ମଜଭୁତ ସ୍ଥିତିରେ ବିଜେଡି
କିଏ ହେବେ ବ୍ରଜରାଜନଗରର ବାଜିଗର
ଭୁବନେଶ୍ୱର,୨୬ା୫(ବୁ୍ୟରୋ): ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖରେ ସେଠାରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ପ୍ରଚାରକୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଜୋରଦାର କରିଛନ୍ତି । ହାତରେ ଆଉମାତ୍ର କିଛି ଦିନ ଥିବାରୁ ଷ୍ଟାର କ୍ୟାମ୍ପେନରଙ୍କ ସହ ଦଳର ବରିଷ୍ଠ ନେତାମାନେ ମାରାଥନ୍ ପ୍ରଚାର ଚଳାଇଛନ୍ତି । ତେବେ କିଏ ଏଠାରେ ବାଜି ମାରିବ, ତାହା ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ । କିନ୍ତୁ ବିଜେଡିର ନିର୍ବାଚନ ରଣକୌଶଳ ଏବଂ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପ୍ରତି ରହୁଥିବା ଅନୁକମ୍ପା ଯୋଗୁ ଦଳ ଏକ ମଜଭୁତ ସ୍ଥିତିରେ ଥିବା କୁହାଯାଉଛି ।
ଅନ୍ୟପକ୍ଷରେ ବିଜେପି ଏବଂ କଂଗ୍ରେସ ମଧ୍ୟ ଏଠାରେ ପୂର୍ଣ୍ଣପ୍ରାଣରେ ନିର୍ବାଚନ ଲଢ଼ୁଛନ୍ତି । ରାଜନୈତିକ ମହଲର ଆକଳନକୁ ଯଦି ହିସାବକୁ ନିଆଯାଏ ତାହେଲେ ବିଜେଡି ଏଠାରେ ଏକ ସୁଦୃଢ଼ ସ୍ଥିତିରେ ରହିଛି । ମାଇକ୍ରୋ ମ୍ୟାନେଜମେଣ୍ଟ ମାଧ୍ୟମରେ ପଞ୍ଚାୟତକୁ ଜଗିଛନ୍ତି ବିଜେଡିର ହେଭିୱେଟ୍ ନେତା । ଦଳ ଏଠାରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ଅନୁକମ୍ପା ଭୋଟ୍ ବିଜେଡିକୁ ଯିବା ସ୍ୱାଭାବିକ । କାରଣ ସ୍ୱର୍ଗତ କିଶୋର ମହାନ୍ତି ଦୀର୍ଘ ୪ ଦଶନ୍ଧି ଧରି ଝାରସୁଗୁଡ଼ା ଜିଲ୍ଲାରେ ବେଶ୍ ସକ୍ରିୟ ଥିଲେ । ନିର୍ବାଚନରେ ହାର୍-ଜିତ୍ ସତ୍ତ୍ୱେ ସ୍ୱର୍ଗତ ମହାନ୍ତିଙ୍କ ଗୁରୁତ୍ୱ ଏହି ଜିଲ୍ଲାରେ କମିନଥିଲା । ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ଏକଦା ଟାଣୁଆ କଂଗ୍ରେସ ନେତା ଥିବା ନବ ଦାସ ଏବେ ବିଜେଡିରେ । ନବ ଦାସ ବିଜେଡିକୁ ଆସିବା ପରେ ଜିଲ୍ଲାରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳି ଗଲା । କଂଗ୍ରେସର ଦବ୍ଦବା ଆଉ ରହିଲାନି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଏଠାରେ ପ୍ରାର୍ଥୀ ନ ଦେଇ ସିପିଆଇ ସହ ମେଣ୍ଟ କରିବା ଫଳରେ ଭୋଟ୍ ବିଭାଜନ ହୋଇଥିଲା ।
କଂଗ୍ରେସ ଭୋଟ୍ ଅଧିକାଂଶ ବିଜେଡି ଖାତାକୁ ଯାଇଥିଲା । ସେହିପରି ବିଜେପି ମଧ୍ୟ କିଛି କଂଗ୍ରେସ ଭୋଟ୍ ପାଇଥିଲା । ହେଲେ ସିପିଆଇକୁ ସବୁଠୁ କମ୍ ଭୋଟ୍ ଯାଇଥିଲା ।
ଏସବୁ ବାଦ୍ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବା ପାଇଁ ବିଜେଡି ତୃଣମୂଳସ୍ତରରୁ ରଣକୌଶଳ ପ୍ରସ୍ତୁତ କରିଛି । ଡେରା ପକାଇଛନ୍ତି ୮ ମନ୍ତ୍ରୀ, ୩ଠରୁ ଅଧିକ ବିଧାୟକ । ନିର୍ବାଚନୀ ଷ୍ଟ୍ରାଟେଜିର ମଙ୍ଗ ଧରିଛନ୍ତି ମନ୍ତ୍ରୀ ନବ ଦାସ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ । ବ୍ରଜରାଜନଗର ପୌରାଞ୍ଚଳ ଦାୟିତ୍ୱରେ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ବେଲପାହାଡ଼କୁ ଜଗିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ସେହିପରି ଲଖନପୁରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଝାରସୁଗୁଡ଼ା ବ୍ଲକ୍ର ପାଞ୍ଚଟି ପଞ୍ଚାୟତରେ ମନ୍ତ୍ରୀ ଅରୁଣ ସାହୁ ବଳ ଖଟାଉଛନ୍ତି । ଏ ସମସ୍ତ ରଣନୀତି ଉପରେ ସାମଗ୍ରିକ ଭାବେ ସମନ୍ୱୟ ରଖୁଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତା’ ଛଡ଼ା ବର୍ଷୀୟାନ୍ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ଭଳି ଟାଣୁଆ ନେତା ପ୍ରଚାରର ମଙ୍ଗ ଧରିଛନ୍ତି । କିଶୋର ମହାନ୍ତିଙ୍କ ପ୍ରତି ରହିଥିବା ଅନୁକମ୍ପା, ବିଜେଡିର ଷ୍ଟ୍ରାଟେଜି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅଳକା ମହାନ୍ତିଙ୍କ ପାଇଁ ଉପନିର୍ବାଚନରେ ବେଶ୍ ଉପଯୋଗୀ ହେବ ବୋଲି କୁହାଯାଉଛି ।
ବିଜେଡିର ସମରସଜ୍ଜାକୁ ପ୍ରତିହତ କରିବା ପାଇଁ ବିଜେପି ଓ କଂଗ୍ରେସ ପ୍ରାଣମୂର୍ଚ୍ଛା ଲଢ଼େଇ କରୁଛନ୍ତି । ବ୍ରଜରାଜନଗର ଏବଂ ଝାରସୁଗୁଡ଼ାକୁ ରାଜ୍ୟ ସରକାରଙ୍କ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ପ୍ରଚାର କରି ଯାଇଛନ୍ତି । ତା’ସହ ଦଳର ବହୁ ବିଧାୟକମାନେ ମଧ୍ୟ ପ୍ରଚାର ମୈଦାନ୍ରେ ଝାଳ ବୁହାଉଛନ୍ତି । ମହାନଦୀ ପ୍ରସଙ୍ଗକୁ ଦଳ ପୁଣି ତାଜା କରିଛି । ସେହିଭଳି ମରୁଡ଼ି ସହାୟତା, ଲଖନପୁର ବ୍ଲକ୍ର ପନିପରିବା ଚାଷୀଙ୍କ ପାଇଁ ମଣ୍ଡି, ଶୀତଳଭଣ୍ଡାର, ଅଭାବୀ ବିକ୍ରିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛି ବିଜେପି । ବିଜେପିର ୧ଠ ବିଧାୟକ ଦାୟିତ୍ୱରେ ରହିଛନ୍ତି । ବ୍ରଜରାଜନଗର ପୌରାଞ୍ଚଳରେ ମୋହନ ମାଝୀ, ବେଲପାହାଡ଼ରେ କୁସୁମ ଟେଟେ, ଲଖନପୁର ବ୍ଲକ୍ରେ ଜୋନ୍ ପିଛା ଜଣେ ଲେଖାଏଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ପ୍ରଚାର ମଙ୍ଗ ଧରିଛନ୍ତି ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେପି ନେତା ରବି ନାୟକ, ଇରାଶିଷ ଆଚାର୍ଯ୍ୟ ଏବଂ ଟଙ୍କଧର ତ୍ରିପାଠୀ ପ୍ରମୁଖ । ଗତ ୨ଠ୧୪ ନିର୍ବାଚନରେ ରାଧାରାଣୀ ପଣ୍ଡା ଏଠାରୁ ବାଜିମାତ୍ କରିଥିଲେ । ତେଣୁ ଏହି ଉପନିର୍ବାଚନରେ ପୁଣି ଥରେ ନିର୍ବାଚିତ ହେବା ନେଇ ସେ ଆଶାବାଦୀ ।
ସବୁଠୁ ବଡ଼ କଥା ହେଲା- କଂଗ୍ରେସ ଏଠାରେ ଫୁଲ ଦମ୍ରେ ଲଢ଼େଇ କରୁଛି । ବିଗତ ଦିନରେ କଂଗ୍ରେସର ଏହା ଗଡ଼ ହୋଇଥିବାରୁ ପାରମ୍ପରିକ ଭୋଟ୍କୁ ବଜାୟ ରଖିବାକୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ନିକଟରେ ପିସିସି ସଭାପତି ବଦଳି ଥିଲେ ବି ରାଜ୍ୟସ୍ତରରେ ବର୍ତ୍ତମାନ କୌଣସି କାର୍ଯ୍ୟଖସଡ଼ାକୁ ଗୁରୁତ୍ୱ ନଦେଇ ବ୍ରଜରାଜନଗରକୁ ଜଗିଛନ୍ତି କଂଗ୍ରେସ ନେତା । ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜାଙ୍କ ଭଳି ଦଳର ବିଧାୟକମାନେ ଏଠାରେ ମଙ୍ଗ ଧରିଛନ୍ତି । ଛତିଶଗଡ଼ରୁ ମଧ୍ୟ ନେତାମାନେ ପ୍ରଚାରରେ ସାମିଲ୍ ହେଉଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନିଂ ସହ ସଭାସମିତି କରି ଭୋଟରଙ୍କ ନିକଟତର ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି । ଦଳୀୟ ପ୍ରାର୍ଥୀ କିଶୋର ପଟେଲଙ୍କ ଭଳି ଜଣେ ପୁରୁଖା ନେତାଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ବିଜୟ ନେଇ ବେଶ୍ ଆଶାବାଦୀ । ବ୍ରଜରାଜନଗର ଦଖଲ ପାଇଁ ତିନିଦଳ କସରତ ଚଳାଇଛନ୍ତି । ୨ ଲକ୍ଷ ୧୫ ହଜାର ପାଖାପାଖି ଭୋଟର ଏଥର କାହାକୁ ବ୍ରଜରାଜନଗରର ବାଜିଗର କରୁଛନ୍ତି, ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।
ଉଲ୍ଲେଖଯୋଗ୍ୟ, ଗତ ୨ଠ୧୯ ନିର୍ବାଚନରେ ଦିବଂଗତ ବିଧାୟକ କିଶୋର ମହାନ୍ତି ଏଠାରେ ୧୧ ହଜାର ୬୩୪ ଭୋଟ୍ରେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ହରାଇଥିଲେ । କିଶୋର ମହାନ୍ତି ୮ଠ ହଜାର ୧୫୨ ଭୋଟ୍ ପାଇଥିବାବେଳେ ରାଧାରାଣୀଙ୍କୁ ମିଳିଥିଲା ୬୮ ହଜାର ୧୫୩ ଭୋଟ୍ । କଂଗ୍ରେସ ଗତଥର ଏଠାରେ ପ୍ରାର୍ଥୀ ନଦେଇ ମେଣ୍ଟ କରିଥିଲା । ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀଙ୍କୁ ମାତ୍ର ୯ ହଜାର ୩୫ଠ ଭୋଟ୍ ମିଳିଥିଲା ।