୪୨ରୁ ୩୬ ଚକ ନିର୍ମାଣ ଶେଷ
୩୪ ଦିନ ପରେ ଘୋଷଯାତ୍ରା
ପୁରୀ (ବୁ୍ୟରୋ): ୩୪ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ମହାପ୍ରଭୁ ବରଷକେ ଥରେ ତାଙ୍କର ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ନୀଳକନ୍ଦରର ରତ୍ନସିଂହାସନକୁ ଛାଡ଼ି ଆସିଥାନ୍ତି ବଡ଼ଦାଣ୍ଡକୁ । ସେଥିପାଇଁ ସମୟ ପାଖେଇ ଆସିଲାଣି । ଚଳିତବର୍ଷ ରଥଯାତ୍ରା ଭକ୍ତ କି ବିନା ଭକ୍ତରେ ଅନୁଷ୍ଠିତ ହେବ ଅନିଶ୍ଚିତତା ମଧ୍ୟରେ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ସୋରରେ ଆରମ୍ଭ ହୋଇଛି । ଶ୍ରୀନଅର ସମ୍ମୁ୍ଖ ରଥଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କିପରି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ ସେ ନେଇ ଚିନ୍ତାରେ ରହିଛନ୍ତି ବିଶ୍ୱକର୍ମା କାରିଗର ।
ରଥଖଳାରେ ଟାଣଖରା ଓ ଅସହ୍ୟ ଗୁଳୁଗୁଳିକୁ ଖାତିର ନ କରି ମହାରଣା ସେବାୟତମାନେ ତିିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତିନି ରଥ ପାଇଁ ୪୨ ଚକ ମଧ୍ୟରୁ ଆଜି ସୁଦ୍ଧା ୩୬ ଚକ ନିର୍ମାଣ ଶେଷ ହୋଇଛି । ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ୧୪, ତାଳଧ୍ୱଜର ୧୪ ଚକ ମଧ୍ୟରୁ ୧୨ ଓ ଦର୍ପଦଳନର ୧୨ ଚକ ମଧ୍ୟରୁ ୧୦ଟି ଚକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ସେହିଭଳି ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଦଣ୍ଡା କାର୍ଯ୍ୟ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର ୭ଟି ଦଣ୍ଡା ନିର୍ମାଣ ଶେଷ ହୋଇଛି । ପ୍ରତି ରଥର ତିନୋଟି ଲେଖାଏଁ ଭୂଇଁରେ ୧୨ଟି ଚଉତା କାଠ ମଧ୍ୟରୁ ୮ଟି ଚଉତା କାମ ସରିଥିବାବେଳେ ଅନ୍ୟ ୪ଟିର ଭୂଇଁ ଚଉତା କାର୍ଯ୍ୟ ଜାରି ରହିଛି ।