ମୋ ସରକାରରେ ୩୧ ବିଭାଗ

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଦୁଇ ଦଶକ ମଧ୍ୟରେ ଓଡିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି । ଲୋକଙ୍କ ଫିଡ୍ବ୍ୟାକ ରେକର୍ଡ କରାଯାଇଛି ଏବଂ ସେମାନଙ୍କ ମତାମତ ଭିତ୍ତିରେ ଯେଉଁ ଅବଧାରଣା ସୃଷ୍ଟି ହୋଇଛି, ତା ଉପରେ ପଦକ୍ଷେପ ମଧ୍ୟ ନିଆଯାଉଛି ।
ଏହି ଉପକ୍ରମ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା । ଏ ଦିଗରେ ନିୟମିତ ଉଦ୍ୟମ ସଫଳ ହୋଇଛି । ତୃଣମୂଳ ସ୍ତରରୁ ଯେଉଁ ଫିଡ୍ବ୍ୟାକ୍ ମିଳୁଛି, ତାହା ଉତ୍ସାହଜନକ । ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି । ଏ ଦିଗରେ ନିରନ୍ତର ପ୍ରୟାସ ଦ୍ୱାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ, ମୁଁ ପୁଣିଥରେ କହୁଛି ଯେ ନାଗରିକ ମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା । ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବାର ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି । ଯେଉଁ କର୍ମଚାରୀମାନେ ଲୋକଙ୍କ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ବିଭାଗ ଗୁଡିକ ସେମାନଙ୍କୁ ମାନ୍ୟତା ଦେବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଥ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ, ଏହି ୩ଟି ବିଭାଗକୁ ମୋ ସରକାରରେ ସାମିଲ ହେବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ବୈଠକରେ ୬ଟି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା । ଏଗୁଡିକ ହେଲା ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସଂପଦ ବିଭାଗ ।
ଆଲୋଚନାରେ ଭାଗ ନେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ଏହା ଲୋକଙ୍କ ଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ କାର୍ଯ୍ୟକ୍ରମ । ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଲେ ଯେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଭାଗରେ ବିଶେଷକରି ଇଂଜିନିୟରିଂ ବିଭାଗ ଗୁଡିକରେ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ଠାରୁ ମଧ୍ୟ ମୋ ସରକାରର କାର୍ଯ୍ୟକ୍ରମରେ ଫିଡ୍ବ୍ୟାକ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଜରୁରୀ ।
ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଲେ ଯେ ରାଜ୍ୟର ୨୮ ବିଭାଗର ୨୩୩ ସେବା ମୋ ସରକାରରେ ସାମିଲ ହୋଇଛି । ଏହି ୩ ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ମହାନିଦେ୍ର୍ଦଶକ, ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *