ନକ୍ଆଉଟ୍ରେ ଭାରତ

ଜାକର୍ତ୍ତା, ୨୬ା୫ (ଏଜେନ୍ସି): ଯୁବ ଭାରତୀୟ ଟିମ୍ ଗୁରୁବାର ଆୟୋଜକ ଇଣ୍ଡୋନେସିଆକୁ ୧୬-୦ରେ ହରାଇ ଏସିଆ କପ୍ର ସୁପର୍-୪ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏହି ବୃହତ୍ ବିଜୟ ଦ୍ୱାରା ଭାରତ କେବଳ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ସ୍ଥାନ ସଂରକ୍ଷଣ କରି ନାହିଁ, ପାକିସ୍ତାନର ବିଶ୍ୱକପ୍ ଦ୍ୱାର ବନ୍ଦ ମଧ୍ୟ କରିଦେଇଛି ।
ଉଭୟ ଭାରତ ଓ ପାକିସ୍ତାନ ପୁଲ୍-ଏ’ରେ ଜାପାନ୍ ପଛରେ ରହି ୪ ପଏଣ୍ଟ ଲେଖାଏଁ ପାଇଥିଲେ । କିନ୍ତୁ ଡିଫେଣ୍ଡିଂ ଚାମ୍ପିଅନ୍ ଉତ୍ତମ ଗୋଲ୍ ବ୍ୟବଧାନ (୧) ଯୋଗୁଁ ସୁପର୍-୪ରେ ସ୍ଥାନ ପାଇଥିଲା । ପରବର୍ତ୍ତୀ ରାଉଣ୍ଡକୁ ଯିବା ପାଇଁ ଭାରତୀୟ ଟିମ୍ ଇଣ୍ଡୋନେସିଆ ବିପକ୍ଷରେ ୧୫-୦ ବା ଏହାଠାରୁ ଅଧିକ ବ୍ୟବଧାନରେ ଜିତିବା ଆବଶ୍ୟକ ଥିଲା ।
ଓଡ଼ିଆର ଖେଳାଳି ଦୀପସାନ ତିର୍କୀଙ୍କ ପାଞ୍ଚ ଗୋଲ୍ ଓ ସୁଦେଭ ବେଲିମାଗାଙ୍କ ତିନି ଗୋଲ୍ ସହାୟତାରେ ଭାରତ ସେହି ଆହ୍ୱାନପୂର୍ଣ୍ଣ ଲକ୍ଷ୍ୟକୁ ହାସଲ କରିଥିଲା । ଭେଟେରାନ୍ ଏସ୍ଭି ସୁନୀଲ, ପବନ ରାଜଭର ଓ କାର୍ତ୍ତି ସେଲ୍ଭମ ଦୁଇଟି ଲେଖାଏଁ ଏବଂ ଉତ୍ତମ ସିଂହ, ଓଡ଼ିଆ ଖେଳାଳି ନୀଲମ ସଞ୍ଜୀପ ଖେସ୍ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । କେବଳ ଅନ୍ତିମ କ୍ୱାର୍ଟରରେ ଛଅଟି ଗୋଲ୍ ହୋଇଥିଲା ।
ଭାରତୀୟ ଟିମ୍ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ପୁଲ୍ ମ୍ୟାଚ୍ରେ ଜାପାନ୍ ଠାରୁ ୨-୩ରେ ହାରି ଯାଇଥିଲା । ଭାରତର ଇଣ୍ଡୋନେସିଆ ବିପକ୍ଷ ଫଳାଫଳ ପାକିସ୍ତାନକୁ କେବଳ ଟୁର୍ଣ୍ଣାମେଣ୍ଟରୁ ବିଦା କରି ନାହିଁ, ତା’ର ବିଶ୍ୱକପ୍ ଯୋଗ୍ୟତା ଆଶାକୁ ବି ଧୂଳିସାତ୍ କରି ଦେଇଛି, କାରଣ ଏଠାରୁ କେବଳ ତିନିଟି ଟପ୍ ଟିମ୍ ବିଶ୍ୱକପ୍ ଟିକେଟ୍ ପାଇବେ । ଭାରତ ଆୟୋଜକ ହୋଇଥିବା ଦୃଷ୍ଟିରୁ ବିଶ୍ୱକପ୍ ଖେଳିବ । ଏଥିପାଇଁ ହକି ଇଣ୍ଡିଆ ଏକ୍ସପୋଜର୍ ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଯୁବ ଖେଳାଳିମାନଙ୍କୁ ପଠାଇଥିଲା ।
ଏହି ଏକତରଫା ମୁକାବିଲାରେ ଭାରତ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିଲା । ସପ୍ତମ ମିନିଟ୍ରେ ଭାରତ ପାଖରେ ଗୋଲ୍ କରିବାର ସୁଯୋଗ ଥିଲା । ଉତ୍ତମ କୁମାରଙ୍କୁ କେବଳ ଗୋଲ୍କିପର୍ଙ୍କୁ ଚମକା ଦେବାର ଥିଲା, ହେଲେ ତାଙ୍କ ସଟ୍ ୱାଇଡ୍ ହୋଇଥିଲା । ୧୦ମ ମିନିଟ୍ରେ ରାଜଭର ଏକ ଶକ୍ତିଶାଳୀ ସଟ୍ ମାରି ଡେଡ୍ଲକ୍ ଭାଙ୍ଗିଥିଲେ । ଏହାର ଏକ ମିନିଟ୍ ପରେ ଟିମ୍ର ପ୍ରଥମ ପେନାଲ୍ଟି କର୍ଣ୍ଣରରୁ ଏକ ରିବାଉଣ୍ଡ ଜରିଆରେ ରାଜଭର ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ପ୍ରଥମ କ୍ୱାର୍ଟର୍ ଶେଷ ହେବାକୁ ଏକ ମିନିଟ୍ ବାକି ଥିବା ବେଳେ ଉତ୍ତମଙ୍କ ଗୋଲ୍ ଜରିଆରେ ଭାରତ ଅଗ୍ରଣୀକୁ ବଢ଼ାଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ବି ଭାରତ ତା’ର ଆକ୍ରମଣାତ୍ମକତା ଜାରି ରଖିଥିଲା ଏବଂ ୧୯ତମ ମିନିଟ୍ରେ ଆଉ ଏକ ପିସି ପାଇଥିଲା । ସୁନୀଲ୍ ଏହାକୁ ଗୋଲ୍ରେ ପରିଣତ କରିଥିଲେ । ଏହାର ଏକ ମିନିଟ୍ ପରେ ଭାରତ କ୍ରମାଗତ ଦୁଇଟି ପିସି ଜିତିଥିଲା । ଦ୍ୱିତୀୟ ପିସିରୁ ନୀଲମ ଗୋଲ୍ କରିବାରୁ ଟିମ୍ର ସ୍କୋର୍ଲାଇନ୍ ୫-୦ରେ ପହଞ୍ଚିଥିଲା । ୨୪ତମ ମିନିଟ୍ରେ ପୋଷ୍ଟ ନିକଟରୁ କାର୍ତ୍ତିଙ୍କ ପାସ୍ରେ ସୁନୀଲ୍ଙ୍କ ଡିଫ୍ଲେକ୍ସନ୍ରୁ ଭାରତ ଷଷ୍ଠ ଗୋଲ୍ କରିଥିଲା । ମଧ୍ୟାନ୍ତର ସୁଦ୍ଧା ଏହି ସ୍ଥିତି ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଉତ୍ତମ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ । ପୁଣି ଥରେ ଆଗରେ କେବଳ ଗୋଲ୍କିପର୍ ଥିବା ବେଳେ ତାଙ୍କ ସଟ୍ ୱାଇଡ୍ ହୋଇଥିଲା । ଏହାପରେ ଭାରତ ସପ୍ତମ ପିସି ପାଇଥିଲା, ହେଲେ ଜୁନିଅସ୍ ରୁମାରୋପେନ୍ ଦୁଇ ଥର ସେଭ୍ କରିଥିଲେ । ୪୦ତମ ମିନିଟ୍ରେ କାର୍ତ୍ତି, ରାଜଭରଙ୍କ ଦ୍ୱାରା ସେଟ୍ କରାଯାଇଥିବା ଏକ ସୁଯୋଗର ସଦୁପଯୋଗ କରିଥିଲେ । ରାଜଭର ତିନି-ଚାରି ଜଣ ଇଣ୍ଡୋନେସୀୟ ଡିଫେଣ୍ଡରଙ୍କୁ ନିଜ ଷ୍ଟିକ୍ୱାର୍କ ଓ ଦୃଢ଼ ଖେଳ ଦ୍ୱାରା ପଛରେ ପକାଇ ଏହି ସୁଯୋଗ ସୃଷ୍ଟି କରିଥିଲେ ।
ଏଜାପରେ ଭାରତ କ୍ରମାଗତ ତିନି ପିସି ଅର୍ଜନ କରିଥିଲା । ଶେଷ ପିସିରୁ ଦୀପସାନ୍ ସ୍କୋର୍ କରି ଟିମ୍ର ନକ୍ଆଉଟ୍ ଆଶାକୁ ଉଜ୍ଜୀବିତ ରଖିଥିଲେ । ୪୨ତମ ମିନିଟ୍ରେ ଦୀପସାନ୍ ପେନାଲ୍ଟି ଷ୍ଟ୍ରୋକ୍ରୁ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ଦେଇଥିଲେ । ବେଲିମାଗା ଏହାପରେ ଦୁଇ ମିନିଟ୍ ମଧ୍ୟରେ ଦୁଇଟି ସ୍କୋର୍ କରିଥିବା ବେଳେ ଦୀପସାନ୍ ୧୪ତମ ପିସିରୁ (ବ୍ୟକ୍ତିଗତ) ତୃତୀୟ ଗୋଲ୍ କରି ଭାରତର ସ୍କୋର୍ଲାଇନ୍କୁ ୧୨-୦ରେ ପହଞ୍ଚାଇଥିଲେ ।
୪୭ତମ ମିନିଟ୍ରେ ଦୀପସାନ୍ ଏକ ପିସିକୁ ଗୋଲ୍ରେ ପରିଣତ କରିଥିଲେ । ଫାଇନାଲ୍ ହୁଟର୍ର ପାଞ୍ଚ ମିନିଟ୍ ପୂର୍ବରୁ ସୁଦେଭ ଏକ ରିବାଉଣ୍ଡରୁ ଗୋଲ୍ ଦେଇଥିଲେ । ଭାରତର ଆକ୍ରମଣ ବଢ଼ି ଯାଇଥିଲା, ଯାହାର ଫଳସ୍ୱରୂପ କାର୍ତ୍ତି ଏକ ଫିଲ୍ଡ ଗୋଲ୍ କରିଥିଲେ । ଶେଷ ମିନିଟ୍ରେ ଦୀପସାନ୍ ଆଉ ଏକ ପିସିରୁ ଗୋଲ୍ କରି ଭାରତକୁ ନକ୍ଆଉଟ୍ରେ ପହଞ୍ଚାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *