‘ବିକାଶ ହେଉ, ଐତିହ୍ୟ ନଷ୍ଟ କରା ନ ଯାଉ’

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମଙ୍ଗଳବାର ସବୁବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି ଯେ, ପୁରୀର ବିକାଶ ନାମରେ ଯେଉଁ ହୋ-ହଲ୍ଲା ହେଉଛି ତାହା ପବିତ୍ର ଧାମର ଅସ୍ତିତ୍ୱ ଓ ଆଦର୍ଶ ବିଲୋପର ମାର୍ଗ ପ୍ରସ୍ତୁତ କରୁଛି । ଶାସନତନ୍ତ୍ରର ଏହା ଦାୟିତ୍ୱ ଯେ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀର ରୂପ ଦିଆନ ଯାଉ । ମୁଁ ବିକାଶକୁ ସମର୍ଥନ କରେ । ବିକାଶ ନାମରେ ତୀର୍ଥସ୍ଥାନର ଅସ୍ତିତ୍ୱ ଓ ଆଦର୍ଶ ବିଲୁପ୍ତ ହୋଇଯିବ ଏହାକୁ ସମର୍ଥନ କରେ ନାହିଁ । ଶାସନତନ୍ତ୍ର ପରମ୍ପରାଗତ ମଠଗୁଡ଼ିକୁ ବିସ୍ତୃତ କରିବା ଉଦେ୍ଦଶ୍ୟରେ ଭାଙ୍ଗିସାରିଛି । ଏପରିକି ଦେବଦେବୀଙ୍କ ସ୍ଥାନକୁ ବି ବିଲୁପ୍ତ କରି ଦିଆଯାଇଛି । ଶାସନତନ୍ତ୍ର ଏହା ନ ଭାବୁ ଯେ ଖୁବ୍ ଶକ୍ତିଶାଳୀ । ଲୋକମତ କେବେ ବି ବିପରୀତ ହୋଇପାରେ । ଓଡ଼ିଶାର ଜନସାଧାରଣ ବର୍ଷ ବର୍ଷ ଧରି ଯେଉଁ ରାଜନୈତିକ ଦଳକୁ ଶାସନ କରିବାର ସୁଯୋଗ ଦେଇ ଆସିଛନ୍ତି ସେହି ଜନସାଧାରଣଙ୍କୁ ମୁଁ କହିବାକୁ ଚାହିଁବି କି ପୁରୀର ଧାର୍ମିକ ଆଦର୍ଶକୁ ବିକୃତ ଓ ବିଲୁପ୍ତ କରିବାର ପ୍ରୟାସ କରାଯାଉଛି । ଧାର୍ମିକ ସ୍ଥଳୀକୁ ପ୍ରଦର୍ଶନୀସ୍ଥଳ ବା ପିକ୍ନିକ୍ କେନ୍ଦ୍ର ବନାଇବା ଉଚିତ୍ ନୁହେଁ । ତପସ୍ଥଳୀକୁ ଭୋଗସ୍ଥଳୀ କରା ନଯାଉ । ଏପରିକି ବିକାଶ ହେଉ, କିନ୍ତୁ ଐତିହ୍ୟ ନଷ୍ଟ କରା ନ ଯାଉ ।
ତତ୍ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କଥାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା ଉଚିତ୍ । ପୁରୀ ହେଉଛି ଧାର୍ମିକ ରାଜଧାନୀ । ଏହାର କ୍ଷୁର୍ଣ୍ଣ ହେଲେ ଦେବତା ଓ ଦେବୀ କୋପ କରିବେ । ଆଉ ଦେବୀ ଦେବତା କୋପ କଲେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି ହେବ । ଭବିଷ୍ୟତରେ ଆଉ ଏପରି କାର୍ଯ୍ୟ କରିବାକୁ ସରକାର ଦୁଃସାହସ ନ କରନ୍ତୁ ବୋଲି ସିଧାସିଧା ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ମତପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯେଉଁ ଧ୍ୱଂସର ପଥ ବାଛିଛନ୍ତି ତାହାକୁ ରକ୍ଷା କରିବା ଲାଗି ଓଡ଼ିଶାର ଜନସାଧାରଣ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *