ସ୍ତ୍ରୀକୁ ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧି ରଖିବାରୁ ମାମଲା
ମୋବାଇଲ୍ରେ ମେସେଜ୍ ପଠାଇବା ନେଇ ସ୍ୱାମୀକୁ ମାଡ଼
ସାଲେପୁର (ଆପ୍ର): ମୋବାଇଲ୍ରେ ମେସେଜ୍ ପଠାଇବାକୁ ନେଇ ସ୍ୱାମୀକୁ ମାଡ଼ମାରି ଗୁରୁତର ଆହତ କରିବା ସହ ସ୍ତ୍ରୀକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାନ୍ଧି ରଖିବା ସହ ସ୍ୱାମୀକୁ ଖୋଜିଆଣି ନଦେଲେ ତୋ ପରିବାରକୁ ମାରିଦିଆଯିବ ବୋଲି ଜଣେ ମହିଳା ସାଲେପୁର ଥାନାରେ ଜଣେ ମହିଳା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୨ଦିନ ବିତିଯିବା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଗ୍ରାମର ରବି ମହାନ୍ତିଙ୍କ ମୋବାଇଲ୍ରୁ ଏକ ମେସେଜ୍ ଉକ୍ତ ଗ୍ରାମର ଜଣେ ମହିଳାଙ୍କ ମୋବାଇଲ୍କୁ ଚାଲିଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଉକ୍ତ ଗ୍ରାମର ବବୁଲ ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ପ୍ରମୁଖ ରବିନ୍ଦ୍ରଙ୍କୁ ଘରୁ ନେଇ ନିସ୍ତୁକ ମାଡ଼ ମାରି ଚେତାଶୂନ୍ୟ କରି ପକାଇ ଦେବା ସହ ଚେତା ଫେରିଲା ପରେ ତାକୁ ଏକ ମୋଟର ସାଇକେଲ୍ରେ ନେଇ ଯାଉଥିବାବେଳେ ରବିନ୍ଦ୍ର କୌଶଳ କ୍ରମେ ଜୀବନ ବିକଳରେ ଖସି ପଳାଇ ଯାଇଥିଲା । ରବିକୁ ନପାଇ ସଂପୃକ୍ତ ବ୍ୟକ୍ତିମାନେ ତା’ର ନାବାଳକ ପୁଅ ଓ ତା’ ବୁଢ଼ୀ ମା’ଏବଂ ରବିର ସ୍ତ୍ରୀ ଚିନ୍ମୟୀଙ୍କୁ ଗାଁ ମୁଣ୍ଡରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପରେ ଅଧିକ ଖରା ହେବାରୁ ନିକଟସ୍ଥ ଏକ ଲିମ୍ବଗଛରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ରବିନ୍ଦ୍ର ନଆସିବା ପର୍ଯ୍ୟନ୍ତ ତୁ ଏଠାରେ ବନ୍ଧା ହେବୁ ବୋଲି କହିଥିଲେ । ପରେ ତାକୁ ୩ଦିନ ମଧ୍ୟରେ ଗାଁକୁ ଆଣ, ନଚେତ୍ ତୋତେ ଓ ତୋ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ତାହାର ୩ଜଣ ପିଲାଙ୍କୁ ଅଟକ ରଖିବା ସହ ଘର ମଧ୍ୟରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏହାନେଇ ଚିନ୍ମୟୀ ୨୪ ତାରିଖ ଦିନ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହି ଘଟଣାକୁ ଗୁରୁତ୍ୱ ନଦେଇ କୌଣସି ମାମଲା ରୁଜୁ କରିନାହିଁ କି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ଅଭିଯୁକ୍ତମାନେ ଖୁଲମଖୁଲ ରବି ଓ ତା’ ସ୍ତ୍ରୀକୁ ଜୀବନରୁ ମାରିଦେବା ଉଦେ୍ଦଶ୍ୟରେ ଖୋଜି ବୁଲୁଥିବା ନେଇ ରବି ଓ ତା’ ସ୍ତ୍ରୀ ଚିନ୍ମୟୀ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଥିଲେ । ପୁଲିସ ଉଚ୍ଚ ପଦାଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଘଟଣାର ନିରପେକ୍ଷ ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ନିବେଦନ କରିଛନ୍ତି ।