୨୧ଠଠ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ
୨ଠ୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଆୟୋଗ
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଦେଶର ଅନେକ ରାଜନୈତିକ ଦଳ ନିଜ ହିସାବରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନେକ ଦଳ ରାଜନୈତିକ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିସାରିଲେଣି । ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨ଠ୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ନିର୍ବାଚନ ଆୟୋଗ (ଇସି) ମଧ୍ୟ ତତ୍ପର ହୋଇପଡିଥିବା ଜଣାପଡିଛି । ୨ଠ୨୪ ନିର୍ବାଚନ ପୂର୍ବରୁ ଦେଶରେ ଥିବା ପଞ୍ଜିକୃତ ମାତ୍ର ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ମଧ୍ୟରୁ ପ୍ରାୟ ୨୧ଠଠ ଦଳ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ନିର୍ବାଚନ ଆୟୋଗ । ଟିକସ ଦାଖଲ କ୍ଷେତ୍ରରେ ହେରଫେର୍ ସହ ଅନ୍ୟ କେତେକ ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ଆଧାରରେ ନିର୍ବାଚନ ଆୟୋଗ ଏହି ୨୧ଠଠ ରାଜନୈତିକ ଦଳଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ବୁଧବାର ଏସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ଏଥିରେ ଆୟୋଗ ଦର୍ଶାଇଛି ଯେ, ଦେଶରେ ଏପ୍ରକାର ଅନେକ ପଞ୍ଜିକୃତ ରାଜନୈତିକ ଦଳ ଅଛନ୍ତି ଯେଉଁମାନେ ବର୍ତ୍ତମାନ ସୁଦ୍ଧା ରାଜନୈତିକ ଦଳ ଭାବେ ସ୍ୱୀକୃତି ହାସଲ କରିନାହାନ୍ତି । ଏସବୁ ରାଜନୈତିକ ଦଳଙ୍କ ମଧ୍ୟରୁ କେତେକ ଟିକସ ଦାଖଲ କ୍ଷେତ୍ରରେ ବ୍ୟାପକ ହେରଫେର କରିଥିବା ଜାଣିବାକୁ ମିଳିଛି । ଏପରିକି ନିୟମାନୁସାରେ ଏମାନେ ଦଳର ପାଣ୍ଠିରୁୁ ହେଉଥିବା ଆର୍ଥିକ କାରବାର ସମ୍ପର୍କରେ ବାର୍ଷିକ ଅଡିଟ୍ ମଧ୍ୟ ଠିକ୍ ଭାବେ କରିନାହାନ୍ତି । ସେହିପରି ଅନେକ ଦଳ ସେମାନଙ୍କୁ ମିଳୁଥିବା ରାଜନୈତିକ ଚାନ୍ଦା ଅର୍ଥ ସମ୍ପର୍କରେ ମଧ୍ୟ ସୂଚନା ଦେଇନାହାନ୍ତି । ବର୍ତ୍ତମାନ ସମୟରେ ଏପ୍ରକାର ପ୍ରାୟ ୨୧ଠଠ ରାଜନୈତିକ ଦଳଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ବିରୋଧରେ ଭାରତ ନିର୍ବାଚନ ଆୟୋଗ ଆର୍ପି ଅଧିନିୟମ ୧୯୫୧ ଧାରା ୨୯-ଏ ଓ ୨୯-ସି ଅନ୍ତର୍ଗତ ମାମଲା ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପ୍ରକାଶଯୋଗ୍ୟ, ରାଜନୈତିକ ଦଳଙ୍କ ଲାଗି ବିଧାନସଭା ନିର୍ବାଚନ ଶେଷ ହେବାର ୭୫ ଦିନ ଓ ଲୋକସଭା ନିର୍ବାଚନ ଶେଷ ହେବାର ୯ଠ ଦିନ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚ ସମ୍ପର୍କରେ ବିସ୍ତୃତ ରିପୋର୍ଟ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବାକୁ ହୋଇଥାଏ ।