ହାତୀବେଶରେ ୩ ଘଣ୍ଟା
ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ (ବୁ୍ୟରୋ) : ଜୁନ୍ ୧୪ରେ ଦେବସ୍ନାନ ପୂର୍ଣ୍ଣିମା । ଏହି ପବିତ୍ର ଦିନରେ ସ୍ନାନମଣ୍ଡପରେ ଶ୍ରୀଜିଉ ପ୍ରତ୍ୟକ୍ଷ ସ୍ନାନ କରିବେ । ଏହି ଦୁର୍ଲ୍ଲଭ ସ୍ନାନ ଓ ହାତୀବେଶକୁ ଦେଖିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏପରିକି ସ୍ନାନମଣ୍ଡପରେ ହାତୀ ବେଶରେ ସୁୁସଜ୍ଜିତ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ ଭକ୍ତ । କରୋନା ଲାଗି ଲଗାତାର ଦୁଇବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା । ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ । ଚଳିତଥର ଖୋଲା ଆକାଶ ତଳେ ମହାପ୍ରଭୁଙ୍କୁ ଭଲରେ ଦର୍ଶନ ଲାଗି ସିଂହଦ୍ୱାର ସମ୍ମୁଖ ଓ ଶ୍ରୀମନ୍ଦିରରେ ପ୍ରବଳ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ । ଚଳିତବର୍ଷ ଚତୁର୍ଦ୍ଧାମୂର୍ତ୍ତି ହାତୀବେଶରେ ସଜ୍ଜିତ ହୋଇ ୩ ଘଣ୍ଟା ଦର୍ଶନ େଦେବେ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଛତିଶା ନିଯୋଗ । ବୁଧବାର ସ୍ଥାନୀୟ ନିଳାଦ୍ରୀ ଭକ୍ତନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋହର ଲାଗିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୀରବିକ୍ରମ ଯାଦବ ।
ଶ୍ରୀ ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ୨ ବର୍ଷ ପରେ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଶ୍ରଦ୍ଧାଳୁମାନେ କିଭଳି ସୁବିଧା ଓ ନିର୍ବିଘ୍ନରେ ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଦର୍ଶନ ସମୟରେ କୌଣସି ଶ୍ରଦ୍ଧାଳୁ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ । ବିଶେଷ ଭାବେ ବୈଠକରେ ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦି୍ରବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିରେ ମୋହର ଲାଗିଛି । ପ୍ରଥମେ ନୀତି ସବ୍କମିଟି ବୈଠକରେ ଆଲୋଚନା ହେବା ପରେ ଛତିଶା ନିଯୋଗ ତାହାକୁ ଅନୁମୋଦନ କରିଛି । ଏପରିକି ସ୍ନାନଯାତ୍ରା ସମୟରେ ଠାକୁରଙ୍କ ଜଳଲାଗି ଓ ହାତୀବେଶ ଅକ୍ଷୁର୍ଣ୍ଣ ରହିବା ଲାଗି ସମସ୍ତ ନିଯୋଗକୁ ଅବଗତ କରାଯାଇଛି । ତତ୍ସହିତ ଦର୍ଶନ ସମୟରେ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ଠିଆ ହେବେ ନାହିଁ ବୋଲି ସେବାୟତମାନେ ସହମତି ପ୍ରକାଶ କରିଛନ୍ତି ।
ସ୍ନାନପୂର୍ଣ୍ଣିମା ଦିନ ନୀତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜଳବିଜେ ଓ ପୂଜାନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ନୀତି ସମାପନ ହେବା ପରେ ସାଢ଼େ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ମଧ୍ୟରେ ହାତୀବେଶ ସମ୍ପନ୍ନ ହେବ । ପରେ ସନ୍ଧ୍ୟା ୬ଟାରୁ ରାତ୍ର ସାଢ଼େ ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଅତି ନିକଟରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ କରିବେ । ସେହିପରି ରାତ୍ର ୧୦ଟାରେ ଅଣସର ଘରକୁ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ରାତ୍ର ୧ଟା ୩୦ରେ ସୁନା ଚିତା ଓ ରାହୁ ରେଖା ଲାଗି ଓ ମଇଲମ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ସମସ୍ତ ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ । ତତ୍ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀମାନେ ବୈଠକରେ ସାମିଲ ଥିଲେ ।