୨ବର୍ଷରେ ୨ଠ% ବଢ଼ିଛି ଫାଶୀଦଣ୍ଡ
ଆମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ
ନୁ୍ୟୟର୍କ (ଏଜେନ୍ସି): ବିଗତ ୨ ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଅତ୍ୟନ୍ତ ଜଘନ୍ୟ ଅପରାଧ ହାର ବେଶ୍ ବୃଦ୍ଧି ପାଇଛି । ସମାନୁପାତରେ ଏପ୍ରକାର ଧର୍ତ୍ତବ୍ୟ ଅପରାଧରେ ଅଭିଯୁକ୍ତ ଅପରାଧୀମାନଙ୍କୁ ଚରମ ଦଣ୍ଡବିଧାନ ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଏସମ୍ପର୍କରେ ଆମନେଷ୍ଟି ଇଣ୍ଟରନ୍ୟାସନାଲ (ବିଶ୍ୱସ୍ତରରେ ମାନବାଧିକାର ହନନ ସମ୍ବନ୍ଧିତ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା) ପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଫାଶୀଦଣ୍ଡ ହାର ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨ଠ% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିପରି ଫାଶୀଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କ ସଂଖ୍ୟା ମଧ୍ୟ ୩୯% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କେବଳ ୨ଠ୨ଠ ବର୍ଷରେ ବିଶ୍ୱସ୍ତରରେ ୪୮୩ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁୂଲାଇ ଦିଆଯାଇଛି ଯେତେବେଳେକି ୧୪୭୭ ଅପରାଧୀଙ୍କୁ ମୃତୁ୍ୟଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିପରି ୨ଠ୨୧ରେ ସମଗ୍ର ବିଶ୍ୱରେ ମୋଟ୍ ୫୭୯ ଅପରାଧୀଙ୍କୁ ସେମାନଙ୍କ ଜଘନ୍ୟ ଅପରାଧ ପାଇଁ ଫାଶୀ ଦିଆଯାଇଛି ଯେତେବେଳେ କି ମୋଟ୍ ୨ଠ୫୨ଜଣଙ୍କୁ ମୃତୁ୍ୟଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
ସିଧାସଳଖ କହିଲେ ଗତ ୨ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ମୋଟ୍ ୩୫୨୯ଜଣଙ୍କୁ ମୃତୁ୍ୟଦଣ୍ଡାଦେଶ ହୋଇଥିବା ବେଳେ ୧ଠ୬୨ଜଣଙ୍କୁ ଫାଶୀ ଦିଆଯାଇଛି । ଅପରାଧୀଙ୍କୁ ଫାଶୀ ଦେବା କ୍ଷେତ୍ରରେ ଇରାନ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ଏହି ଦୁଇ ବର୍ଷ ମଧ୍ୟରେ ଯେତେ ସଂଖ୍ୟକ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଛି ସେଥିମଧ୍ୟରୁ ୮ଠ% ଅପରାଧୀ କେବଳ ଇରାନ୍, ମିଶର ଏବଂ ସାଉଦିଆରବର । ୨ଠ୨ଠ ଏବଂ ୨ଠ୨୧ରେ ଇରାନ୍ରେ ଯଥାକ୍ରମେ ୨୪୬ ଏବଂ ୩୧୪ଜଣ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ସେହିପରି ମିଶର ଏବଂ ସାଉଦିଆରବରେ ମଧ୍ୟ ଶହ ଶହ ସଂଖ୍ୟକ ଅପରାଧୀଙ୍କୁ ଫାଶୀ ଦିଆଯାଇଛି । ତେବେ ବିଶ୍ୱସ୍ତରରେ ଫାଶୀ ଦେବା କ୍ଷେତ୍ରରେ ଚୀନ୍ ଆନୁମାନିକ ଭାବେ ସର୍ବପ୍ରଥମ ରହିଥିବା ଆମନେଷ୍ଟି ଇଣ୍ଟରନ୍ୟାସନାଲ ଦର୍ଶାଇଛି । ମାତ୍ର ଚୀନ୍, ଉତ୍ତରକୋରିଆ ଏବଂ ଭିଏତନାମ୍ ଭଳି ଅନେକ ଦେଶ ନିଜ ଦେଶରେ ଦିଆଯାଉଥିବା ଫାଶୀ ସମ୍ପର୍କୀତ ତଥ୍ୟକୁ ଗୁପ୍ତ ରଖୁଥିବା କାରଣରୁ ଏସବୁ ଦେଶର ଫାଶୀ ସମ୍ପର୍କୀତ ବାସ୍ତବିକ ତଥ୍ୟ ସାମ୍ନାକୁ ଆସିପାରୁନାହିଁ । ୨ଠ୧୬ ଏବଂ ୨ଠ୧୮ରେ ଚୀନ୍ରେ ପ୍ରାୟ ୧ଠଠଠ ଅପରାଧୀଙ୍କୁ ଫାଶୀ ଦିଆଯାଇଥିବା ଅନୁମାନ କରାଯାଏ । ଫାଶୀ ଦେବା କ୍ଷେତ୍ରରେ ଉତ୍ତରକୋରିଆ, ଭିଏତ୍ନାମ୍ ମଧ୍ୟ ବେଶ୍ ଅଗ୍ରଣୀ ରହିଛନ୍ତି । ଯଦି ଭାରତ ସମ୍ପର୍କରେ କୁହାଯାଏ ତେବେ ୨ଠ୧୮ରେ ଭାରତରେ ମୋଟ୍ ୧୬୮ଜଣଙ୍କୁ ଫାଶୀ ଦିଆଯାଇଥିଲା ।
ସେହିପରି ୨ଠ୨୨ରେ ମଧ୍ୟ ବିଶ୍ୱସ୍ତରରେ ଫାଶୀ ଦଣ୍ଡାଦେଶ ମାମଲା କମ୍ ନାହିଁ ବୋଲି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଦର୍ଶାଇଛି । ଇରାନ୍, ମିଶର, ସାଉଦିଆରବ, ଚୀନ୍ ଏବଂ ଭିଏତନାମ୍ରେ ୨ଠ୨୨ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କୁ ଫାଶୀଦଣ୍ଡାଦେଶ ହୋଇଥିବା ଆମନେଷ୍ଟି ଇଣ୍ଟରନ୍ୟାସନାଲ ଆଶଙ୍କା ପ୍ରକାଶ କରିଛି । ପ୍ରକାଶିତ ଏହି ୬୬ପୃଷ୍ଠା ସମ୍ବଳିତ ସଦ୍ୟ ରିପୋର୍ଟକୁୂ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପକ୍ଷେ ଆମନେଷ୍ଟି ଇଣ୍ଟରନ୍ୟାସନାଲ ମହାସଚିବ ଆଗ୍ନେଶ କେଲାମାର୍ଡ ଫାଶୀଦଣ୍ଡାଦେଶକୁ ତୀବ୍ର ନିନ୍ଦା କରିଛନ୍ତି । ଦଣ୍ଡବିଧାନ ଆଳରେ ଏହା ମାନବାଧିକାରର ହନନ ବୋଲି ସେ ଦର୍ଶାଇଛନ୍ତି ।