ବିଜ୍ଞାନ ଶିକ୍ଷାର ପ୍ରସାର କରିବ ‘ମୋ ସ୍କୁଲ୍’
ଭୁବନେଶ୍ୱର (ବୁ୍ୟରୋ): ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ “ମୋ ସ୍କୁଲ୍ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍କୁଲ୍ଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବିଶେଷଙ୍କୁ ନେଇ ଟକ୍ ସେସନ୍ର ଆୟୋଜନ କରିବାକୁ କହିଥିଲେ । ଇଣ୍ଟରନେଟ୍ ସୁବିଧା ନଥିବା ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଭିଡ଼ିଓ କନ୍ଫରେନ୍ସିଂର ଆୟୋଜନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ ।
ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୩,୩୦୨ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲ୍ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା ।
ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ସହ ମୋ ସ୍କୁଲ୍ ଅଭିଯାନ ମିଳିତ ଭାବରେ କାର୍ଯ୍ୟ କରିବ । ସ୍କୁଲ୍ଗୁଡ଼ିକରେ ପାଳନ ହେଉଥିବା ପ୍ରମୁଖ ଦିବସଗୁଡ଼ିକରେ ବୈଜ୍ଞାନିକ ଏବଂ ବିଶିଷ୍ଟ ବିଜ୍ଞାନ ଶିକ୍ଷାବିତ୍ଙ୍କୁ ନିମନ୍ତ୍ରଣ କରିବା ସହ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀର ଆୟୋଜନ କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରସ୍ତାବ ଦେଇଛି । ସେହିଭଳି ବିଜ୍ଞାନ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ରୂପାନ୍ତରିତ ବିଦ୍ୟାଳୟରେ ପ୍ରାକ୍ଟିକାଲ ସାଇର୍ସ କ୍ଲାସ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ୨ଟି ପର୍ଯ୍ୟାୟରେ “କୋଡ୍ କ୍ଲବ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍ରେ ୪୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ ।