ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଚିକିତ୍ସାରେ ଅବହେଳା: ଗ୍ରାମବାସୀଙ୍କ ବିକ୍ଷୋଭ
ପାଟପୁର (ଆପ୍ର): ସାନଖେମୁଣ୍ଡି ବ୍ଲକ୍ ଆନପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଗୁରୁବାର ଖଲିଙ୍ଗି ଗ୍ରାମବାସୀମାନେ ମେଡିକାଲ୍ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ପାଟପୁର ଥାନା ଅଧୀନ ଖଲିଙ୍ଗି ଗ୍ରାମର ଜଣେ ୮ବର୍ଷର ବାଳକ ରାସ୍ତା ପାର୍ ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲା । ସମ୍ପର୍କୀୟ ଓ ଗ୍ରାମବାସୀ ତାକୁ ରକ୍ତାକ୍ତ ଅବସ୍ଥାରେ ଆଡ଼ପଡ଼ା ମେଡିକାଲ୍ରେ ଚିକତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଦାୟିତ୍ୱରେ ଥିବା ଡାକ୍ତର ସତୀଶ କୁମାର ପାତ୍ର ଡାକ୍ତରଖାନାରେ ନ ଥିବାରୁ କିଛି ଯୁବ ଡାକ୍ତର ରହୁଥିବା କକ୍ଷକୁ ଯାଇ ଚିକିତ୍ସା ପାଇଁ ଡାକିଥିଲେ । ମାତ୍ର ଡାକ୍ତର ଜଣକ ବିଳମ୍ବରେ ଆସିଥିଲେ । ଚିକିତ୍ସାରେ ଅବହେଳା କରୁଥିବା ନେଇ ପଚାରିବାରୁ ଡାକ୍ତର ଜଣକ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମେଡିକାଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାନଖେମୁଣ୍ଡି ଗସ୍ତରେ ଆସିଥିବାବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକାଇ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ଗୁରୁତର ବାଳକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ୍ ପଠାଇ ଦେଇଥିଲେ । ଏନେଇ ମେଡିକାଲ୍ ଇନ୍ଚାର୍ଜ ବାହାନ ଦାସଙ୍କୁ ପଚାରିବାରୁ ଅଭିଯୋଗ ସତ୍ୟ ବୋଲି ସ୍ୱୀକାର କରିିଥିଲେ । ମୁନା ନାହାକ, କୃଷ୍ଣଚନ୍ଦ୍ର ରାଉତ, ଭିକାରୀ ପ୍ରଧାନ, ସୁଶାନ୍ତ ନାହାକ, ସାଗର ଲେଙ୍କା, କାହ୍ନୁ ନାହାକ, ଲିଟୁ ନାହାକ ସମେତ ବହୁ ଗ୍ରାମବାସୀ ବିକ୍ଷୋଭରେ ସାମିଲ ହୋଇଥିଲେ ।