ୟାସିନ୍କୁ ଆଜୀବନ
ନୂଆଦିଲ୍ଲୀ, ୨୫ ।୫: ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ୍ର ମୁଖିଆ ୟାସିନ୍ ମଲିକକୁ ୨୦୧୭ ମସିହାର ଟେରର୍ ଫଣ୍ଡିଂ ମାମଲାରେ ମିଳିଛି ଆଜୀବନ କାରାବାସ ଓ ୧୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡ । ଦିଲ୍ଲୀର ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତ ବୁଧବାର ଦଣ୍ଡ ଘୋଷଣା କରିଛନ୍ତି । ଏନ୍ଆଇଏ ପକ୍ଷରୁ ଆଗତ ସବୁ ଅଭିଯୋଗକୁ ୟାସିନ୍ ଅଦାଲତରେ ସ୍ୱୀକାର କରିଥିଲା ।
ଅଧିବକ୍ତା ଉମେଶ ଶର୍ମା କହିଛନ୍ତି, ୟାସିନ୍ଙ୍କୁ ଦୁଇଟି ଅପରାଧ ପାଇଁ ଆଜୀବନ ସଜା ଶୁଣାଇ ଦିଆଯାଇଛି । ଏହାବାଦ୍ ଆଉ ୭ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ୟୁଏପିଏର ଧାରା ୧୩ ଏବଂ ଧାରା ୧୫ ଓ ୧୬ ଅନୁଯାୟୀ ଯଥାକ୍ରମେ ୫ ବର୍ଷ ଓ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ୟୁଏପିଏର ଧାରା ୧୮ (ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ଷଡ଼୍ୟନ୍ତ୍ର) ଅନୁଯାୟୀ ତାକୁ ୧୦ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି । ସେହିପରି ୟୁଏପିଏର ଧାରା ୨୦ (ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ହେବା) ଏବଂ ଧାରା ୩୮ ଓ ୩୯ ଅନୁଯାୟୀ ୧୫ ବର୍ଷ ଜେଲ୍ ଓ ୫ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି । ଏହା ବାଦ୍ ଆଇପିସିର ଧାରା ୧୨୦ ବି (ଅପରାଧିକ ଷଡ଼୍ୟନ୍ତ୍ର) ଓ ଧାରା ୧୨୧ ଏ
(ରାଷ୍ଟ୍ର ବିରୋଧରେ ଯୁଦ୍ଧ ଉନ୍ମାଦ ସୃଷ୍ଟି) ଅନୁଯାୟୀ ୟାସିନ୍ଙ୍କୁ ୧୦ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ ।
କଡ଼ା ସୁରକ୍ଷା ବନେ୍ଦାବସ୍ତରେ କୋର୍ଟ ୟାସିନ୍ ବିରୋଧରେ ଦଣ୍ଡ ଘୋଷଣା କରିଥିଲେ । ଦଣ୍ଡ ଘୋଷଣା ସମୟରେ ଶ୍ରୀନଗରସ୍ଥିତ ୟାସିନର ଘର ଆଖପାଖରେ ମଧ୍ୟ ଅନୁରୂପ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ୟାସିନ୍ ମୂଳତଃ ଶ୍ରୀନଗର ବାସିନ୍ଦା । ଚାରିଜଣ ଏୟାର୍ଫୋର୍ସ ଯବାନଙ୍କୁ ହତ୍ୟା କରିବା ସମେତ ଅନେକ ଗୁରୁତର ଅଭିଯୋଗ ତା’ ନାଁରେ ଥିଲା । କଶ୍ମୀର ଘାଟିରେ ଅଧିକାଂଶ ହିଂସାକାଣ୍ଡ ଷଡ଼୍ୟନ୍ତ୍ରରେ ୟାସିନ୍ ସାମିଲ ଥିଲା ବୋଲି ଏନ୍ଆଇଏ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ।
ୟାସିନ୍ ପରିବାରର ସବୁ ସଦସ୍ୟ ଏବେ ବିଦେଶରେ ରହୁଥିବାବେଳେ ୟାସିନ୍ ଅନେକ ଦିନ ହେଲା ତିହାଡ଼ ଜେଲ୍ରେ ରହିଆସିଛି । ୧୯୮୦ ଦଶକରେ ୟାସିନ୍ ମଲିକ ଆତଙ୍କର ମାର୍ଗ ଚୟନ କରି ତାଲାପାତି ନାମକ ଏକ ରାଜନୈତିକ ସଂଗଠନ ଗଢ଼ିଥିଲା । ସର୍ବପ୍ରଥମେ ୧୯୮୩ରେ ଇଣ୍ଡିଆ-ୱେଷ୍ଟ୍ଇଣ୍ଡିଜ୍ ମ୍ୟାଚ୍ ଚାଲିଥିବାବେଳେ ବିଭ୍ରାଟ ସୃଷ୍ଟି କରିବା ଘଟଣାରେ ତା’ର ନାମ ଆସିଥିଲା । ୧୯୮୪ରେ ଜେକେଏଲ୍ଏଫ୍ର ମୁଖ୍ୟ ମକବୁଲ୍ ଭଟକୁ ଫାଶୀ ଦିଆଯିବା ପରେ ୟାସିନ୍ ଖୋଲାଖୋଲି ଭାବେ ଭାରତ ବିରୋଧରେ ସ୍ୱର ଉଠାଇଥିଲା । ବିଚ୍ଛିନ୍ନତାବାଦୀମାନଙ୍କ ତରଫରୁ ୟାସିନ୍ ଅର୍ଥ ଯୋଗାଡ଼ କରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଯବାନମାନଙ୍କ ଉପରକୁ ଟେକାପଥର ଫିଙ୍ଗିବା ପାଇଁ ସେ ଯୁବକମାନଙ୍କୁ ଜଣ ପିଛା ଦୈନିକ ୫୦୦ ଟଙ୍କା ଦେଉଥିଲା । ଏହାଛଡ଼ା ଜମ୍ମୁ-କଶ୍ମୀରରେ ସ୍କୁଲ ପୋଡ଼ିବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଇତ୍ୟାଦି କାର୍ଯ୍ୟରେ ସେ ପାକିସ୍ତାନରୁ ପାଇ ଆସୁଥିବା ଟଙ୍କା ଖର୍ଚ୍ଚ କରୁଥିଲା ।