ବାପା ସମେତ ୨ ପୁଅ ଗଲେ ଜେଲ୍

ପୁରୀ (ବୁ୍ୟରୋ): ଏମାରମଠ ଚକଡ଼ାରେ ମଙ୍ଗଳବାର ରାତିରେ ଯୁବ ସେବାୟତଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସିଂହଦ୍ୱାର ଥାନା ପୁଲିସ । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି । ସେମାନେ ହେଲେ ଟାଉନ୍ ଥାନା ଅନ୍ତର୍ଗତ ତଳୁଚ୍ଛ ସାହିର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ଓରଫ ଗୁଣ୍ଡୁ, ସାନଭାଇ ଦିପକ ବାରିକ ଓ ବାପା ଲକ୍ଷ୍ମୀଧର ବାରିକ ।
ଗୁଳିକାଣ୍ଡ ଘଟଣାକୁ ନେଇ ଏସ୍ପି କନୱାର ବିଶାଲ ସିଂ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଯେ, ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବନ୍ଧୁକ କେଉଁଠି ଆଣିଲା ତାର ତଦନ୍ତକୁ ଗୁରୁତ୍ୱ ଦେଇଛି ପୁଲିସ । ଏନେଇ ପୁଲିସ ପକ୍ଷରୁ ୫ ଟିମ୍ ଗଠନ କରାଯାଇଛି । ଉକ୍ତ ଟିମ୍ ବିଶେଷ କରି ସହରକୁ କିଭଳି ଭାବେ ବନ୍ଧୁକ ଆସୁଛି ଓ ନାଁ କିଏ ଆଣି ଯୋଗାଉଛି ତାହାକୁ ନେଇ ଛାନ୍ଭିନ୍ କରାଯାଉଛି । ଉକ୍ତ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ଗୁଳିକାଣ୍ଡର କାରଣ ଶୀଘ୍ର ଉନ୍ମୋଚନ କରାଯିବ । ଘଟଣାର ଅନୁସନ୍ଧାନ ଶେଷ ହେବା ପରେ ଗୁଳିକାଣ୍ଡ ମାମଲାର ପର୍ଦ୍ଦାଫାସ ହେବ ବୋଲି ପୁଲିସ ସୂଚନା ଦେଇଛି ।
ସୂଚନାଥାଉକି, ଗତ ମଙ୍ଗଳବାର ରାତି ୮ଟାରୁ ସାଢ଼େ ୮ଟା ମଧ୍ୟରେ ଶ୍ରୀଲୋକନାଥଙ୍କ ମନ୍ଦିରର ଯୁବ ସେବାୟତ ଶିବରାମ ପାତ୍ର ଏକ ବାଇକ୍ (ଓଡି-୧୩ଏଲ-୯୭୨୪) ଯୋଗେ ସିଂହଦ୍ୱାର ଅଭିମୁଖେ ଆସୁଥିଲେ । ଏହି ସମୟରେ ହଠାତ୍ ଏକ କଲ ଆସିଥିଲା । ଶିବରାମ କଲ ରିସିଭ୍ କରି ଏମାରମଠ ଚକଡ଼ାରେ ଅଟକି ରହିଥିଲେ । ପରେ ସେଠାରେ ଅନ୍ୟ ଏକ ବାଇକ୍ରେ ଅଭିଯୁକ୍ତ ଚନ୍ଦନ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଶିବରାମ ସହ ଚନ୍ଦନ କିଛି କଥା ହେଲା । ପରେ ପରେ ଅତି ନିକଟରୁ ପକେଟ୍ରୁ ବନ୍ଧୁକ ବାହାର କରି ଶିବରାମ ମୁଣ୍ଡରେ ଲଗାଇ ଲଗାତାର ଭାବେ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଏହି ସମୟରେ ପ୍ରବଳ ମାତ୍ରାରେ ଶଦ୍ଦ ହେବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଶେଷରେ ପୁଲିସ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଶିବରାମକୁ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ଚନ୍ଦନ ମଧ୍ୟ ଦୌଡ଼ିବାକୁ ଲାଗିଲା । ହେଲେ ପୁଲିସର ପଞ୍ଝାରୁ ଖସିପାରିଲା ନାହିଁ । ସଙ୍ଗେ ସଙ୍ଗେ ସିଂହଦ୍ୱାର ଥାନା ପୁଲିସ କାବୁ କରିନେଇଥିଲା ଚନ୍ଦନକୁ । ତା’ଠାରୁ ଜବତ କରିଥିଲା ବନ୍ଧୁକ । ପରେ ପରେ ଘଟଣାସ୍ଥଳରେ ପହଞ୍ଚôଥିଲେ ଏସ୍ପି, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ, ସିଂହଦ୍ୱାର ଥାନାଧିକାରୀ ସୁନିଲ କୁମାର ପ୍ରଧାନ, ଟାଉନ୍ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ, ଶ୍ରୀମନ୍ଦିରର ସୁବେଦାର ଯୋଗେଶ ସ୍ୱାଇଁ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ସିଂହଦ୍ୱାର ଥାନାରେ ୪୩/୨୨ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *