ଶ୍ରୀକ୍ଷେତ୍ରକୁ କେଉଁଠୁ ଆସୁଛି ବନ୍ଧୁକ?

ପୁରୀ (ବୁ୍ୟରୋ): ପର୍ଯ୍ୟଟନ ସହର ଭାବେ ଶ୍ରୀକ୍ଷେତ୍ର ପରିଚିତ । ଏଠାକୁ ପ୍ରତ୍ୟେକ ଦିନ ରାଜ୍ୟର କୋଣଅନୁକୋଣରୁ ଆରମ୍ଭ କରି ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ଫଳରେ ୨୪ଘଣ୍ଟା ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହାରି ମଧ୍ୟରେ ଶ୍ରୀକ୍ଷେତ୍ରରେ ନିଶା ବ୍ୟବସାୟୀଙ୍କ ସମେତ ଭାଙ୍ଗ, ଗଞ୍ଜେଇ, ଲୁଟ୍ ଓ ମାରିପଟ୍ ଭଳି ଘଟଣା ଘଟୁଛି । ଏହାକୁ ନିୟନ୍ତ୍ରଣ କରିବାରେ ପୁଲିସ ସଫଳ ହୋଇଥିଲା । ଏପରିକି ସହରରେ ଥିବା ନିଶାଡ଼ି ଓ ବଟି ଆଦାୟ କରୁଥିବା ଦୁର୍ବୃତ୍ତଙ୍କ ନିଦ ହଜିଯାଇଛି । ଏହା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ କଥା କଥାକେ ଫୁଟୁଛି ଗୁଳି । ହେଲେ ଏହି ଧର୍ମୀୟ ସହରକୁ ବନ୍ଧୁକ ଆସୁଛି କେଉଁଠି । ତାହାକୁ ନେଇ ଏବେ ସହରାବାସୀଙ୍କ ସହ ପୁଲିସ ଚିନ୍ତାରେ ।
କିଛି ବ୍ୟକ୍ତିଗତ ରାଗ ସୁଝାଇବା ଲାଗି ସିଧାସଳଖ ଗୁଳି କରି ହତ୍ୟା କରାଯାଉଛି । ଯାହାକୁ ନେଇ ଅଶାନ୍ତ ହୋଇପଡୁଛି ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ରାତିରେ । ଶ୍ରୀମନ୍ଦିର ସମ୍ମୁଖ ଏମାର ଚକଡ଼ାରେ ଜଣେ ସେବାୟତଙ୍କୁ ଲୋକଙ୍କ ଗହଳି ମଧ୍ୟରେ ମୁଣ୍ଡକୁ ଗୁଳି କରି ହତ୍ୟା କରାଗଲା । ଉକ୍ତ ଘଟଣାରେ ପୁଲିସ ଗୋଟିଏ ପରିବାରର ୩ଜଣଙ୍କୁ ବାନ୍ଧି ଗିରଫ କୋର୍ଟ ଚାଲାଣ କରିଛି । ତତ୍ସହିତ ବନ୍ଧୁକ ମଧ୍ୟ ଜବତ କରିଛି । ହେଲେ କମ୍ ବୟସର ଯୁବକମାନଙ୍କ ନିକଟକୁ ବନ୍ଧୁକ ଆସୁଛି କେଉଁଠି ତାହାକୁ ନେଇ ଚିନ୍ତାପ୍ରକଟ କରିଛି ପୁଲିସ । ଏପରିକି ପୁଲିସ ୪ଟି ବନ୍ଧୁକ ଜବତ କରିଥିବା ନେଇ ସୂଚନା ମିଳୁଥିବା ବେଳେ କିନ୍ତୁ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଏତେମାତ୍ରାରେ ଶ୍ରୀକ୍ଷେତ୍ରକୁ ବନ୍ଧୁକ କିଭଳି ଆସୁଛି ତାହାର ରହସ୍ୟ କେବେ ପର୍ଦ୍ଦାଫାସ ହେବ ତାହା ଉପରେ ସମସ୍ତଙ୍କ ନଜର ।
ଏସମ୍ପର୍କରେ ଏସ୍ପି କନୱାର ବିଶାଲ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ବନ୍ଧୁକ କେଉଁଠି ଆସୁଛି ତାହା ଉପରେ ପୁଲିସ ଗୁରୁତ୍ୱ ଦେଇଛି । ଏମାନଙ୍କୁ ବନ୍ଧୁକ କିଏ ଯୋଗାଉଛି ବା ଏମାନେ ଅନ୍ୟ କେଉଁଠି ଆଣୁଛନ୍ତି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ପୁଲିସ ପକ୍ଷରୁ ୫ ଟିମ୍ ଗଠନ କରାଯାଇଛି । ଟିମ୍ର ନେତୃତ୍ୱ ନେଇଛନ୍ତି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା । ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ବନ୍ଧୁକକୁ ନେଇ ଛାନ୍ଭିନ୍ କରାଯାଉଛି । ଖୁବ୍ଶୀଘ୍ର ବନ୍ଧୁକ ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି । ସେହିଭଳି ଗତ କିଛି ମାସ ତଳେ ବହୁଚର୍ଚ୍ଚିତ ଶ୍ରୀମନ୍ଦିରର ସେବାୟକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ହେଲେ କେଉଁଠୁ ବନ୍ଧୁକ ଆସିଥିବା ଜାଣିବା ସହ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ସେ ଯୋଗାଣକାରୀ ଜେଲ୍ରେ ରହିଥିବାବେଳେ ଚନ୍ଦନ ବନ୍ଧୁକ କେଉଁଠୁ ଆଣିଲା ତାହାକୁ ନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *