରେ ଯେଉଁ ସଂକେତ ମିଳିଛି ତଦନୁଯାୟୀ ଡିସେମ୍ବର ତ୍ରିମାସରେ ଅର୍ଥନୀତିରେ ଯେଉଁ ସୁଧାର ଆସିଥିଲା, ତାହା ଚଳିତ ବର୍ଷର ପ୍ରଥମ ୪ ମାସରେ ମଧ୍ୟ ଜାରି ରହିବ । ତେବେ ଅଶୋଧିତ ପେଟ୍ରୋଲିୟମ୍ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଜିଡିପି ଗ୍ରୋଥ୍ ପ୍ରଭାବିତ ହୋଇପାରେ ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆର୍ଥିକ ଅନୁସନ୍ଧାନ ବିଭାଗ ଦ୍ୱାରା ଗୁରୁବାର ଜାରି ହୋଇଥିବା ‘ଇକୋର୍ୟାପ୍’ ରିପୋର୍ଟରେ କୁହାଯାଇଛି । ୨୦୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୨ରୁ ୮.୫ ପ୍ରତିଶତ ମଧ୍ୟରେ ରହିବା ଆଶା କରାଯାଉଛି । ବହୁବିଧ ଅନିଶ୍ଚିତତା ଚତୁର୍ଥ ତ୍ରିମାସରେ ଜିଡିପିକୁ ପ୍ରଭାବିତ କରୁଛି । ସରକାର ୩୧ ମେ’ ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରିମାସର ଜିଡିପି ଜାରି କରିବେ ।
ଚତୁର୍ଥ ତି୍ରିମାସରେ ଜିଭିଏ (ଗ୍ରସ୍ ଭାଲୁ୍ୟ ଆଡେଡ୍) ଏବଂ ଜିଡିପି (ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ) ମଧ୍ୟରେ ପ୍ରଭେଦ ଆସିପାରେ, କାରଣ ଟିକସ ସଂଗ୍ରହରେ ଖୁବ୍ ବୃଦ୍ଧି ହୋଇଛି ।
ଗୁରୁବାର ହାଇଦ୍ରାବାଦଠାରେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜ୍ନେସ୍ (ଆଇଏସ୍ବି)ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତର ଅର୍ଥ ବ୍ୟବସ୍ଥା ସବୁଠୁ ଦ୍ରୁତ ବେଗରେ ବଢ଼ୁଛି । ବୈଶ୍ୱିକ ଖୁଚୁରା ସୂଚକାଙ୍କରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *