୬ ମୃତ, ୪୨ ଗୁରୁତର
କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ୍ ବସ
ଭଞ୍ଜନଗର, ୨୫ା୫(ଆପ୍ର): ଗଞ୍ଜାମ ଜିଲ୍ଲାର କଳିଙ୍ଗା ଘାଟିରେ ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଏକ ପର୍ଯ୍ୟଟକ ବସ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତୁ୍ୟ ଘଟିଛି ଓ ୪୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଅନ୍ତର୍ଭୁକ୍ତ । ଆହତମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରରାଯାଇଛି । ଆହତମାନଙ୍କ ମଧ୍ୟରୁ ୧୫ରୁ ଊଦ୍ଧ୍ୱର୍ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଇଛି । ବ୍ରେକ୍ ଫେଲ ହେବାରୁ ବସ୍ ଘାଟିରୁ ଓଲଟି ପଡ଼ିଥିବା ଡ୍ରାଇଭର୍ କହିଛନ୍ତି । ହସ୍ପିଟାଲରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆହତମାନଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।
ସୂଚନା ଅନୁଯାୟୀ, ପ୍ରାୟ ୭୭ ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଏହି ବସ କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବା ପରେ ଦାରିଙ୍ଗିବାଡିରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଥିଲା । ମଙ୍ଗଳବାର ରାତି ଗୋଟାଏ ସମୟରେ ବସ କଳିଙ୍ଗା ଘାଟିରୁ ଖସୁଥିବାବେଳେ ଭଞ୍ଜନଗର ଥାନା ଅନ୍ତର୍ଗତ ଘାଟି ରାସ୍ତାରେ ବ୍ରେକ୍ ଫେଲ୍ ହୋଇ ଏକ ବିଦୁ୍ୟତ୍ ଖୁଣ୍ଟରେ ପିଟିହୋଇ ଓଲଟିପଡିଥିଲା । ଫଳରେ ବସତଳେ ଚାପି ହୋଇ ୬ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ପୁଲିସ ଏବଂ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରୁ ଆସିଥିବା ଦମକଳ ବାହିନୀ ସହଯୋଗରେ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲକୁ ନିଆଯାଇଥିଲା ।
ପ୍ରାଥମିକ ଚିକିତ୍ସା ପରେ ପଶ୍ଚିମବଙ୍ଗ ପଠାଇ ଦେବାକୁୁ ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ନିବେଦନ କରିଛନ୍ତି । ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ କହିଛନ୍ତି, ହାଇଡ୍ରା ମେସିନ ସହାୟତାରେ ବସକୁ ଟେକାଯାଇ ଚାପିହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା ।
ଗୁରୁତର ଥିବା ୧୫ଜଣଙ୍କୁ ଏମ୍କେସିଜି ସ୍ଥାନାନ୍ତର କରାଯାଇଛି ଓ ଆହୁରି ୩୦ରୁ ଊର୍ଦ୍ଧ ଯାତ୍ରୀ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ସୁପ୍ରିୟା ଦିନରି, ସଂଜିତ ପାତ୍ର, ରୀମା ଦିନରି, ମୌସୁମୀ ଦିନରି, ବର୍ଣ୍ଣାଳୀ ମନ୍ନା ପ୍ରମୁଖ ଓ ସମସ୍ତଙ୍କ ଘର ହାୱଡା ଜିଲ୍ଲା ଉଦୟନାରାୟଣପୁରର ସୁଲତାନପୁର ଗ୍ରାମରେ ବୋଲି ଜଣାପଡିଛି ।
ଆହତ ହୋଇଥିବା ଡ୍ରାଇଭର ରାଜୁ ସାଦୁଖା (୫୦) ଦୁର୍ଘଟଣା ସଂପର୍କରେ କହିଛନ୍ତି, ଦୁର୍ଗାପ୍ରସାଦଠାରୁ ପ୍ରାୟ ୨ କିମି ଦୂର କଳିଙ୍ଗା ଘାଟି ମଝିରେ ବ୍ରେକ୍ ପାଇପ୍ ଫାଟିଯିବାରୁ ବସ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ବିଦୁ୍ୟତ୍ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଥିଲା । ଡ୍ରାଇଭରଙ୍କୁ ମିଶାଇ ବସରେ ୭୭ ଜଣ ଯାତ୍ରୀ ଥିଲେ । ଭଞ୍ଜନଗର ପୁଲିସ ଶବ ବ୍ୟବଚ୍ଛଦ କରାଇ ସୁଲତାନପୁର ପଠାଇବା ଲାଗି ବ୍ୟବସ୍ଥା କରିଛି । ଦୁର୍ଘଟଣା ପଛର କାରଣ ସଂପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି ।
ଦୁର୍ଘଟଣା ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଏସ୍ପି ବି୍ରିଜେଶ କୁମାର ରଏ, ବ୍ରହ୍ମପୁର ଏସ୍ପି ଡ. ଶ୍ରବଣ ବିବେକ ଏମ୍, ବିଏମ୍ସି କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ ପ୍ରମୁଖ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧିନ ଥିବା ଆହତମାନଙ୍କୁ ଭେଟି ଚିକିତ୍ସା ସେବା ଯୋଗାଇବା ପାଇଁ ଡାକ୍ତରମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।