୯ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର

କୃଷି, ଏମ୍ଏସ୍ଏମ୍ଇ ଓ ମିଶନ୍ ଶକ୍ତିକୁ ୠଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନ
ଭୁବନେଶ୍ୱର (ବୁ୍ୟରୋ): କୃଷି, ମିଶନ୍ ଶକ୍ତି ଏବଂ ଏମ୍ଏସ୍ଏମ୍ଇ ଭଳି ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବ୍ୟାଙ୍କ୍କୁ ପୁରସ୍କୃତ କରିଛନ୍ତି । ଗତ ଏସ୍ଏଲ୍ବିସି ବୈଠକରେ ବ୍ୟାଙ୍କ ଏବଂ ଜିଲ୍ଲାଗୁଡ଼ିକୁ ଏଥିପାଇଁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବାରେ ଦେଶରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ।
ଲୋକସେବା ଭବନର କନ୍ଭେନସନ୍ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାମାରୀ ସତ୍ତ୍ୱେ ୨ଠ୨୧-୨୨ ବାର୍ଷିକ ଋଣ ଯୋଜନାରେ ୯୩ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ହୋଇଛି । ସବୁ ବ୍ୟାଙ୍କ ମିଶି ୧.ଠ୩ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟା ଜାରି ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । କୃଷି କ୍ଷେତ୍ରକୁ ଋଣ ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଲାଙ୍ଗୀର ଶାଖା ପ୍ରଥମ ପୁରସ୍କାର ପାଇଛି । ସେହିପରି ଆକ୍ସିସ୍ ବ୍ୟାଙ୍କ, ରାୟଗଡ଼ା ଶାଖା ଦ୍ୱିତୀୟ ଏବଂ ଆକ୍ସିସ ବ୍ୟାଙ୍କ, ସମ୍ବଲପୁର ଶାଖାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ ପାଇଁ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବଲାଙ୍ଗୀର ଶାଖା ପ୍ରଥମ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଜୟଦେବ ବିହାର (ଭୁବନେଶ୍ୱର) ଶାଖା ଦ୍ୱିତୀୟ ଏବଂ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ତାଳଚେର ଶାଖା ତୃତୀୟ ପୁରସ୍କାର ଲାଭ କରିଛନ୍ତି । ମିଶନ୍ ଶକ୍ତି ଗ୍ରୁପ୍କୁ ଋଣ ପାଇଁ ଏସ୍ବିଆଇ, କଣ୍ଟାବାଞ୍ଜି ଶାଖା ପ୍ରଥମ, ଏସ୍ବିଆଇ ଡୁଙ୍ଗୁରିପାଲି ଦ୍ୱିତୀୟ ଏବଂ ଏସ୍ବିଆଇ, ମାଲକାନଗିରିକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାର ବିିଜେତା ବ୍ୟାଙ୍କଗୁଡ଼ିକୁ ୫ ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର ପାଇଁ ୩ ଲକ୍ଷ ଏବଂ ତୃତୀୟ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
କୃଷିକ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପୁରସ୍କୃତ ହୋଇଥିବାବେଳେ ଏମ୍ଏସ୍ଏମ୍ଇଗୁଡ଼ିକୁ ସର୍ବାଧିକ ଋଣ ପାଇଁ ଏସ୍ବିଆଇ ଏବଂ ମିଶନ୍ ଶକ୍ତି ଗ୍ରୁପ୍ଙ୍କୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପୁରସ୍କାର ଗ୍ରହଣ କରିଛନ୍ତି । ସାମଗ୍ରିକ ଭାବେ ପ୍ରାଥମିକତା କ୍ଷେତ୍ରକୁ ସର୍ବାଧିକ ଋଣ ପ୍ରଦାନ ପାଇଁ ଏସ୍ବିଆଇ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଚାମ୍ପିଅନ୍ ବ୍ୟାଙ୍କଗୁଡ଼ିକ ଅନ୍ୟ ବ୍ୟାଙ୍କ ପାଇଁ ଅନୁକରଣୀୟ ମଡେଲ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଋଣର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୧.୩୪ ଲକ୍ଷ କୋଟିର ବାର୍ଷିକ ଋଣ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ଜିଲ୍ଲା ଏବଂ ବ୍ୟାଙ୍କଗୁଡ଼ିକ ଅଗ୍ରସର ହେବେ ବୋଲି ସେ ଆଶା ରଖିଛନ୍ତି । ଏହାସହ ସମସ୍ତ ତିନି ପ୍ରାଥମିକତା କ୍ଷେତ୍ରକୁ ଉତ୍ତମ କ୍ରେଡିଟ୍ ଲିଙ୍କେଜ୍ ପାଇଁ ବ୍ୟାଙ୍କଗୁଡ଼ିକ ପ୍ରୟାସ କରିବା ଉଚିତ୍ ବୋଲି ସେ ମତ ରଖିଛନ୍ତି । ଏହାସହ କୃଷକ, ମିଶନ୍ ଶକ୍ତି ସଦସ୍ୟ ଏବଂ ଏମ୍ଏସ୍ଏମ୍ଇଗୁଡ଼ିକୁ ଆମେ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ।
ମିଶନ୍ ଶକ୍ତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମିଶନ୍ ଶକ୍ତି ପାଇଁ ହାରାହାରି ଋଣ ପରିମାଣକୁ ବୃଦ୍ଧି କରିବା ଦିଗରେ ବ୍ୟାଙ୍କର୍ସମାନେ ଦୃଷ୍ଟି ଦେବା ଦରକାର । ଆଗାମୀ ୫ ବର୍ଷରେ ମିଶନ୍ ଶକ୍ତି ଗ୍ରୁପ୍କୁ ୫ଠ ହଜାର କୋଟି ଟଙ୍କା ଋଣ ସହାୟତା ପ୍ରଦାନ କରିବାକୁ ନିକଟରେ ନିଷ୍ପତ୍ତି ହୋଇଛି ବୋଲି ସେ ସୂଚନା ଦେଇଥିଲେ ।
ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ପ୍ରଥମ ଥର ଭାବେ ପ୍ରାଥମିକତା କ୍ଷେତ୍ରକୁ ଅବଦାନ ପାଇଁ ବ୍ୟାଙ୍କର୍ସକୁ ମାନ୍ୟତା ଦେବା ହେଉଛି ଏକ ଐତିହାସିକ ପଦକ୍ଷେପ । କୃଷି, କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ହେଉଛନ୍ତି ଆମ ଅର୍ଥନୀତିର ପ୍ରମୁଖ ଉତ୍ସ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *