ଜବରଦଖଲକାରୀଙ୍କ କବ୍ଜାରେ ବସ୍ଷ୍ଟାଣ୍ଡ
ଖଲ୍ଲିକୋଟ (ଆପ୍ର): ଖଲ୍ଲିକୋଟ ବସ୍ଷ୍ଟାଣ୍ଡ ବର୍ଷ ବର୍ଷ ଧରି ଜବର ଦଖଲକାରୀଙ୍କ କବ୍ଜାରେ ରହିଛି । ଉଠା କେବିନ ଓ ଭଙ୍ଗା ଟିଣ ଦୋକାନ ଯୋଗୁଁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଗାଡ଼ି ଓ ଅଟୋ ଏଣେ ତେଣେ ରଖାଯିବା ଫଳରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବସ୍ଷ୍ଟାଣ୍ଡରେ ବ୍ୟବସାୟୀମାନେ ସର୍ବସାଧାରଣ ନାଳ ଅତିକ୍ରମ କରି ବସ୍ଷ୍ଟାଣ୍ଡର ପ୍ରାୟ ୪୦ ଫୁଟ୍ ରୋଡ୍ ଦଖଲ କରିବା ସହ ସ୍ଥାୟୀ ସେଡ୍ ନିର୍ମାଣ ଚଳାଇଥିଲେ ମଧ୍ୟ ଖଲ୍ଲିକୋଟ ଏନ୍ଏସି ଓ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି । ଏନ୍ଏସିକୁ ୫୦ବର୍ଷ ପୂରିବାକୁ ବସିଥିବା ବେଳେ ନିଜସ୍ୱ ମାର୍କେଟ କମ୍ପ୍ଲେକ୍ସ କିମ୍ବା ଭେଣ୍ଡିଂ ଜୋନ ନ ଥିବା ଯୋଗୁଁ କ୍ଷୁଦ୍ର ବ୍ୟବସାୟୀମାନେ ପୂର୍ତ୍ତ ବିଭାଗ ନାଳ ଉପରେ କେବିନ ରଖି ବେପାର କରୁଛନ୍ତି । ସମବାୟ ବିଭାଗର ପୁରାତନ କୋଠାକୁ ଦେବୋତ୍ତର ବିଭାଗ ନିଜ କବ୍ଜାକୁ ନେଇ ବେପାର ଓ ରାଜନୀତି ଚଳାଇଥିବା ଅଭିଯୋଗ ହେଉଛି ।
ବସ୍ଷ୍ଟାଣ୍ଡଠାରେ ଥିବା ଦେବୋତ୍ତର ବିଭାଗର ଏହି ଜମି ଉପରେ ବସ୍ଷ୍ଟାଣ୍ଡରେ ୫୦ଫୁଟ ଜମି ଦାଖଲ କରି ଦୀର୍ଘ ଦିନ ଧରି ଦୁଇଜଣ ବ୍ୟବସାୟୀ ହୋଟେଲ ଓ ଅନ୍ୟାନ୍ୟ ବେପାର ଚଳାଇଥିବା ଅସାଧାରଣରେ ଅଭିଯୋଗ ହେଉଛି । ଏହି ବ୍ୟବସାୟୀମାନେ ଖଲ୍ଲିକୋଟ ରାଣୀ ତଥା ମନ୍ଦିର ସମୂହ ସଭାପତିଙ୍କ ନିଜ ଲୋକ କହି ପ୍ରଶାସନକୁ ନାଲି ଆଖି ଦେଖାଉଛନ୍ତି । ସେହିପରି ବହୁତୀ ମନ୍ଦିର ସମ୍ମୁଖ ସାହି ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଫଳରେ ଅସନ୍ତୋଷ ପ୍ରକାଶ ପାଇଛି । ସର୍ବସାଧାରଣ ନାଳ ଅତିକ୍ରମ କରି ଲୋକେ ରାସ୍ତା ଦାଖଲ କରି ନାଳ ବାହାରେ ସିଡ଼ି ଓ ବେଡ୍ ରୁମ ନିର୍ମାଣ କରିଥିଲେ ମଧ୍ୟ ଏନ୍ଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ସେହିପରି ନୂଆସାହି ପ୍ରବେଶ ପଥ ଓ ବଙ୍ଗଳା ସାହି ପ୍ରବେଶ ପଥକୁ ଉଠା କେବିନ ରଖି ଦାଖଲ କରିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଟ୍ରାଫିକ ସମସ୍ୟା ଉପୁଜୁଛି । ଖଲ୍ଲିକୋଟ-ମାନାପଲ୍ଲୀ ରାସ୍ତାରେ ଥିବା ଧରାକୋଟ ସାହିବାସିନ୍ଦା ୫ଫୁଟରୁ ୭ ଫୁଟ ରାସ୍ତା ଦାଖଲ କରିବା ଫଳରେ ସୁମଣ୍ଡଳଠାରୁ ଖଲ୍ଲିକୋଟ ଏହି ରାସ୍ତା ଦେଇ ଆସୁଥିବା ବସ୍ ଆଉ ଆସି ପାରୁନାହି । ଜବରଦଖଲକାରୀଙ୍କ ଯୋଗୁଁ ଖଲ୍ଲିକୋଟ ଏନ୍ଏସିର ବିକାଶ ପରିକଳ୍ପନା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହେବା ଜଳ ଜଳ ଦେଖାଗଲାଣି ।