ଜମା ଅର୍ଥ ହଡ଼ପ: ଥାନାରେ ମାମଲା
ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପହଙ୍ଗା ଶାଖାରେ ଅନିୟମିତତା
ନିଆଳି (ଆପ୍ର): ଏହି ବ୍ଲକ ଅନ୍ତର୍ଗତ ପହଙ୍ଗାସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଶତାଧିକ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ପହଙ୍ଗା ମା’ କୁତାମଚଣ୍ଡୀ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ସସ୍ମିତା ପରିଡା ଓ ଅନ୍ୟ ଜମାକାରୀମାନେ ନିଆଳି ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ୨୦୧୫ ମସିହାରେ ଏହି ମହିଳା ଗୋଷ୍ଠୀ ବ୍ୟାଙ୍କରେ ନିୟମିତ ଟଙ୍କା ଜମା କରିବା ପରେ ୨୦୨୨ ମସିହାରେ ବ୍ୟାଙ୍କରୁ ୩,୩୦,୦୦୦ ଟଙ୍କା ୠଣ ନେଇ ଋଣ କିସ୍ତି ଅର୍ଥ ମଧ୍ୟ ବ୍ୟାଙ୍କରେ ପଇଠ କରାଯାଇଥିବା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି । କିସ୍ତି ପଇଠ ସମୟରେ ପଇଠ ଅର୍ଥର ରସିଦ୍ ଦିଆଯାଉ ନ ଥିଲେ ମଧ୍ୟ ପ୍ରିଣ୍ଟର ଖରାପ ଥିବା କଥା କହି ଜମା ବହିକୁ ଅପ୍ଲୋଡ୍ କରି ନ ଥିଲେ । ଏବେ ନିୟମାନୁଯାୟୀ ପୁନଶ୍ଚ ଋଣ ଦେବାକୁ ଉକ୍ତ ମହିଳାଗୋଷ୍ଠୀର ସଭ୍ୟମାନେ ବ୍ୟାଙ୍କ ଆସିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ୨,୫୪,୦୦୦ ଟଙ୍କା ଋଣ ବାକି ଥିବା କହିଥିଲେ ।
ଋଣ ଶୁଝିଥିଲେ ମଧ୍ୟ ପୁଣି ଋଣ ଟଙ୍କା ଥିବା ଜାଣି ମହିଳା ଗୋଷ୍ଠୀ ସଭ୍ୟାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ଏଭଳି ଅନିୟମିତତା ସଂପର୍କରେ ବ୍ୟାଙ୍କ ମ୍ୟାନେଜର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବା ବେଳେ କ୍ୟାସିୟରଙ୍କ ବ୍ୟାଙ୍କରେ ଅନୁପସ୍ଥିତି ଘଟଣାକୁ ସନେ୍ଦହ ସୃଷ୍ଟି କରିଛି । ଏହି ମହିଳା ଗୋଷ୍ଠୀଙ୍କ ସମେତ ଅନ୍ୟ କେତେକ ମହିଳା ଗୋଷ୍ଠୀର ଜମାଖାତାରୁ ଚଞ୍ଚକତା ପୂର୍ବକ ପ୍ରାୟ ୫୦ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ମହିଳା ଗୋଷ୍ଠୀର ସଭ୍ୟାମାନେ ଜାଣିବା ପରେ ସେମାନେ ଘୋର ଚିନ୍ତାରେ ପଡିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।